ରାଜ୍ୟରେ ମରୁଡ଼ି ପରିସ୍ଥିତି ନେଇ ଗୃହରେ ଉଦବେଗ: ବିଧାନସଭାରେ ବିବୃତି ଦେବା ପାଇଁ ରାଜସ୍ୱମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଏବଂ ବିଶେଷତଃ ବଲାଙ୍ଗୀର ଜିଲ୍ଲାରେ ଅନାବୃଷ୍ଟି ଜନିତ ପରିସ୍ଥିତି ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାନସଭାରେ ଏକ ବିବୃତି ଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ, ରାଜ୍ୟରେ କ୍ରମାଗତ ଅନାବୃଷ୍ଟି ଯୋଗୁଁ ମରୁଡି ଆଶଙ୍କା ଦେଖା ଦେଇଛି। ବିଶେଷତଃ ବଲାଙ୍ଗୀର ଜିଲ୍ଲାରେ ଅନାବୃଷ୍ଟି ଯୋଗୁଁ ୧୪ଟି ଯାକ ବ୍ଲକ୍‌ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଜମି ସବୁ ଫାଟି ଆଁ କଲାଣି। ଚାଷୀମାନେ ଚାଷ ନ କରିପାରି ଆତ୍ମହତ୍ୟା କଲେଣି। ବଲାଙ୍ଗୀର ଜିଲ୍ଲାର ଜଣେ ଚାଷୀ ଗତକାଲି ଆତ୍ମହତ୍ୟା କରିଛନ୍ତି। ମରୁଡ଼ିଗ୍ରସ୍ତ ଅଂଚଳରେ କୌଣସି ପ୍ରତିକାରାତ୍ମକ ପଦକ୍ଷେପ ନିଆଯାଉନାହିଁ। ସରକାର ତୁରନ୍ତ ମରୁଡି ପ୍ୟାକେଜ ଘୋଷଣା କରନ୍ତୁ, ନଚେତ ଲୋକମାନେ ପୋକମାଛି ଭଳି ମରିବେ ଏବଂ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଶ୍ରୀ ସାଲୁଜା ଚେତାଇ ଦେଇଥିଲେ।

OLA

କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଶ୍ରୀ ସାଲୁଜାଙ୍କ ଉକ୍ତିକୁ ସମର୍ଥନ କରି କହିଥିଲେ ଯେ ସାରା ଓଡ଼ିଶାରେ ଏବଂ ବିଶେଷତଃ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମରୁଡ଼ିର ପଦଧ୍ୱନି ଦେଖା ଦେଲାଣି। ଶ୍ରାବଣ ମାସ ହୋଇଗଲା,ବର୍ଷାର ଦେଖା ନାହିଁ, ପିଇବା ଗାଧୋଇବା ଏବଂ ଜଳସେଚନ ପାଇଁ ପାଣି ନାହିଁ। ରାଜସ୍ୱ ମନ୍ତ୍ରୀ କଣ ପ୍ରତିକାରାତ୍ମକ ପଦକ୍ଷେପ ସବୁ ନିଆଯାଇଛି,ସେ ସଂପର୍କରେ ଗୃହକୁ ଜଣାଇବା ଦରକାର। ବାଚସ୍ପତି ରାଜସ୍ୱମନ୍ତ୍ରୀଙ୍କୁ ତୁରନ୍ତ ଗୃହରେ ଏକ ବିବୃତି ଦେବାକୁ ଏବଂ ରାଜସ୍ୱମନ୍ତ୍ରୀଙ୍କ ବିବୃତି ସନ୍ତୋଷଜନକ ନ ହେଲେ ଏକ ଗୃହ କମିଠି ଗଠନ କରି କ୍ଷତିଗ୍ରସ୍ତ ଅଂଚଳ ଗସ୍ତ କରି ଏକ ରିପୋର୍ଟ ଦେବାକୁ ଶ୍ରୀ ମିଶ୍ର ବାଚସ୍ପତିଙ୍କୁ ନିବେଦନ କରିଥିଲେ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ସଂପର୍କରେ ଏବଂ ରୁଲିଂ ଦେଇ ରାଜସ୍ୱ ମନ୍ତ୍ରୀଙ୍କୁ ଦୁଇ ଦିନ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ଓ ରାଜ୍ୟରେ ଅନ୍ୟାନ୍ୟ ସ୍ଥାନରେ ଦେଖା ଦେଇଥିବା ମରୁଡି ପରିସ୍ଥିତି ସଂପର୍କରେ ଏକ ବିବୃତି ଗୃହରେ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର