ଯାତ୍ରୀ ଭିଡ଼ କମାଇବାକୁ ୨ ସ୍ୱତନ୍ତ୍ର ଟ୍ରେନ୍‌ର ଶୁଭାରମ୍ଭ : ଟ୍ରେନ୍‌ରେ ମାଗଣାରେ ପଠାଇ ହେବ ରିଲିଫ ସାମଗ୍ରୀ

ଭୁବନେଶ୍ୱର : ଅତ୍ୟଧିକ ଯାତ୍ରୀ ଭିଡ଼କୁ କମାଇବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭଡ଼ା ନିର୍ଧାରିତ ୨ଟି ସ୍ୱତନ୍ତ୍ର ଟ୍ରେନ୍‌ର ଆଜି ଶୁଭାରମ୍ଭ ହୋଇଛି। ଏହି ଦୁଇଟି ଟ୍ରେନ୍‌ କେରଳର ଏର୍ଣ୍ଣାକୁଲମ୍‌ରରୁ ପଶ୍ଚିମବଙ୍ଗର ସାନ୍ତ୍ରାଗାଚ୍ଛି ଯାତ୍ରା କରିବ। ଟ୍ରେନ୍‌ ଦୁଇଟି ଭାୟା ତ୍ରିବେନ୍ଦ୍ରମ୍‌-ଚେନ୍ନାଇ ଏଗ୍‌ମୋର୍‌-ବିଜୟଓ୍ଵାଡ଼ା-ଭୁବନେଶ୍ୱର ଖଡ଼ଗପୁର ଦେଇ ଯାତ୍ରା କରିବ। ସେହିପରି ଏହି ଟ୍ରେନ୍‌ ଦୁଇଟି ପୂର୍ବତଟ ରେଳବାଇ ଅଧୀନ ଦୁଭାଡା, ବିଜୟନଗରମ୍‌, ଶ୍ରୀକାକୁଲମ୍‌, ପଲାସା, ବ୍ରହ୍ମପୁର, ଖୋର୍ଧା ରୋଡ୍‌, ଭୁବନେଶ୍ୱର, କଟକ ଓ ଭଦ୍ରକରେ ରହଣି କରିବ। ୨୧ତାରିଖ ଦିନ ଏର୍ଣ୍ଣାକୁଲମ-ସାନ୍ତ୍ରାଗାଚ୍ଛି (ନମ୍ବର-୦୬୦୧୮) ସ୍ୱତନ୍ତ୍ର ଟ୍ରେନଟି ଭୁବନେଶ୍ୱରରେ ସକାଳ ସାଢ଼େ ୭ଟାରେ ପହଞ୍ଚିବା ପରେ ସକାଳ ୭ଟା ୩୫ରେ ସାନ୍ତ୍ରାଗାଚ୍ଛି ଅଭିମୁଖେ ଯାତ୍ରା କରିବ। ସେହି ଦିନ ଏର୍ଣ୍ଣାକୁଲମ-ସାନ୍ତ୍ରାଗାଚ୍ଛି (ନମ୍ବର ୦୬୦୨୨) ସ୍ୱତନ୍ତ୍ର ଟ୍ରେନଟି ଭୁବନେଶ୍ୱରରେ ପୂର୍ବାହ୍ନ ୧୧ଟା ୩୩ରେ ପହଞ୍ଚିବା ପରେ ୧୧ଟା ୩୮ରେ ସାନ୍ତ୍ରଗାଚ୍ଛି ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ଯଦି କୌଣସି ସରକାରୀ ବା ବେସରକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ କେରଳର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ ସାମଗ୍ରୀ ପଠାଇବାକୁ ଚାହୁଁଥିବେ ସେମାନେ ଟ୍ରେନ୍‌ ଯୋଗେ ବିନା ମୂଲ୍ୟରେ ଏହାକୁ ପଠାଇ ପାରିବେ। ଡିଆରଏମ୍‌ମାନେ ଏନେଇ ଅନୁମତି ଦେବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପୂର୍ବତଟ ରେଳପଥ ଅଧୀନରେ ଖୋର୍ଦ୍ଧା ରୋଡ ଡିଭିଜନ, ସମ୍ବଲପୁର, ବିଶାଖାପାଟଣା ଡିଭିଜନର ସିନିଅର ଡିଭିଜନାଲ କମର୍ସିଆଲ ମ୍ୟାନେଜରମାନଙ୍କୁ ଯୋଗାଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର