ପୁରୀ, ଚାନ୍ଦିପୁର, ହୀରାକୁଦକୁ ଉଡ଼ିବ ସି-ପ୍ଲେନ୍‌ : ଚିଲିକା, ଭିତରକନିକା, ହୀରାକୁଦରେ ଏବେ ଓ୍ଵାଟର ଏରୋଡ୍ରମ୍‌, ତିନିଟି ରୁଟ୍‌ରେ ସି-ପ୍ଲେନ୍‌ ଉଡ଼ାଣ କରିବ ସ୍ପାଇସ୍‌ ଜେଟ୍‌

ଭୁବନେଶ୍ୱର : ଚିଲିକାରେ ‘ଓ୍ଵାଟର ଏରୋଡ୍ରମ’ କରିବାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ସର୍ଭେ କରି ଯିବା ପରେ ଏବେ ସ୍ପାଇସ୍‌ ଜେଟ୍‌ ତିନିଟି ରୁଟ୍‌ରେ ସି-ପ୍ଲେନ୍‌ ଉଡ଼ାଣ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଗାମୀ ଦିନରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାକୁ ଥିବାରୁ ଏବଂ ପର୍ଯ୍ୟଟନ ଭିତ୍ତିଭୂମି ଦୃଷ୍ଟିରୁ ଚିଲିକା ସମେତ ଭିତରକନିକା ଜାତୀୟ ଉଦ୍ୟାନ ଏବଂ ହୀରାକୁଦ ଡ୍ୟାମ୍‌ରେ ଓ୍ଵାଟର୍‌ ଏରୋଡ୍ରମ କରିବାକୁ ସ୍ପାଇସ୍‌ ଜେଟ୍‌ ପ୍ରସ୍ତାବ ଦେଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦବାଲି ଭାୟା ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଭୁବନେଶ୍ୱରରୁ ହୀରାକୁଦ ଡ୍ୟାମ୍‌କୁ ସି-ପ୍ଲେନ୍‌ ଉଡ଼ାଣ କରିବ।

ସ୍ପାଇସ୍‌ ଜେଟ୍‌ ଲିମିଟେଡର ଅଧ୍ୟକ୍ଷଙ୍କ ଉପଦେଷ୍ଟା ଶାନ୍ତନୁ କାଲିତା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି ଲେଖି ଉପରୋକ୍ତ ପ୍ରସ୍ତାବ ଦେଇଛନ୍ତି। ସ୍ପାଇସ୍‌ ଜେଟ୍‌ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ପକ୍ଷରୁ ହୋଇଥିବା ସର୍ଭେରେ ଜଣାପଡ଼ିଛି ଯେ, ଆଗାମୀ ଦିନରେ ଓଡ଼ିଶାରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବହୁତ ବଢ଼ିବ। କିନ୍ତୁ କେତେକ ଅଞ୍ଚଳରେ ଭିତ୍ତିଭୂମି ଅଭାବରୁ ବଡ଼ ରନେଓ୍ଵ ଥିବା ବିମାନବନ୍ଦର ନିର୍ମାଣ କରିବା ସମ୍ଭବ ନୁହେଁ। ବିମାନ ଯାତ୍ରୀଙ୍କ ବୃଦ୍ଧି ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଓଡ଼ିଶାର ବିଭିନ୍ନ ସ୍ଥାନକୁ ସ୍ପାଇସ୍‌ ଜେଟ୍‌ ସି-ପ୍ଲେନ୍‌ ଉଡ଼ାଣ କରିବାକୁ ଚାହୁଁଛି। ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଏନେଇ ଡିପିଆର୍‌ ପ୍ରସ୍ତୁତ ହୋଇଥିବାବେଳେ ପ୍ରାରମ୍ଭିକ ଫିଜିବିଲିଟି ଷ୍ଟଡି ଶେଷ ହୋଇଛି। ଉପରୋକ୍ତ ତିନିଟି ସ୍ଥାନରେ ଓ୍ଵାଟର ଏରୋଡ୍ରମ ହେଲେ ସ୍ପାଇସ୍‌ ଜେଟ୍‌ ଆବଶ୍ୟକୀୟ ଭିତ୍ତିଭୂମି ସୁଦୃଢ କରିବ। ଏହାସହ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଏବଂ କର୍ମଚାରୀ ନିଯୁକ୍ତି କରିବ ବୋଲି ପ୍ରସ୍ତାବ ଦେଇଛି। ସ୍ପାଇସ୍‌ ଜେଟ୍‌ ଦେଶର ବିଭିନ୍ନ ସ୍ଥାନରେ ଓ୍ଵାଟର ଏରୋଡ୍ରମ ନିର୍ମାଣ କରିବାକୁ ଯୋଜନା କରିଥିବାବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦେବାକୁ ନିଷ୍ପତ୍ତି ନେଇଛି।

ସ୍ପାଇସ୍‌ ଜେଟ୍‌ ପ୍ରସ୍ତାବ ଉପରେ ରାଜ୍ୟ ସରକାର ଚାହିଁଲେ ଆଲୋଚନା କରି ଆବଶ୍ୟକୀୟ ସଂଶୋଧନ କରିପାରିବେ। ଆବଶ୍ୟକସ୍ଥଳେ ରାଜ୍ୟ ସରକାର ଯଦି ଚାହିଁବେ ରୁଟ୍‌ ପରିବର୍ତ୍ତନ କରିପାରିବେ ଏବଂ ପରାମର୍ଶ ଦେଇପାରିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୧୪ ଓ ୧୫ତାରିଖରେ ଭାରତୀୟ ବିମାବନ୍ଦବନ୍ଦର କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକ (ଆର୍କିଟେକ୍ଟ) ସଙ୍ଗୀତା ମହାୟଙ୍କ ନେତୃତ୍ୱରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀ, ସ୍ପାଇସ୍‌ ଜେଟ୍‌, ଭୁବନେଶ୍ୱର ପାଣିପାଗ କେନ୍ଦ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍‌ ଚିଲିକାରେ ଓ୍ଵାଟର ଏରୋଡ୍ରମ୍‌ ନିର୍ମାଣ ପାଇଁ ପ୍ରାରମ୍ଭିକ ସର୍ଭେ, ଫିଜିବିଲିଟି ଷ୍ଟଡି କରି ଯାଇଥିଲେ। ଏହାପରେ ରାଜ୍ୟରେ ଓ୍ଵାଟର ଏରୋଡ୍ରମ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର