ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ବ୍ରିଟିସ୍‌ ସଂସଦୀୟ ବକ୍ତୃତାମାଳା : ହିଦୟାତୁଲା ଛତିଶଗଡ଼ ଓ ଆଇଆଇଟି ଖଡ଼ଗପୁର ଯୁଗ୍ମ ବିଜେତା

କଟକ : ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଦୁଇ ଦିନିଆ ଚତୁର୍ଥ ବ୍ରିଟିଶ ସଂସଦୀୟ ବକ୍ତୃତାମାଳା(ବ୍ରିଟିସ୍‌ ପାର୍ଲାମେଣ୍ଟାରୀ ଡିବେଟ୍) ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଆ‌ଇନ ଓ ବାଣିଜ୍ୟ ବିଶ୍ବବିଦ୍ୟାଳୟ ତଥା କଲେଜର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥି‌ଲେ। ରାଜନୀତି, ଶିକ୍ଷା, ସ୍ବାସ୍ଥ୍ୟ, ବୈଷୟିକ ଜ୍ଞାନକୌଶଳ ଆଦି ବିଭିନ୍ନ ଶୀର୍ଷକ ବିଷୟ ଉପରେ ବିତର୍କ ହୋଇଥିଲା। ଏଥିପାଇଁ ୩୨ଟି ଟିମ୍‌ରେ ଛାତ୍ରଛାତ୍ରୀଙ୍କୁ ବିଭକ୍ତ କରାଯାଇଥିଲା। ୭ଟି ପର୍ଯ୍ୟାୟରେ ବିତର୍କ ପ୍ରତିଯୋଗିତା ହୋଇଥିଲା। ଅନ୍ତିମ ପର୍ଯ୍ୟାୟରେ ଆଇଆଇଟି ଖଡଗପୁର-ହିଦୟାତୁଲା ଛତିଶଗଡ଼ ଜାତୀୟ ଆଇନ କଲେଜ ଏବଂ ନ୍ୟାସନାଲ ୟୁନିଭରସିଟି ଅଫ୍‌ ଜୁରିଡିସିଆଲ ସାଇନ୍ସସେସ୍, କୋଲକାତା-ଜାଭିୟର୍ସ, କଲକୋତା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ହିଦାୟତୁଲା ଛତିଶଗଡ଼ ଜାତୀୟ ଆଇନ କଲେଜ ଓ ଆଇଆଇଟି ଖଡଗପୁର ଯୁଗ୍ମ ବିଜେତା ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର କ୍ରୀଷ୍ଣା ଦେବରାଓ ଓ ସମ୍ମାନିତ ଅତିଥି ଭାବେ ଆକାଶ କୁମାର ଯୋଗ ଦେଇ ଯୁଗ୍ମ ବିଜେତାଙ୍କୁ ୧ ଲକ୍ଷ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଶ୍ରୀରାମ ମହିଳା କଲେଜ, ନିୟୁ ଦିଲ୍ଲୀର ଛାତ୍ରୀ ଅନୁସୟା ରାଧିକା ଦେବଶର୍ମା, ଏନ୍‌ଏଏଲ୍‌ଏସ୍‌ଏଆର୍‌ ଆଇନ ବିଶ୍ବବିଦ୍ୟ‌ାଳୟ, ହାଇଦ୍ରାବାଦ ଛାତ୍ରବରୁଣ ବାଲିଗା, ନ୍ୟାସନାଲ ଲ’ ସ୍କୁଲ, ବେଙ୍ଗାଲୁରୁର ଛାତ୍ର ଉସୌ ଚେର୍‌ ଓ ପ୍ରେରଣା କାପୁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର