ଜଗନ୍ନାଥ ନଥିଲେ ଜାତିର ପରିଚୟ ନଥା’ନ୍ତା: ସୌମ୍ୟ

ଓଡ଼ିଆଙ୍କ ପ୍ରାଣ ଓ ଜୀବନ, ଜଗନ୍ନାଥ ଚେତନାରେ ରହିଛି: ରଥଶର୍ମା

ବାଲେଶ୍ୱର: ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣ। ଶ୍ରୀ ଜଗନ୍ନାଥ ନଥିଲେ ଓଡ଼ିଆ ଜାତିର ପରିଚୟ ନଥା’ନ୍ତା। ବଡ଼ ଠାକୁରଙ୍କୁ ନେଇ ଆମେ ବିଶ୍ୱରେ ଏତେ ଗର୍ବ ବି କରିପାରି ନଥାନ୍ତେ। ସେ ଭକ୍ତର ଭଗବାନ ଓ ଭାବର ଠାକୁର। ୩୬ତମ ଶ୍ରୀ ଜଗନ୍ନାଥ ଚେତନା ମହାଧିବେଶନରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏଭଳି କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ ଆହୁରି କହିଛନ୍ତି ଯେ, ବାଲେଶ୍ୱର ଏବେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପରିଣତ ହୋଇଛି। ଏଠାରେ ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଛି। ଆମ ଆଚରଣ ଓ ଉଚ୍ଚାରଣରେ ଜଗନ୍ନାଥ ପ୍ରେମ ରହିଲେ ଏତେବଡ଼ ଆୟୋଜନର ଉଦ୍ଦେଶ୍ୟ ସାଧିତ ହୋଇପାରିବ।

ବିଶ୍ୱ ଶ୍ରୀ ଜଗନ୍ନାଥ ଚେତନା ସଂସଦ ପୁରୀ ପକ୍ଷରୁ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଆୟୋଜିତ ଏହି ମହାଧିବେଶନର ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ସମାରୋହରେ ଉଦ୍‌ବୋଧନ ଦେଇଥିଲେ। ସେ କହିଲେ, ଓଡ଼ିଆଙ୍କ ପ୍ରାଣ ଓ ଜୀବନ ଜଗନ୍ନାଥ ଚେତନାରେ ଭରି ରହିଛି। ମହାପ୍ରଭୁଙ୍କ ନାମକୁ ମହୌଷଧି ରୂପରେ ଗ୍ରହଣ କଲେ ଆମେ ମାନସିକ ରୋଗରୁ ମୁକ୍ତିଲାଭ କରିପାରିବା। ଆମ ସଂସ୍କୃତିକୁ ବର୍ତ୍ତମାନର ଯୁବପୀଢ଼ି ଭୁଲିନଯାଇ ଇତିହାସକୁ ତର୍ଜମା କରିବା ଦରକାର ବୋଲି ପଣ୍ଡିତ ରଥଶର୍ମା ପରାମର୍ଶ ଦେଇଥିଲେ। ମହାଧିବେଶନର ଆବାହକ ତଥା ସାଂସଦ ରବୀନ୍ଦ୍ର କୁମାର ଜେନା କହିଲେ, ଏତେ କମ୍‌ ଦିନରେ ଏତେ ବଡ଼ ଆୟୋଜନ କେବଳ ମହାପ୍ରଭୁଙ୍କ ଆଶୀର୍ବାଦ ଦ୍ୱାରା ହିଁ ସମ୍ଭବ ହୋଇ ପାରିଛି। ଯେଉଁମାନେ ପୁରୀ ଯାଇନାହାନ୍ତି କି ପ୍ରଭୁଙ୍କ ୩୨ ବେଶ ଦେଖିନାହାନ୍ତି, ସେମାନେ ବାଲେଶ୍ୱରରେ ହିଁ ପ୍ରଭୁଙ୍କ ଏସବୁ ବେଶ ଦେଖିପାରିବେ। ଅନ୍ୟତମ ମୁଖ୍ୟ ଆୟୋଜକ ସୁବାସିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚର ସଭାପତି ଲକ୍ଷ୍ମୀଧର ବେହେରା ସମାରୋହରେ ସଭାପତିତ୍ୱ କରିଥିଲେ। ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଜଗନ୍ନାଥ ପ୍ରେମୀ ସମାରୋହରେ ଯୋଗଦେବା ସହ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ, ୫୬ ଭୋଗ ଓ ପ୍ରଭୁଙ୍କ ଅନେକ ଅଲୌକିକ ଲୀଳାକୁ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର