କ୍ରୀଡ଼ା ନୀତି ନ ଥିବାରୁ ଗୃହରେ ଉଦ୍‌ବେଗ

ଭୁବନେଶ୍ବର : ସରକାର ଅବକାରୀ ନୀତି କରୁଛନ୍ତି। କିନ୍ତୁ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ଏ ପର୍ଯ୍ୟନ୍ତ କ୍ରୀଡ଼ା ନୀତି ପ୍ରଣୟନ କରିପାରିଲେ ନାହିଁ। ଏହା ଅତ୍ୟନ୍ତ ଦୁଃଖର ବିଷୟ। ବିନା କ୍ରୀଡ଼ା ନୀତିରେ କ୍ରୀଡ଼ା‌ ପରି ଶୃଙ୍ଖଳିତ କାମକୁ ସରକାର କେତେଦିନ ମନଇଚ୍ଛା ପରିଚାଳନା କରିବେ ?

ଆଜି ଦଳ, ମତ ନିର୍ବିଶେଷରେ ଏମିତି ଉଦ୍‌ବେଗ ପ୍ରକାଶ ପାଇଥିଲା ବିଧାନସଭାର ପ୍ରଶ୍ନକାଳରେ। ଏଥିପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ଜାତୀୟ କ୍ରୀଡ଼ା ନୀତି-୨୦୦୧ ଅନୁସାରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତେବେ ରାଜ୍ୟ କ୍ରୀଡ଼ା ନୀତି ପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଛି। ଖୁବ୍ ଶୀଘ୍ର ଚୂଡ଼ାନ୍ତ ନୀତି ଆସିବ।

ବିଜେଡି ସଭ୍ୟ ଭୂପିନ୍ଦର ସିଂହ କ୍ରୀଡ଼ା ନୀତି ଓ କେତେ କ୍ରୀଡ଼ାକୁ ସ୍ବୀକୃତି ଦିଆଯାଇଥିବା ନେଇ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଉତ୍ତରରେ ଦର୍ଶାଇଥିଲେ, ରାଜ୍ୟରେ ଏବେ କ୍ରୀଡ଼ା ନୀତି ନାହିଁ। ବିଭିନ୍ନ ଯୋଜନା, ଗାଇଡ୍‌ଲାଇନ୍ ଓ ବିଜ୍ଞପ୍ତି ମାଧ୍ୟମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ତାହାର ଲକ୍ଷ୍ୟ ପୂରଣ ପାଇଁ କାମ କରୁଛି। ବର୍ତ୍ତମାନ ୪୦ଟି କ୍ରୀଡ଼ାକୁ ଓଡ଼ିଶା ସରକାର ସ୍ବୀକୃତି ‌େଦଇଛନ୍ତି।

ଶ୍ରୀ ସିଂହ ଅତିରିକ୍ତ ପ୍ରଶ୍ନ କରିଥିଲେ, କ୍ରୀଡ଼ା ଶୃଙ୍ଖଳା ଓ ଏକତାର କଥା। ତେଣୁ ତୁରନ୍ତ କ୍ରୀଡ଼ା ନୀତି ଆଣିବାର ବ୍ୟବସ୍ଥା କରାଯାଇଛି। ରାଜ୍ୟର ସବୁ ଆଦିବାସୀ ଅଞ୍ଚଳରେ ହକିର ପ୍ରସାର ପାଇଁ ବ୍ୟବସ୍ଥା କରାଯାଉ। ଓଡ଼ିଶା ହକି ଟିମ୍ କିପରି ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରିବ, ସେ ନେଇ ପଦକ୍ଷେପ ନିଆଯାଉ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଏକ ଜାତୀୟ ସ୍ତରର ଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। କ୍ରୀଡ଼ା ପାଇଁ କାର୍ଯ୍ୟ କରୁଥିବା ଘରୋଇ ଅନୁଷ୍ଠାନଗୁଡ଼ିକୁ ସରକାରୀ ପ୍ରୋତ୍ସାହନ ଦେବାକୁ ଜୟ ନାରାୟଣ ମିଶ୍ର କହିଥିଲେ। କ୍ରୀଡ଼ାର ଯେଉଁ ବିଭାଗରେ ଆମର ଉତ୍କର୍ଷ ଅଛି, ତାହାକୁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦେବାକୁ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦାବି କରିଥିଲେ। ବିଧାୟକ ପ୍ରଫୁଲ୍ଲ ସାମଲ, ଶଙ୍କର ଓରାମ ଓ କୁସୁମ ଟେଟେ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର