ଏସ୍‌ପି, ଜିଲ୍ଲାପାଳ ଚିଟ୍‌ଫଣ୍ଡ୍‌ ଉପରେ ରଖିବେ ନଜର

ଭୁବନେଶ୍ୱର: ରାଜ୍ୟରେ ଚିଟ୍‌ଫଣ୍ଡ୍‌ ଠକେଇର ଯେଭଳି ପୁନରାବୃତ୍ତି ନହୁଏ ତାହା ନିଶ୍ଚିତ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ (ଏସ୍‌ପି)ମାନଙ୍କୁ ଆଜି ମୁଖ୍ୟଶାସନ ସଚିବ ତାଗିଦ୍‌ କରିଛନ୍ତି। ସଚିବାଳୟଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମନ୍ଵୟ କମିଟି ବୈଠକରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦେଶ ଦେଇଛନ୍ତି, ଲୋକମାନଙ୍କୁ ଠକିବାକୁ ଚେଷ୍ଟା କରୁଥିବା ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖ। ଏଥିପାଇଁ ବଜାର ଗୁଇନ୍ଦା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପରାମର୍ଶ ଦିଆଯାଇଛି। ଠକ ବୀମା କଂପାନି ଏବଂ ବହୁ-ରାଜ୍ୟ ସମବାୟ ସମିତିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଆଜିର ବୈଠକରେ ପରାମର୍ଶ ଦିଆଯାଇଛି। ମୁଖ୍ୟଶାସନ ସଚିବ କହିଛନ୍ତି, ରାଜ୍ୟ ସରକାରଙ୍କ ରେଜିଷ୍ଟାର କୋଅପରେଟିଭ୍‌ ସୋସାଇଟିଠାରୁ ଏନ୍‌ଓସି ବିନା କୌଣସି ବହୁ-ରାଜ୍ୟ ସମବାୟ ସଂସ୍ଥା ଓଡ଼ିଶାରେ କାରବାର କରିପାରିବେ ନାହିଁ। ଲୋକଙ୍କଠାରୁ ଟଙ୍କା ଠକିବାକୁ ପ୍ରୟାସ କରୁଥିବା ସଂସ୍ଥାଗୁଡ଼ିକ ବିଷୟରେ ସବୁ ଥାନାର ଭାରାପ୍ରାପ୍ତ ଇନ୍‌ସ୍‌ପେକ୍ଟର ଏବଂ ଏସ୍‌ପି ମାସିକିଆ ରିପୋର୍ଟ ପ୍ରଦାନ କରିବେ। ଚିଟ୍‌ଫଣ୍ଡ୍‌ ଠକେଇର ପର୍ଦାଫାଶ ହେବା ପରେ ଠକ ସଂସ୍ଥାଗୁଡ଼ିକ ଏବେ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟବାସୀଙ୍କୁ ଠକିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ଲୋକଙ୍କୁ ଠକିବା ପାଇଁ ସେମାନେ ବ୍ରାଣ୍ଡେଡ୍‌ କଂପାନିଗୁଡ଼ିକର ନାମ ବ୍ୟବହାର କରୁଛନ୍ତି। ସେମାନଙ୍କ ଉପରେ କିଭଳି ଅଙ୍କୁଶ ଲଗାଇ ହେବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଅଧିକାରୀମାନେ କହିଥିଲେ, ଠକ ସଂସ୍ଥା ଓ ଲୋଭନୀୟ ଲଟେରି, ପୁରସ୍କାର ଆଦି ଆର୍ଥିକ ପ୍ରତିଶ୍ରୁତି ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସଚେତନତା ଏସ୍‌ଏମ୍‌ଏସ୍‌ ଏୟାରସେଲ୍‌, ବିଏସଏନଏଲ୍‌, ରିଲାଏନ୍‌ସ ଜିଓ ଏବଂ ଏୟାରଟେଲ୍‌ ନେଟ୍‌ଓ୍ଵର୍କ ଜରିଆରେ ପଠାଯାଉଛି। ଗଜପତି ଏବଂ ବୌଦ୍ଧ ଜିଲ୍ଲାରେ ଭାରତୀୟ ଡାକ ସହିତ ମିଶି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘରେ ଘରେ ପହଞ୍ଚି ଲୋକମାନଙ୍କୁ ସଚେତନ କରାଯାଉଛି। ଜିଲ୍ଲା ସ୍ତରରେ ପୁଲିସ ଅଧିକାରୀ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ଠକେଇ ବିଷୟରେ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏସ୍‌ଏଚ୍‌ଜି ଏବଂ ନିୟନ୍ତ୍ରିତ ବଜା କମିଟି ଜରିଆରେ ଚିଟଫଣ୍ଡ୍‌ ଠକେଇ ସମ୍ପର୍କିତ ସଚେତନତା ବାର୍ତା ବଣ୍ଟନ କରାଯାଉଥିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

 

ଯଦି କୌଣସିଠାରେ ବେଆଇନ ଭାବେ ଅର୍ଥ ସଂଗ୍ରହ କରାଯାଉଛି ସେ ବିଷୟରେ ଲୋକମାନେ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରକୁ ଦେୟମୁକ୍ତ ନମ୍ବର ୧୮୦୦-୩୪୫-୭୧୫୪ରେ କଲ କରି ଜଣାଇପାରିବେ। ଏଭଳି ୧୪୬ଟି କଲ୍‌ ଆସିଛି ଏବଂ ରାଜ୍ୟ ପୁଲିସର ଅର୍ଥନୈତିକ ଅପରାଧ ଶାଖାକୁ ସେଗୁଡ଼ିକର ତଦନ୍ତ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର