ଏସ୍ଆଇଡବ୍ଲ୍ୟୁ କାର୍ଯ୍ୟାଳୟରେ ଖୋଲିଲା ଅପରେସନାଲ କଂଟ୍ରୋଲ ରୁମ୍ : ରାଜଧାନୀରେ ବସି ମାଓ ଗତିବିଧି ଉପରେ ରଖିବେ ନଜର

ଭୁବନେଶ୍ବର : ଏଣିକ ରାଜଧାନୀରେ ବସି ମାଓ ଗତିବିଧି ଉପରେ ନଜର ରଖିବ ପୁଲିସ। ଏପରିକି ମାଓ ଅଧ୍ୟୁଷିତ ଅଞ୍ଚଳରେ ମାଓ ଅପରେସନ୍‌ ଚାଲିଥିବାବେଳେ ଏଠାରୁ ସିଧା ସଳଖ ନଜର ରଖିବ ପୁଲିସ। ସେହି ଅନୁଯାୟୀ ମାଓବାଦୀଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ ହେବ ଏବଂ ମୁକାବିଲା ମଧ୍ୟ କରାଯିବ। ଆଜି ଭୁବନେଶ୍ବରଠାରେ ଥିବା ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗ କାର୍ଯ୍ୟାଳୟରେ ଖୋଲିଛି ‘ରାଜ୍ୟ ଅପରେସନାଲ କଂଟ୍ରୋଲ ରୁମ’। ଏହାକୁ ଉଦଘାଟନ କରିଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା।

ମିଳିଥିବା ସୂଚନା ଅନୁଯାୟୀ ଏହି ଅପରେସନାଲ୍‌ କଂଟ୍ରୋଲ ରୁମ ମାଧ୍ୟମରେ ମାଓବାଦୀଙ୍କ ଗତବିଧି ଓ ଅପରେସନ୍ ଆଦି ଉପରେ ନଜର ରଖାଯିବ। ଏହି କଂଟ୍ରୋଲ ରୁମକୁ ପ୍ରାଥମିକ ପର୍ଯ୍ୟାୟ ବିଶେଷକରି ମାଓ ଅଧ୍ୟୁଷିତ ଜିଲ୍ଲା ପୁଲିସ ମୁଖ୍ୟାଳୟ ସହିତ ସଂଯୋଗ କରାଯାଇଛି। କୌଣସି ଘଟଣା ଘଟିବା କ୍ଷଣି ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗ ମଧ୍ୟରେ ଭିଡିଓ ମାଧ୍ୟମରେ ଯୋଗାଯୋଗ ହୋଇ ପାରିବ। ସେହି ଅନୁଯାୟୀ ଜିଲ୍ଲା ପୁଲିସ ଗତଶୀଳ ହେବ। ପ୍ରତି ମିନିଟ୍‌ର ଖବର କଂଟ୍ରୋଲ ରୁମ୍‌ରେ ପହଞ୍ଚିବ। ସେହି ଅନୁଯାୟୀ ଏଠାରେ ଥିବା ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ଜିଲ୍ଲା ପୁଲିସକୁ କ’ଣ କରିବାକୁ ହେବ ନି‌ର୍ଦେଶ ଦେବେ। ସେହିପରି ଗତ କିଛି ଦିନ ତଳେ ଓଡ଼ିଶା ପୁଲିସ ଆଣିଥିବା ଡ୍ରୋନ୍‌କୁ ମଧ୍ୟ ଏହି ଅପରେସନାଲ୍‌ କଂଟ୍ରୋଲ ରୁମ ସହିତ ସଂଯୋଗ କରି ଦିଆଯାଇଛି। କ୍ୟାମେରା ବଣ ଜଙ୍ଗଲରେ ବୁଲି ମାଓବାଦୀଙ୍କ ଗତବିଧି ସୁଟିଂ କରି ସିଧା ସଳଖ ଅପରେସନାଲ୍‌ କଂଟ୍ରୋଲ ରୁମକୁ ପଠାଇ ଦେବ। ଏଠାରେ ଥିବା ଅଧିକାରୀମାନେ ଭିଡିଓରେ ମାଓବାଦୀଙ୍କ ଗତିବିଧି ଦେଖି ତୁରନ୍ତ ଜିଲ୍ଲା ପୁଲିସକୁ କୁମ୍ବିଂ ଅପରେସନ୍‌ କରିବାକୁ ନିର୍ଦେଶ ଦେବେ। ଉଦଘାଟନ ହୋଇଥିବା ଏହି ଅପରେସନାଲ କଂଟ୍ରୋଲ ରୁମ ମାଓବାଦୀଙ୍କ ଗତବିଧି ଉପରେ ତୀକ୍ଷ୍‌ଣ ନଜର ରଖିବା ସହିତ ଅପରେସନ୍‌ରେ ଅନେକ ସହାୟକ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ଏହି ଉଦଘାଟନୀ ଉତ୍ସବରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ, ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମି ନିର୍ଦେଶକ ଅରୁଣ ଷଡ଼ଙ୍ଗୀ, ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ, ଏଡିଜି ଅପରେସନ୍‌ ଆରପି କୋଚେଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର