ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯିବ, ପ୍ରଥମ ଶ୍ରେଣୀରୁ ପଢ଼ା ହେବ ସ୍ପୋକନ୍ ଇଂଲିସ୍

ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ୍ ଇଂଲିସ୍ ଶିକ୍ଷା । ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବ ମାନଙ୍କ ମଧ୍ୟରେ ଆଗ୍ରହ ସୃ୍ଷ୍ଟି କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଥିସହ ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀରୁ ଇଂଲିଶ ମିଡିୟମ ସେକ୍ସନ ଖୋଲାଯିବ । ଏହି ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବିଦ୍ୟାଳୟ ଶିକ୍ଷାରେ ସୁଧାର ଆଣିବା ଉପରେ ଏବେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଯେଉଁଥିପାଇଁ ବିଦ୍ୟାଳୟ ଗୁଡିକର ପରିଚାଳନାରେ ଉନ୍ନତି ଆଣିବା ସହ ଶିକ୍ଷାଦାନରେ ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ରାଜ୍ୟ ସରକାର । ଏହାଛଡା ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଶିକ୍ଷକ ଅଭାବ ସମସ୍ୟା ଦୂର ହେବା ସହ ଶିକ୍ଷାଦାନରେ ବଡ ପରିବର୍ତ୍ତନ ଆସିପାରିବ । ସ୍ଥାନାନ୍ତରିତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଏସକର୍ଟ ଆଲାଉନ୍ସ ଦିଆଯିବ । ଏହାବାଦ୍  ବ୍ଲକଗ୍ରାଣ୍ଟ ସ୍କୁଲ୍ ଓ ନୂତନ ସ୍କୁଲକୁ ମଧ୍ୟ ନିକଟରେ ଥିବା ସ୍କୁଲ ସହ ମିଶାଇ ଦିଆଯିବ ।  ଚାଲୁନଥିବା ବ୍ଲକଗ୍ରାଣ୍ଟସ୍କୁଲକୁ   ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିଭଳି ଫନି ପ୍ରଭାବିତ ୫ ଜିଲ୍ଲାର କ୍ଷତିଗ୍ରସ୍ତ ବ୍ଲକଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପାଠ ପଢୁଥାନ୍ତି ଓ ନିକଟରେ କୌଣସି ସରକାରୀ ବିଦ୍ୟାଳୟ ନ ଥାଏ, ତେବେ ଏ କ୍ଷେତ୍ରରେ ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡିକର ମରାମତି ଓ ପୁନଃନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ । କିନ୍ତୁ ନିକଟରେ ସରକାରୀ ସ୍କୁଲ ରହିଥାଏ ଓ ବ୍ଲକଗ୍ରାଣ୍ଟ ସ୍କୁଲରେ କମ ପିଲା ଥାନ୍ତି ତେବେ ସେହି କ୍ଷେତ୍ରରେ ଏହାକୁ ମିଶାଇ ଦିଆଯିବ ।

ସେହିପରି ଛାତ୍ରଛାତ୍ରୀମାନଙ୍କର ଆଧାରସିଂଡିଂ କରାଯିବା ସହ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ‘ମୋ ସରକାର’କୁ କାର୍ଯ୍ୟକାରୀ କରାଯିବ। ଅଭିଭାବକଙ୍କ ଫୋନ୍‌ ନମ୍ବର ଡିଜିଟାଇଜ୍‌ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର