ରାଜ୍ୟକୁ କେନ୍ଦ୍ରରୁ ଅନୁଦାନ କମ୍‌ ମିଳିବ, ପ୍ରତିକାର ବ୍ୟବସ୍ଥା କ’ଣ : ସୌମ୍ୟରଞ୍ଜନ

ଆର୍ଥିକ ସୁପରିଚାଳନା ଏହି କ୍ଷତି ଭରଣା କରିବ
୨୦୨୦-୨୧ରେ ୩ ହଜାର ୨୮୬ କୋଟି କମ୍‌ ପାଇବ ରାଜ୍ୟ
୧୯୭୧ ଜନସଂଖ୍ୟ ତଥ୍ୟ ନିଆଯାଇଥିଲେ ରାଜସ୍ବ ସଂଗ୍ରହ ଅଧିକ ହୋଇଥାନ୍ତା

ଭୁବନେଶ୍ବର :ପଞ୍ଚଦଶ ଅର୍ଥ କମିସନଙ୍କ ଅନ୍ତରୀଣ ରିପୋର୍ଟ ଆଧାରରେ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କମ୍‌ ମିଳିବ। କାମଧନ୍ଦା ଅନ୍ବେଷଣରେ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଅଧିକ ଲୋକ ଯାଉଛନ୍ତି। ଏହାସହିତ ଟିକସ ଓ ଅଣଟିକସ ସଂଗ୍ରହରେ ମନ୍ଥରତା କାରଣରୁ ରାଜ୍ୟ ଅଧିକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି। ଏହାର ସମାଧାନ ପାଇଁ ରାଜ୍ୟ ସରକାର କ’ଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆଜି ବିଧାନସଭାରେ ଶାସକ ଦଳର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତାରକା ଓ ଅଣତାରକା ଦୁଇଟି ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଅର୍ଥ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ରର ସାମଗ୍ରିକ ଟିକସରୁ ରାଜ୍ୟମାନଙ୍କୁ ୪୧% ଆବଣ୍ଟନ କରାଯାଇଛି। ଏହା ଦ୍ବାରା ଓଡ଼ିଶା ଆର୍ଥିକ କ୍ଷତି ସହୁଛି। କିନ୍ତୁ ରାଜ୍ୟ ସରକାରଙ୍କ ଆର୍ଥିକ ସୁପରିଚାଳନା ଯୋଗୁଁ ଏହି କ୍ଷତି ଭରଣା ହୋଇପାରିବ ବୋଲି ଗୃହକୁ ଅର୍ଥମନ୍ତ୍ରୀ ଆଶ୍ବସ୍ତ କରିଛନ୍ତି।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ, ପଞ୍ଚଦଶ ଅର୍ଥ କମିସନ ୨୦୨୦-୨୧ ପାଇଁ ଗତବର୍ଷ ଡିସେମ୍ବର ୫ ତାରିଖରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର କାର୍ଯ୍ୟାନ୍ବୟନ ରିପୋର୍ଟ ପ୍ରସ୍ତୁତ କରି ଗତ ୧ ତାରିଖରେ ସଂସଦରେ ଉପସ୍ଥାପିତ କରିଥିଲେ। ସୁପାରିସ ଅନୁଯାୟୀ, ଓଡ଼ିଶାର ଅଂଶ ୪.୨୬୯% ଅଟେ। ୨୦୨୦-୨୧ ବର୍ଷରେ କେନ୍ଦ୍ରୀୟ ଟିକସରୁ ରାଜ୍ୟମାନଙ୍କୁ ୮ ଲକ୍ଷ ୫୫ ହଜାର ୧୭୬ କୋଟି ଟଙ୍କା ପ୍ରଦାନ କରାଯିବ। ସେଥିରୁ ଓଡ଼ିଶାର ଭାଗ ୩୯ ହଜାର ୫୮୬ କୋଟି। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ବଜେଟ୍‌ରେ ଓଡ଼ିଶା ପାଇଁ ୩୬ ହଜାର ୨୯୯ କୋଟି ୭୪ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଫଳରେ ରାଜ୍ୟକୁ କେନ୍ଦ୍ରୀୟ ଟିକସ ପାଣ୍ଠିରୁ ୩ ହଜାର ୨୮୬ କୋଟି ଟଙ୍କା କମ୍‌ ମିଳିବ। ଏହା ଜାଣିବା ପରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ରେ ସରକାର ଆବଶ୍ୟକ ପରିବର୍ତ୍ତନ କରିଛନ୍ତି। ବଜେଟ୍‌ରେ ସ୍ଥିର କରାଯାଇଥିବା ରାଜସ୍ବ ଆଦାୟ ଧାର୍ଯ୍ୟ ଲକ୍ଷ ପୂରଣ କରିବାରେ ରାଜ୍ୟ ସରକାର ସଫଳ ହେବେ। ନିଜସ୍ବ ଟିକସ ସଂଗ୍ରହ ବୃଦ୍ଧି କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଯେପରିକି ବିଭିନ୍ନ କେନ୍ଦ୍ରୀୟ ଉଦ୍ୟୋଗ ଓ ସଂସ୍ଥାମାନଙ୍କ ଉପରେ ଥିବା ବକେୟା ରାଜସ୍ବ ଷ୍ଟେଟ୍‌ ଡିସ୍‌ପୁଟ୍‌ ରିଜୋଲ୍ୟୁସନ୍ କମିଟି ଜରିଆରେ ଆପୋଷ ସମାଧାନ କରାଯାଇ ଆଦାୟ କରାଯିବ। ଏକକାଳୀନ ପଇଠ ଯୋଜନା କରି କେନ୍ଦ୍ର ସରକାରୀ ଉଦ୍ୟୋଗ ଉପରେ ବକେୟା ରାଜସ୍ବ ଆଦାୟକୁ ତ୍ବାରାନ୍ବିତ କରାଯିବ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବର୍ଷବର୍ଷ ଧରି ପଡ଼ରହିଥିବା ବାଣିଜ୍ୟକର ମାମାଲାଗୁଡ଼ିକୁ ତ୍ବରିତ୍‌ ଫଇସଲା କରିବାକୁ ପଦକ୍ଷେପ ନିଆଯିବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅପିଲ ଆବେଦନଗୁଡ଼ିକର ଶୀଘ୍ର ଫଇସଲା ପାଇଁ ଆପିଲେଟ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ରାଜସ୍ବ ସଂକ୍ରାନ୍ତ ମାମଲାଗୁଡ଼ିକର ଆଶୁ ଫଇସଲା ପାଇଁ ସ୍ବତନ୍ତ୍ର ଓକିଲ ନିଯୁକ୍ତି କରାଯାଇଛି ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।

ପଞ୍ଚଦଶ ଅର୍ଥକମିସନଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟ (୨୦୨୧-୨୨ରୁ ୨୦୨୫-୨୬) ଆସନ୍ତା ଅକ୍ଟୋବରରେ ଉପଲବ୍ଧ ହେବ। ରାଜ୍ୟର ନିଜସ୍ବ ଟିକସ ସଂଗ୍ରହ ସମ୍ପର୍କରେ ସୂଚନା ଦେଇ ଅର୍ଥ ମନ୍ତ୍ରୀ ଦର୍ଶାଇଛନ୍ତି, ଅର୍ଥ କମିସନଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡରେ ନିଜସ୍ବ ଟିକସ ସଂଗ୍ରହ ପ୍ରଚେଷ୍ଟାକୁ ୨.୫% ଗୁରୁତ୍ବ ଦିଆଯାଇଛି। ରାଜ୍ୟର ନିଜସ୍ବ ଟିକସ ଏବଂ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ହିଁ ସେଇ ରାଜ୍ୟର ଟିକସ ସଂଗ୍ରହର ଅଭିବୃଦ୍ଧି ଓ ମନ୍ଥରତା ପ୍ରକାଶ କରିଥାଏ। କମିସନଙ୍କ ନିର୍ଦ୍ଧାରଣ ଅନୁଯାୟୀ, ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ର ରାଜ୍ୟ ଟିକସ ଓ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ହାରାହାରି ୬.୩୭%। ଯାହାକି ଅନ୍ୟ ୧୬ଟି ରାଜ୍ୟଠାରୁ ଅଧିକ। କିନ୍ତୁ ଏହି ଅନୁପାତକୁ ରାଜ୍ୟର ଜନସଂଖ୍ୟା ଆଧାରରେ ତୁଳନା କରାଯିବାରୁ ନିଜସ୍ବ ଟିକସ ଆୟ ବହୁତ କମିଯାଇ ୩.୫୦୯% ହୋଇଛି। ବିହାର, ଗୁଜୁରାଟ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ରାଜ୍ୟର ନିଜସ୍ବ ଟିକସ ଓ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ଓଡ଼ିଶାଠାରୁ କମ ହୋଇଥିଲେ ବି ସେସବୁ ରାଜ୍ୟମାନଙ୍କର ଜନସଂଖ୍ୟା ଅଧିକ ଥିବାରୁ ଟିକସ ସଂଗ୍ରହ କ୍ଷେତ୍ରରେ ଅଧିକ ନମ୍ବର ପାଇଛନ୍ତି। ଖାଲି ସେତିକି ନୁହେଁ ୨୦୧୧ ଜନଗଣନା ଅନୁଯାୟୀ ଜନସଂଖ୍ୟା ବିଚାରକୁ ନିଆନଯାଇ ୧୯୭୧ ଜନସଂଖ୍ୟା ତଥ୍ୟ ନିଆଯାଇଥିଲେ ଏହି ଅଂଶ ଅଧିକ ହୋଇଥାନ୍ତା ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.