ହୀରାକୁଦରେ ନିର୍ମାଣ ହେବ ଆଉ ଏକ ସ୍ପିଲ୍‌ଓ୍ଵ , ୩୬୯ କୋଟି ଟଙ୍କାର ଟେଣ୍ଡର୍‌କୁ କ୍ୟାବିନେଟ୍‌ ମଞ୍ଜୁରି

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରେ ନିର୍ମାଣ ହେବ ଆଉ ଏକ ସ୍ପିଲ୍‌େଓ୍ଵ(ନିର୍ଗମନ ପଥ)। ହୀରାକୁଦ ବନ୍ଧର ବାମ ପାର୍ଶ୍ୱସ୍ଥିତ ଗାନ୍ଧୀପାହାଡ଼ ନିକଟରେ ଏହାର ନିର୍ମାଣ କରାଯିବ। ଏଥି ପାଇଁ ଖର୍ଚ୍ଚ ହେବ ୩୬୯ କୋଟି ୫୩ ଲକ୍ଷ ଟଙ୍କା। ହୋଇଥିବା ଟେଣ୍ଡର୍‌ ପ୍ରକ୍ରିୟାରେ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ଟାଟା ପ୍ରୋଜେକ୍ଟ୍‌କୁ ଏହି ପ୍ରକଳ୍ପ ପ୍ରଦାନ କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ହୀରାକୁଦ ଜଳଭଣ୍ଡାରରେ ଏବେ ଦୁଇଟି ସ୍ପିଲ୍‌େଓ୍ଵ ସହ ସମୁଦାୟ ୯୮ଟି ଗେଟ୍‌ ମଧ୍ୟ ଦେଇ ଜଳ ନିଷ୍କାସନର ସୁବିଧା ଅଛି। ବାମ ପାର୍ଶ୍ୱ ସ୍ପିଲ୍‌େଓ୍ଵରେ ୪୦ଟି ସ୍ଲୁଇସ୍‌ ଗେଟ୍‌ ଓ ୨୧ଟି କ୍ରେଷ୍ଟ୍‍ ଗେଟ୍‌ ଅଛି। ସେହିପରି ଦକ୍ଷିଣ ପାର୍ଶ୍ୱ ସ୍ପିଲ୍‌େଓ୍ଵରେ ୨୪ଟି ସ୍ଲୁଇସ୍‌ ଗେଟ୍‌ ଓ ୧୩ଟି କ୍ରେଷ୍ଟ୍‍ ଗେଟ୍‌ ଅଛି। ଉଭୟ ସ୍ପିଲ୍‌େଓ୍ଵର ଜଳ ନିଷ୍କାସନ କ୍ଷମତା ସେକେଣ୍ଡ୍‌ ପ୍ରତି ୪୨,୪୫୦ ଘନ ମିଟର। କେବଳ ଜରୁରିକାଳୀନ ସମୟ ବ୍ୟତୀତ ପରିଚାଳନାଗତ କଟକଣା ଯୋଗୁଁ ୧୧ଟି ସ୍ଲୁଇସ୍‌ ଗେଟ୍‌ ଓ ୯ଟି କ୍ରେଷ୍ଟ୍‍ ଗେଟ୍‌ ପରିଚାଳନା କରାଯାଏ ନାହିଁ। ତେଣୁ ହୀରାକୁଦ ଜଳଭଣ୍ଡାରର ସାଧାରଣ ନିରାପଦ ନିଷ୍କାସନ କ୍ଷମତା ସେକେଣ୍ଡ୍‌ ପ୍ରତି ୩୩,୦୬୬ ଘନମିଟରରେ ସୀମିତ ରଖାଯାଇଛି। ଜଳଭଣ୍ଡାରରେ ଏବେ ଥିବା ସ୍ପିଲ୍‌େଓ୍ଵରେ ଆକଳିତ ବନ୍ୟାଜଳ ଯଦି ଜଳଭଣ୍ଡାର ମଧ୍ୟ ଦେଇ ଛଡ଼ାଯାଏ, ତେବେ ହୀରାକୁଦ ବନ୍ଧ ଉପର ଦେଇ ଜଳପ୍ରବାହ ହୋଇ ବନ୍ଧ ଭାଙ୍ଗିଯିବାର ଆଶଙ୍କା ରହିଛି। ଫଳରେ ତଳମୁଣ୍ଡରେ ଥିବା ସହର/ଗ୍ରାମ ହୀରାକୁଦ, ସମ୍ବଲପୁର, କଟକ, ବୁର୍ଲା, ଜଗତପୁର ଓ ଭୁବନେଶ୍ୱର ଆଖପାଖ ଅଞ୍ଚଳରେ ଧନଜୀବନ ପ୍ରତି ବିପଦ ରହିଛି। ସଦ୍ୟତମ ତଥ୍ୟ ଆଧାରରେ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ୧୯୯୭ ଓ ୨୦୧୪ ମସିହାରେ ବନ୍ୟାଜଳ ପ୍ରବାହର ପୁନର୍ବାର ଅନୁଧ୍ୟାନ କରିବା ପରେ ବନ୍ୟା ଜଳ ପ୍ରତି ସେକେଣ୍ଡ୍‌ରେ ୬୯,୬୩୨ ଘନମିଟର ପୁନଃ ଆକଳନ କଲେ। ତେଣୁ ସିଡବ୍ଲ୍ୟୁସି ପକ୍ଷରୁ ଉପଯୁକ୍ତ ସ୍ଥାନରେ ଅତିରିକ୍ତ ସ୍ୱିଲ୍‌େଓ୍ଵ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଶ୍ୱବ୍ୟାଙ୍କ ମଧ୍ୟ ଏହି ସ୍ପିଲ୍‌େଓ୍ଵ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ପରେ ଆବଶ୍ୟକ ବୈଷୟିକ ପ୍ରକ୍ରିୟା କରାଯାଇ ଅତିରିକ୍ତ ସ୍ପିଲ୍‌େଓ୍ଵ ନିର୍ମାଣ ପାଇଁ ୩୭୭ କୋଟି ୩୭ ଲକ୍ଷ ଟଙ୍କାରେ ଟେଣ୍ଡର୍‌ ଡକାଗଲା। ଏଥିରେ ଦୁଇଟି ସଂସ୍ଥା ଭାଗ ନେଇଥିଲେ। ଟାଟା ପ୍ରୋଜେକ୍ଟ୍‌ ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨.୦୮ ପ୍ରତିଶତ କମ୍‌ ମୂଲ୍ୟରେ ଟେଣ୍ଡର୍‌ ପକାଇଥିଲା। ବିଶ୍ୱବ୍ୟାଙ୍କ ପକ୍ଷରୁ ଏଥି ପାଇଁ ସଂପୃକ୍ତ ସଂସ୍ଥା ଏନ୍‌ଓସି ବି ଲାଭ କରିଛି। ଆଜି କ୍ୟାବିନେଟ୍‌ରେ ଏହାକୁ ମଞ୍ଜୁରୀ ମିଳିଛି।

ସମ୍ବନ୍ଧିତ ଖବର