୨୨ ଦିନରେ ଓଡ଼ିଶା ଆସିଲାଣି ୧୦୧ ଶ୍ରମିକ ଟ୍ରେନ୍‌

କେବଳ ଗୁଜୁରାଟରୁ ୪୮, ରବିବାର ଆସିଛି ୨୪ ଟ୍ରେନ୍, ଆଜି ଆସିବ ୧୪

ଭୁବନେଶ୍ବର : ଲକ୍‌ଡାଉନ୍‌ ପାଇଁ ସାରା ଦେଶରେ ବିମାନ, ରେଳ ସେବା ବନ୍ଦ ହୋଇଯିବାରୁ ଦେଶର ବିଭିନ୍ନ ସ୍ଥାନରେ ଫସିଥିବା ଲକ୍ଷ ଲକ୍ଷ ଓଡ଼ିଆ ଓଡ଼ିଶା ଆସି ପାରିନଥିଲେ। ଏହାପରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ମାଧ୍ୟମରେ ଶ୍ରମିକଙ୍କୁ ଅଣାଯାଉଛି। ଏଥିରେ ୨୨ଦିନରେ ୧୦୧ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଓଡ଼ିଶା ଆସିଛି। ସବୁଠାରୁ ଅଧିକ ଟ୍ରେନ୍‌ ଗୁଜୁରାଟର ସୁରତରୁ ଆସିଛି।

ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମେ ୩ରୁ ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସୁଛି। ଆଜି ସର୍ବାଧିକ ୨୪ଟି ଟ୍ରେନ୍ ଆସିଥିବାବେଳେ ସୋମବାର ୧୪ଟି ଟ୍ରେନ୍‌ ଆସିବ।

ବର୍ତ୍ତମାନ ସୁଦ୍ଧା ଯେତିକି ଟ୍ରେନ୍‌ ଆସିଛି ସେଥିରୁ ପ୍ରାୟ ଅଧା ଟ୍ରେନ୍‌ ଅର୍ଥାତ୍ ୪୮ଟି ଟ୍ରେନ୍ ଗୁଜୁରାଟରୁ ଆସିଛି। ତାହା ପୁଣି ସୁରତ ସହରରୁ ଅଧିକ ଟ୍ରେନ୍ ଆସିଛି। ସୁରତରୁ ଆସିଥିବା ଅଧିକାଂଶ ଟ୍ରେନ୍‌ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନକୁ ଆସିଛି। ସେହିପରି ତେଲେଙ୍ଗାନାରୁ ୧୬, ତାମିଲନାଡୁରୁ ୧୨, ଆନ୍ଧ୍ରପ୍ରଦେଶରୁ ୮, ମହାରାଷ୍ଟ୍ରରୁ ୮, କର୍ଣ୍ଣାଟକରୁ ୫, କେରଳରୁ ୩ ଏବଂ ନୂଆଦିଲ୍ଲୀରୁ ଗୋଟିଏ ଟ୍ରେନ୍ ଆସିଛି।

ଆଗାମୀ ଦିନରେ ଆହୁରି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିବାର ଯୋଜନା ଅଛି। ସୂଚନାଯୋଗ୍ୟ ଯେ ଗୋଟିଏ ‌ଟ୍ରେନ୍‌ରେ ପ୍ରାୟ ୧୨୦୦ ଶ୍ରମିକ ଏକସଙ୍ଗେ ଆସୁଛନ୍ତି। ଏଥିରେ ଆସୁଥିବା ଲୋକମାନେ ନିଜ ଅଞ୍ଚଳରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଯିବାର ନିୟମ ହୋଇଛି।

ସମ୍ବନ୍ଧିତ ଖବର