ଏସ୍‌ଆରସି ଅର୍ଥ ବାଟମାରଣା : ୪୦ ଲକ୍ଷର ବୋଟ୍‌ ୪୦ ହଜାରରେ ନିଲାମ

ଯାଜପୁରରୋଡ୍‌ : ବନ୍ୟା ପ୍ରବଣ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ, ପୁରୀ, ବାଲେଶ୍ୱର ଓ ଗଞ୍ଜାମ ଭଳି ଜିଲ୍ଲାରେ ସ୍ୱତନ୍ତ୍ର ରିଲିଫ୍‌ କମିସନ (ଏସ୍‌ଆର୍‌ସି)ଙ୍କ ଅର୍ଥ ବାଟମାରଣା ହୋଇଛି। ଏହି ଅର୍ଥରେ କିଣା ଯାଇଥିବା ଡଙ୍ଗାକୁ ଶାଗମାଛ ମୂଲ୍ୟରେ ନିଲାମ କରାଯାଇଛି। ଏ ବାବଦରେ କୋଟିକୋଟି ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏସ୍‌ଆର୍‌ସିଙ୍କ ଅର୍ଥରେ ଏକ ଇବ୍‌ ଫାଇବର୍‌ ବୋଟ୍‌ କିଣା ଯାଇଥିଲା। ଏହାର ମୂଲ୍ୟ ହେଉଛି ୪୦ ଲକ୍ଷ ଟଙ୍କା। ୨୦୧୧ ମସିହାରେ ଏହାକୁ ମାତ୍ର ୪୦ ହଜାର ଟଙ୍କାରେ ନିଲାମ କରାଯାଇଛି। ସେହିପରି ୪୦ ରୁ ୫୦ ଲକ୍ଷ ଟଙ୍କାରେ କ୍ରୟ ହୋଇଥିବା ବୋଟ୍‌ ଗୁଡ଼ିକ ମଧ୍ୟରେ ଋଷିକୁଲ୍ୟା(ଅସ୍ତରଙ୍ଗ), ମହାନଦୀ ଓ ବିରୁପା(ମହାକାଳପଡ଼ା), ଦେବୀ(ରସୁଲପୁର), ଦୟା ଓ କନ୍ଦଳ(ବଡ଼ଚଣା), ନାଗବଳୀ, ଖରସ୍ରୋତା ଓ ଶଙ୍ଖ(ଚାନ୍ଦବାଲି), ବୈତରଣୀ(ପଟ୍ଟାମୁଣ୍ଡାଇ) ଓ କୋଇଲି(ଆଳି), କାଠଯୋଡ଼ି(ରାଜନଗର) ଓ ଧାମରା(ବରୀ) ପଚା ସାଗ ମାଛ ଦାମରେ ମାତ୍ର ୪ହଜାରରୁ ୮ହଜାର ଟଙ୍କାରେ ନିଲାମ କରାଯାଇଛି। ଏହାସହିତ ୧ ରୁ ୨୦ଟି କାଠ ବୋଟ୍‌ ମଧ୍ୟ ୨୦୧୧ରେ ନିଲାମ କରାଯାଇଥିଲା। ଏହି ନିଲାମ୍‌ରେ ୩୦ ଟନ୍‌ ଲୁହା, ତମ୍ବା ଓ ପିତ୍ତଳ, କାଠ ସାମଗ୍ରୀଙ୍କୁ ଅତି କମ୍‌ ଦାମରେ ନିଲାମ କରି ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ଘୋଟାଲା କରିଛନ୍ତି। ପ୍ରତି ବୋଟରେ ୧ କ୍ୱିଣ୍ଟାଲରୁ ଅଧିକ ପିତ୍ତଳ, ତମ୍ବା, ଲୁହା ସାମଗ୍ରୀ ଲାଗି ଥିବା ବେଳେ ୪ ରୁ ୮ହଜାର ଟଙ୍କାରେ କିପରି ନିଲାମ ହେଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେହିଭଳି, କେନ୍ଦ୍ରାପଡ଼ାର ମାର୍ଶାଘାଇ ବ୍ଲକ୍‌ରେ ଥିବା ଏଏଲ୍‌-୪୧ ଓ ୪୨ ବୋଟ୍‌ ରେ ଲକ୍ଷ ଲକ୍ଷ ଟଙ୍କା ମରାମତି ନାମରେ ଦୁର୍ନୀତି ହୋଇଛି। କେବଳ ରଙ୍ଗ ବୋଳାଯାଇ ଏହି କାରବାର ହୋଇଛି। ୮୧ଟି ବୋଟ୍‌ ମରାମତି ବାବଦରେ ୮୯.୪୩ଲକ୍ଷ ଟଙ୍କା ହରିଲୁଟ୍‌ ହୋଇଛି। ୨୦୧୨-୧୩ ରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଗୋଟିଏ ଗୋଟିଏ ବୋଟ ବାବଦରେ ମିଥ୍ୟା ବିଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ମରାମତି ନାମରେ ଖର୍ଚ ହୋଇଛି। ଯେଉଁ ଫାର୍ମ ନାମରେ ଆଲୁମିନିୟମ ବୋଟ ମରାମତି କରାଯାଉଛି ସେଭଳି କୌଣସି ସଂସ୍ଥା କଟକରେ ନାହିଁ କିମ୍ବା ଓ୍ଵାର୍କସପ୍‌ ନାହିଁ। ଜଣେ ଖଲାସୀ କଟକରେ ନିଜର ସଂପର୍କୀୟ ନାମରେ କେବଳ କାଗଜପତ୍ରରେ ଏକ ଫାର୍ମ କରି ବୋଟ୍‌ ମରାମତି ନାମରେ ଏଥି ମଧ୍ୟରେ କୋଟି କୋଟି ଟଙ୍କା ହରିଲୁଟ୍‌ କରିଥିବା କ୍ରାଇମ୍‌ ବ୍ରାଞ୍ଚରେ ଅଭିଯୋଗ ହୋଇଛି। ବିପନ୍ନଙ୍କ ନାମରେ ଚାଲିଥିବା ଏହି ହରିଲୁଟ୍‌ ଘଟଣାର ଯଦି ଏସଆରସି ସ୍ୱତନ୍ତ୍ର ତଦନ୍ତ କରନ୍ତି ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ବହୁ କର୍ମଚାରୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର