ପ୍ରତିବର୍ଷ ହେବ ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ୱର : ଚଳିତବର୍ଷରୁ ପ୍ରତିବର୍ଷ ରାଜ୍ୟରେ ଦ୍ୱିତୀୟ ବା ସ୍ୱତନ୍ତ୍ର ଓଜେଇଇ ହେବ। ଜେଇଇ ମେନ୍‌ ର‍୍ୟାଙ୍କ ଅନୁଯାୟୀ ନାମ ଲେଖା ଶେଷ ହେବା ପରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ଏହି ଏଣ୍ଟ୍ରାନ୍ସ ହେବ। ଏଥିରେ ବି.ଟେକ୍‌ ପ୍ରଥମ ବର୍ଷ, ଲ୍ୟାଟେରାଲ ଏଣ୍ଟ୍ରି ବି.ଟେକ୍‌, ଏମ୍‌ବିଏ, ଏମ୍‌ସିଏ ଆଦି ପାଠ୍ୟକ୍ରମରେ ନାମ ଲେଖାଇ ହେବ। ଏହି ଏଣ୍ଟ୍ରାନ୍ସ ପ୍ରତିବର୍ଷ ଜୁନ୍‌ କିମ୍ବା ଜୁଲାଇ ମାସରେ ହେବ। ଏହାକୁ ଓଜେଇଇ କର୍ତ୍ତୃପକ୍ଷ ପରିଚାଳନା କରିବେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ବୈଷୟିକ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟଙ୍କ ରାୟ ଏବଂ ଓଡ଼ିଶା ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ (ନାମ ଲେଖା ଏବଂ ଫି’ ଧାର୍ଯ୍ୟ ନିୟମ)ର ଧାରା ୩(୧) ଅନୁଯାୟୀ, ପ୍ରତିବର୍ଷ ରାଜ୍ୟରେ ଦ୍ୱିତୀୟ ବା ସ୍ୱତନ୍ତ୍ର ଓ-ଜେଇଇ ହେବ। ଏହାଦ୍ୱାରା ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ପ୍ରତିବର୍ଷ ଦ୍ୱିତୀୟ ଓ-ଜେଇଇ ନେଇ ହାଇକୋର୍ଟ ବିଳମ୍ବରେ ନିର୍ଦ୍ଦେଶ ଦେଉଥିବା ବେଳେ ଏଣ୍ଟ୍ରାନ୍ସ, ର‍୍ୟାଙ୍କ ପ୍ରକାଶ ଏବଂ ନାମଲେଖା ଶେଷ ହେଲାବେଳକୁ ଅକ୍ଟୋବର ମାସ ହୋଇଯାଉଛି। ତେଣୁ ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ କଲେଜରେ ଖାଲି ପଡ଼ୁଥିବା ସିଟ୍‌କୁ ନଜରରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ଏଣ୍ଟ୍ରାନ୍ସରେ ଯେପରି ଅଧିକ ଛାତ୍ରଛାତ୍ରୀ ସାମିଲ୍‌ ହେବେ ସେଥିପାଇଁ ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ। ଏଣ୍ଟ୍ରାନ୍ସ କେବେ ହେବ, ରେଜଲ୍ଟ କେବେ ପ୍ରକାଶ ପାଇବ, କାଉନସିଲିଂ କିପରି ହେବ, ପାଠପଢ଼ା କେବେ ଆରମ୍ଭ ହେବ ସେନେଇ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଓ-ଜେଇଇ କମିଟିକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇବା ପାଇଁ ପ୍ରତି ବର୍ଷ ସର୍ବଭାରତୀୟ ସ୍ତରରେ ଜେଇଇ-ମେନ୍‌ ହେଉଛି। ଜେଇଇ-ମେନ୍‌ ର‍୍ୟାଙ୍କ ଅନୁଯାୟୀ ଇଞ୍ଜିନିୟରିଂ କଲେଜରେ ନାମ ଲେଖା ହେଉଛି। କିନ୍ତୁ ଆମ ରାଜ୍ୟରେ ଇଞ୍ଜିନିୟରିଂ କଲେଜରେ ଅଧାରୁ ଅଧିକ ସିଟ୍‌ ଖାଲି ପଡ଼ୁଥିବାରୁ ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛି। ଏହାପରେ ରାଜ୍ୟରେ ଦ୍ୱିତୀୟ ଓ-ଜେଇଇ ହେଉଛି। ରାଜ୍ୟ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଦ୍ୱାରା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘକୁ ପ୍ରତିବର୍ଷ ଦ୍ୱିତୀୟ ବା ସ୍ୱତନ୍ତ୍ର ଓଜେଇଇ ପାଇଁ ଆଉ ହାଇକୋର୍ଟକୁ ଯିବାକୁ ପଡ଼ିବନି।

ସମ୍ବନ୍ଧିତ ଖବର