ବିଜେଡିରେ ସାମିଲ ହେଲେ ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ

ସୌମ୍ୟବାବୁ ବିଜେଡି ପାଇଁ ଏକ ବଡ଼ ଆସେଟ୍‌- ନବୀନ ପଟ୍ଟନାୟକ, ଏକ ବିଚାର ସପକ୍ଷରେ ବିଜେଡିରେ ମିଶିଛି- ସୌମ୍ୟରଞ୍ଜନ

ଭୁବନେଶ୍ୱର: ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସୌମ୍ୟ ପଟ୍ଟନାୟକ ବିଜେଡିରେ ଯୋଗ ଦେବା ଦ୍ୱାରା ବିଜେଡି ଅଧିକ ସମୃଦ୍ଧ ହେବ।

ସୂଚନାଯୋଗ୍ୟ ଯେ, ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ଏନସିପିରେ ଯୋଗ ଦେଇଥିଲେ। ମାତ୍ର ଏନସିପିର କେନ୍ଦ୍ରୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇ ଶ୍ରୀ ପଟ୍ଟନାୟକ ଏନସିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ଟିିକେଟରେ ଲଢ଼ି ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ କଂଗ୍ରେସ ଦଳରେ ଚାଲିଥିବା ଚକ୍ରାନ୍ତ ଓ ରାଜ୍ୟ କଂଗ୍ରେସକୁ ଦୁର୍ବଳ କରୁଥିବା ଗୋଷ୍ଠୀ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ କୁଚକ୍ରୀ ଗୋଷ୍ଠୀଙ୍କ ଚାପରେ ତାଙ୍କୁ କଂଗ୍ରେସରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ପଟ୍ଟନାୟକ ଆମ ଓଡ଼ିଶା ପାର୍ଟି ଗଠନ କରିବା ସହିତ ଏହାର ଅଧ୍ୟକ୍ଷ ଭାବେ ଖଣ୍ଡପଡ଼ା ଆସନରୁ ନିର୍ବାଚନ ଲଢ଼ିଥିଲେ। ମାତ୍ର ୫ଶହ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଶ୍ରୀ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ଶ୍ରୀ ପଟ୍ଟନାୟକ ଚାଷୀ ଓ ଚିଟ୍‌ଫଣ୍ଡ ଜମାକାରୀଙ୍କର ସଙ୍ଗଠନରେ ସାମିଲ ହୋଇ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଚଳାଇଛନ୍ତି। ନବ ନିର୍ମାଣ କୃଷକ ସଙ୍ଗଠନ ଜରିଆରେ ଶ୍ରୀ ପଟ୍ଟନାୟକ କୃଷକମାନଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରଖିଛନ୍ତି।


ବିଜେଡିରେ ସାମିଲ ହେବା ପରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୩ ବର୍ଷ ତଳେ ସେ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପରେ ବିଜୁ ବାବୁ ତାଙ୍କ ସହିତ କାମ କରିବା ପାଇଁ ତାଙ୍କୁ ଡାକିଥିଲେ। ୨୩ ବର୍ଷ ପରେ ବିଜୁବାବୁଙ୍କ ନାମରେ ନାମିତ ଦଳରେ ସେ ସାମିଲ ହୋଇଛନ୍ତି। ବର୍ତ୍ତମାନ ଦେଶ ଓ ରାଜ୍ୟର ରାଜନୈତିକ ସ୍ଥିତି ଯାହା, ସେଥିରେ ରାଜ୍ୟର ସ୍ୱାର୍ଥ , ସ୍ୱାଭିମାନ ଓ ବିକାଶ ପାଇଁ ସେ ଚାହାନ୍ତିି। ତେଣୁ ଗୋଟିଏ ବିଚାର ସପକ୍ଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏ ନେଇ କୌଣସି ସର୍ତ୍ତ ସେ ରଖି ନାହାନ୍ତିି। ବର୍ତ୍ତମାନ ଅବସ୍ଥାରେ ବ୍ୟକ୍ତି, ଦଳ ବଡ଼ ନୁହେଁ, ବରଂ ପ୍ରସଙ୍ଗ ଗୁରୁତ୍ୱ ବହନ କରୁଛି। ତେଣୁ ଆଗାମୀ ଦିନରେ ସେ ଚାଷୀ  ଓ ଜମାକାରୀଙ୍କ ସ୍ୱାର୍ଥ ଲାଗି ତାଙ୍କ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ବିଜେଡିରେ ସାମିଲ ହେବା ବେଳେ ନବୀନ ନିବାସରେ ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ସମୀର ଦାସ, ପ୍ରତାପ ଜେନା, ଉଷା ଦେବୀ, ସ୍ନେହାଙ୍ଗୀନି ଛୁରିଆ, ବେଦପ୍ରକାଶ ଅଗ୍ରଓ୍ଵାଲ ପ୍ରମୁଖ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର