ଜଗା-ବଳିଆଙ୍କ ପାଇଁ ଏସ୍‌ସିବିରେ ପ୍ରସ୍ତୁତି, ୬ଜଣିଆ ବିଶେଷଜ୍ଞ ଟିମ୍‌ ବୈଠକ ଆଜି

କଟକ : କେବେ ଏସ୍‌ସିବିରେ ପହଞ୍ଚିବେ ଜଗା-ବଳିଆ, ସେନେଇ ଏସ୍‌ସିବିକୁ ଆସିନି ଚିଠି। କିନ୍ତୁ ଜଗା-ବଳିଆ ଆସିବା ନେଇ ଆ‌ରମ୍ଭ ହୋଇଛି ପ୍ରସ୍ତୁତି। ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ର ବୈଠକ ମଙ୍ଗଳବାର ବସିବ ବୋଲି ଜଣାପଡିଛି। ବୈଠକରେ ଜଗା-ବଳିଆଙ୍କୁ କେଉଁଠାରେ ରଖାଯିବ, କେଉଁ ବିଭାଗ ଅଧିନରେ ସେମାନେ ଚିକିତ୍ସିତ ହେବେ ଓ ଟିମ୍‌ରେ ଅନ୍ୟ କେଉଁ କେଉଁ ବିଭାଗକୁ ସାମିଲ କରାଯିବ, ସେନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ଏହି ଟିମ୍‌ ନେବାର ଯୋଜନା ରହିଛି। ତେବେ ଯେହେତୁ ବଳିଆକୁ ଏବେବି ପାଇପ୍‌ ଜରିଆରେ ଖାଦ୍ୟ ଦିଆଯାଉଛି, ତେଣୁ ଏନେଇ ଶିଶୁଭବନର ବିଶେଷଜ୍ଞ ଡାକ୍ତରଙ୍କୁ ମଧ୍ୟ ସାମିଲ କରାଯିବ‌ା ଯୋଜନା ରହିଛି।

ସୂଚନାନୁସାରେ, ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରାଗଲା ଦିଲ୍ଲୀ ଏମ୍‌ସରେ। ତେବେ ଦିଲ୍ଲୀ ଏମ୍‌ସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ ମେଡିକାଲକୁ ଅଣାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏସ୍‌ସିବିରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଅଧୀକ୍ଷକଙ୍କ ଦ୍ବାରା ଏକ ଟିମ୍‌ ଗଠନ କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ରେ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର କୈଳାସ ମହାପାତ୍ର, ଶିଶୁ ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ବେହେରା, ନ୍ୟୁରୋଲୋଜି ବିଭାଗ ଏଚ୍‌ଓଡି ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକ, ନ୍ୟୁରୋସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ସଞ୍ଜିବ୍‌ ମିଶ୍ର, ଜରୁରିକାଳୀନ ମେଡିକାଲ ଅଫିସର ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ତେବେ ଟିମ୍‌ରେ ଅଧିକ ସଂଖ୍ୟକ ଡାକ୍ତର ଓ ବିଭିନ୍ନ ବିଭାଗ ଡାକ୍ତରଙ୍କ ଆବଶ୍ୟକତା ଥିବାରୁ ଅଧିକ ୧୨ରୁ ୧୫ଜଣ ଡାକ୍ତର ଓ ଶିଶୁଭବନ ଡାକ୍ତରଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରିବା ନେଇ ଯୋଜନା ରହିଛି। ଯେହେତୁ ଉଭୟଙ୍କ ଚିକିତ୍ସା କ୍ଷେତ୍ରରେ ଡାଏଟ୍‌, ନ୍ୟୁଟ୍ରେସନ୍‌, ସଂକ୍ରମଣ ରୋକିବାକୁ ଅଧିକ ପ୍ରାଥମିକତା ଦିଆଯାଉଛି, ତେଣୁ ତାର ଚିକିତ୍ସା ପାଇଁ କି’ପ୍ରକାର ପଦକ୍ଷେପ ନିଆଯିବ ଉପରେ ଜୋର ଦିଆଯାଇଛି। ଏପରିକି, ସ୍ବତନ୍ତ୍ର ପାରା ମେଡିକାଲ ଟିମ୍‌, ପେଡିଟିକ୍‌ ଟ୍ରେଣ୍ଟ ସିଷ୍ଟରଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯିବ ବୋଲି ଏସ୍‌ସିବି ଜରୁରିକାଳୀନ ମେଡିକାଲ ଅଫିସର ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର