ସୌମ୍ୟରଞ୍ଜନ ପଟ୍ଟନାୟକ ପାଇବେ ‘ମଧୁବାବୁ ସମ୍ମାନ’

କଟକ : ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ଓ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ମଧୁବାବୁ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ ପକ୍ଷରୁ ଆସନ୍ତା ୨୬ତାରିଖ ସଂଧ୍ୟାରେ ବିଜୁପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଆୟୋଜିତ ହେବାକୁ ଥିବା ସମାରୋହରେ ଶ୍ରୀ ପଟ୍ଟନାୟକଙ୍କୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତିରେ ଅର୍ପିତ ‘ମଧୁବାବୁ ସମ୍ମାନ’ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ପ୍ରଫେସର ଡାକ୍ତର ନିରଦ କୁମାର ଗଚ୍ଛାୟତ ସୂଚନା ଦେଇଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟର ବିକାଶ ପାଇଁ ଶ୍ରୀ ପଟ୍ଟନାୟକଙ୍କ ଅବଦାନ ଉଲ୍ଲେଖନୀୟ। ଏହା ବ୍ୟତୀତ ‘ଆମ ଓଡ଼ିଶା’ ଜରିଆରେ ‘ରକ୍ତଦାନ ଅଭିଯାନ’କୁ ରାଜ୍ୟରେ ଏକ ଆନ୍ଦୋଳନରେ ପରିଣତ କରି ଶ୍ରୀ ପଟ୍ଟନାୟକ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ସେ ‘ସମ୍ବାଦ’, ‘ଆମ ଓଡ଼ିଶା’, ‘ରେଡିଓ ଚକୋଲେଟ୍‌’, ଇଷ୍ଟର୍ଣ୍ଣ ଅପେରା, ‘କନକ ନ୍ୟୁଜ୍‌’ ପ୍ରତିଷ୍ଠା କରି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଓଡ଼ିଆ ଜାତିର ଅଭ୍ୟୁତ୍‌ଥାନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜଣେ ସୁଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରତି ତିନି ବର୍ଷରେ ଥରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର