ଆତ୍ମହତ୍ୟା କର ନାହିଁ, ଏକାଠି ହୁଅ: ସୌମ୍ୟରଞ୍ଜନ

ଚାଷୀକୁଳଙ୍କୁ ଆହ୍ଵାନ 

‘ଚାଷୀକୁ ନେଇ ରାଜନୈତିକ ଚାଷ ନହେଉ’

ବରଗଡ଼/କଳାପାଣି : ରାଜ୍ୟରେ ଚାଷୀ ଓ ଚାଷର ସମସ୍ୟା ସମାଧାନ ପାଇଁ ଆଖିଦୃଶିଆ ନୀତିଟିଏ କାର୍ଯ୍ୟକାରୀ ନହେବା ଦୁର୍ଭାଗ୍ୟର କଥା। ଗୋଟିଏ ହିସାବରେ ଚାଷୀ ହିଁ ସର୍ବାଧିକ ପୀଡ଼ିତ। ବ୍ୟବସ୍ଥାଗତ ତ୍ରୁଟି ସହ ଅନ୍ୟ କାରଣରୁ ଚାଷୀର ଉନ୍ନତି ବଦଳରେ ବ୍ୟାପକ କ୍ଷୟକ୍ଷତି ଘଟୁଛି। ହାଇଟେକ୍‌ ଯୁଗରେ ଚାଷୀର ସମସ୍ୟା ତୁଟାଇ ନପାରିବା ଏକ ବଡ଼ ବିଫଳତା। ଯାହା ଚାଷୀକୁଳ ପାଇଁ ଆହୁରି ବିପଦ ଆଣି ଦେଇଛି। ଯଦ୍ୱାରା ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ବଢୁଛି। କିନ୍ତୁ ସମସ୍ୟାର ସମାଧାନ ଆତ୍ମହତ୍ୟା ନୁହେଁ। ଏବଂ ଚାଷୀକୁ ନେଇ ଆଉ ରାଜନୈତିକ ଚାଷ ନ ହେଉ ବୋଲି ବରଗଡ଼ ଜିଲ୍ଲା କଳାପାଣି ଗସ୍ତ ବେଳେ ‘ସମ୍ବାଦ’ର ସଂପାଦକ ତଥା ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଚକଡ଼ା  ପୋକ ପ୍ରାଦୁର୍ଭାବରେ ଜୀବନ ହାରିଥିବା କଳାପାଣିର ଭାଗ ଚାଷୀ ସ୍ୱର୍ଗତ ବୃନ୍ଦାବନ ସାହୁଙ୍କ ପରିବାରବର୍ଗଙ୍କୁ ଭେଟି ଶ୍ରୀ ପଟ୍ଟନାୟକ ଏବଂ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସମବେଦନା ଜଣାଇଛନ୍ତି। କେଉଁ ପରିସ୍ଥିତିରେ ବୃନ୍ଦାବନ ଆଖି ବୁଜିଲେ ତାହା ଶ୍ରୀ ପଟ୍ଟନାୟକ ଏବଂ ଅକ୍ଷୟ କୁମାର ଜାଣିବାକୁ ଚାହିଁଥିଲେ। ଏହି ପ୍ରସଙ୍ଗରେ ସେମାନେ ବୃନ୍ଦାବନଙ୍କ ସ୍ତ୍ରୀ ସୁବାସିନୀ, ଦୁଇ ଝିଅ ପୁଷ୍ପାଞ୍ଜଳି ଓ ପ୍ରୀତି, ପୁଅ ରାଜେଶଙ୍କୁ ପଚାରି ବୁଝିଥିଲେ।

ଏହା ପରେ ସ୍ଥାନୀୟ ଚାଷୀମାନଙ୍କ ସହ ଶ୍ରୀ ପଟ୍ଟନାୟକ ଓ ଅକ୍ଷୟ କୁମାର ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଆଲୋଚନା ବେଳେ ଚାଷୀଙ୍କୁ ନିମ୍ନମାନର କୀଟନାଶକ, କେନାଲ ପାଣି ଯୋଗାଣରେ ଅବ୍ୟବସ୍ଥା, ସାର ଯୋଗାଣରେ ଅବହେଳା ଭଳି ଗୁଡାଏ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଚାଷୀର ଅସଲ ସମସ୍ୟାକୁ ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଚାଷୀମାନେ ସଂଘବଦ୍ଧ ହୋଇ ଆଗକୁ ବଢିଲେ ହିଁ ସମାଧାନର ବାଟ ଫିଟିବ। ଚାଷୀ ସମସ୍ୟାର ସମାଧାନ ପାଇଁ ଦଳମତ ନିର୍ବିଶେଷରେ କାର୍ଯ୍ୟ କରାଯିବା ଉଚିତ। ଚାଷୀମାନେ ଆତ୍ମହତ୍ୟାର ପନ୍ଥା ନବାଛି ନିଜ ଜାତିର ଉନ୍ନତି ପାଇଁ ଏକଜୁଟ ହେବା ବେଳ ଆସିଛି। ଗୋଟିଏ ପଟେ ସରକାର ନିଯୁକ୍ତି କଥା କହୁଥିବା ବେଳେ ଏପଟେ ଚାଷୀ ଜୀବନ ହାରୁଛି।

ମାତ୍ର ୧୫ ପ୍ରତିଶତ ଆୟରେ ଜନସଂଖ୍ୟାର ୬୦ ପ୍ରତିଶତ ଲୋକ ଚଳିବେ କିପରି ବୋଲି ସେ ପ୍ରଶ୍ନ କରିଥିଲେ। ତେଣୁ ଚାଷୀଙ୍କ ରୋଜଗାର ବଢ଼ାଯାଉ କିମ୍ବା ପେସନ ବ୍ୟବସ୍ଥା ନଚେତ ପ୍ରତି ଚାଷୀର ପରିବାରରୁ ଜଣକୁ ସରକାରୀ ଚାକିରି ସୁନିଶ୍ଚିତ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଦୃଢ ଦାବି କରିଥିଲେ। ଅନ୍ୟପକ୍ଷରେ ଅକ୍ଷୟ କୁମାର ବାରମ୍ବାର ଚାଷୀ ଆତ୍ମହତ୍ୟା ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ମାମଲା ଗୁଡ଼ିକର ତଦନ୍ତ ପ୍ରକ୍ରିୟାରେ ବିଳମ୍ବ  ନେଇ ସେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ କେଇ ଘଣ୍ଟା ଭିତରେ ତଦନ୍ତ ସରି ରିପୋର୍ଟ ପ୍ରସ୍ତୁତ ହୋଇଯାଏ। କିନ୍ତୁ ଚାଷୀ ଆତ୍ମହତ୍ୟା ଘଟଣା ପାଇଁ ସରକାରଙ୍କୁ କାହିଁକି ୪୮ ଘଣ୍ଟାରୁ ଅଧିକ ସମୟ ଲାଗୁଛି ବୋଲି ସେ ପ୍ରଶ୍ନ କରିଥିଲେ।

ଆଲୋଚନା ବେଳେ ‘ଆମ ଓଡ଼ିଶା’ ଜିଲ୍ଲା ସଂଯୋଜକ ଇଂ ଦେବବ୍ରତ ମିଶ୍ର, ଶେଖ୍‌ ନଜିମୁଦ୍ଦିନ୍‌, ମାନଭଂଜନ ମିଶ୍ର, ବାସୁଦେବ ଦାଶ, ଲକ୍ଷପତି ଦାଶ, ଏକାଦଶିଆ ସାହୁ, ଦୁର୍ଲ୍ଲଭ ସାହୁ, ଦୁର୍ଯ୍ୟୋଧନ ମେହେର, ସନ୍ତୋଷ ଗୁପ୍ତା, ଅରବିନ୍ଦ ଗୁପ୍ତା, ମହାଦେବ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ଗୋବିନ୍ଦ ମହାପାତ୍ର, ଚନ୍ଦ୍ରମଣି ସାହୁ, କଳାପାଣି ସରପଂଚ କେ ଭିିରା ରେଡ୍ଡି, ମନାପଡ଼ା ସରପଂଚ ଦୀପକ ପ୍ରଧାନ, ବିପିନ  ପ୍ରଧାନ, ଚାଷୀନେତା ବୀରେନ୍ଦ୍ର କର, କୁନା ପାଢୀ, ସନ୍ତୋଷ ଭୋଇ, ସମିତି ସଭ୍ୟ ସୁବାସ କୁଦେଇ, ଉର୍କୁଲୁ ପୋଢ, ରାଧେ ପ୍ରଧାନ, ବିନୋଦ ମହାପାତ୍ର, ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ସମେତ କଳାପାଣି, ବୁଦେଲପାଲି, ତାଲଶ୍ରୀଗିଡ଼ା, ବରାହଗୋଡ଼ା, ଆମ୍ବଷଢା, ଲସ୍ତଲା, ମନାପଡ଼ାର ଚାଷୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର