ବୋର୍ଡର ଚେକ ପଏଣ୍ଟରେ ପ୍ରସ୍ତୁତି ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ୱର: ବୋର୍ଡର ଚେକ ପଏଣ୍ଟ (ବିସିପି)ରେ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ କମିସନର ଆଜି ରାଜ୍ୟର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ପ୍ରବାସୀ ଓଡ଼ିଆମାନେ ଯେତେବେଳେ ସୀମାରେ ପହଞ୍ଚିବେ, ସେମାନଙ୍କର ଯାଞ୍ଚ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି । ପ୍ରବାସୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି ।

ପ୍ରବାସୀମାନଙ୍କୁ ବୋର୍ଡର ଚେକ ପଏଣ୍ଟ ମାଧ୍ୟମରେ ପ୍ରବେଶ ମିଳିପାରିବ । ଓଡ଼ିଶା ପୁଲିସ ଦ୍ୱାରା ବିସିପି ପରିଚାଳନା କରିବ । ଏହାର ଦାୟିତ୍ୱ ଇନ୍ସପେକ୍ଟର ର‌୍ୟାଙ୍କର ପୁଲିସ ନେବେ । ଦରକାର ପଡ଼ିଲେ ସଂପୃକ୍ତ ପୁଲିସ କର୍ମୀ ଅନ୍ୟ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ନେଇପାରିବେ । ପରିବହନ କାର୍ଯ୍ୟାଳୟରୁ କର୍ମୀ ମଧ୍ୟ ବିସିପିରେ ମୁତୟନ ରହିବେ । ପରିବହନ କମିସନର କମ୍ପ୍ୟୁଟର, ପ୍ରିଣ୍ଟର, ଡାଟା ଏଣ୍ଟ୍ରି ଅପରେଟର, ୟୁପିଏ ଓ ଅନ୍ୟ ଲଜିଷ୍ଟିକ ସାରଞ୍ଜାମ ବ୍ୟବସ୍ଥା କରିବ । ସେହିଭଳି ବିସିପିରେ ଅସ୍ଥାୟୀ ଆଶ୍ରୟ ସ୍ଥଳ, ପିଇବା ପାଣି, ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯିବା । ଏଥି ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବେ ।

ବିସିପିରେ ଏକ ସ୍ୱାସ୍ଥ୍ୟ ଟିମ ରହିବେ । ଏଥିରେ ଜଣେ ଡାକ୍ତର, ଜଣେ ଆୟୁଷ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ୨ ଜଣ (ଜଣେ ପୁରୁଷ ଓ ଜଣେ ମହିଳା) ରହିବେ । ଏଥି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦକ୍ଷେପ ନେବେ । ସଡ଼କ ପଥରେ ଆସୁଥିବା ପାସେଞ୍ଜର ଅଥବା ବ୍ୟକ୍ତି ଚେକ ପୋଷ୍ଟରେ ରିପୋର୍ଟ କରିବେ । ସେଠାରେ ସେମାନେ ପୂର୍ବରୁ କରିଥିବା ପଂଜୀକରଣ ଡାଟା ସହିତ ମେଳ କରାଯିବ । ଯଦି କୌଣସି ବାହାନ ପଂଜୀକରଣ ହୋଇ ନଥିବ, ସ୍ପଟରେ ପଂଜୀକରଣ ହେବ । ଏହା ପରେ ସଂପୃକ୍ତ ଗାଡ଼ିକୁ ରାଜ୍ୟ ଭିତରକୁ ପ୍ରବେଶ ମିଳିବ । ଯାତ୍ରୀମାନଙ୍କର ଡାହାଣ ହାତରେ ଏକ କାଳି ଦିଆଯିବ । ଏହା କ୍ୱାରେଣ୍ଟାଇନ ଶେଷ ହେବା ପର୍ଯ୍ୟନ୍ତ ରହିବ ।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଆଦେଶ ମିଳିବା ପରେ କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀମାନେ ଏବେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ବାହାର ରାଜ୍ୟରେ ଫସିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ନିଜ ରାଜ୍ୟକୁ ରେଳ ବ୍ୟତୀତ ସଡ଼କ ପଥରେ ମଧ୍ୟ ଫେରୁଛନ୍ତି ।

ରାଜ୍ୟରେ ଥିବା ଚେକପଏଣ୍ଟ

ସୁନ୍ଦରଗଡ଼: ବିରମିତ୍ରପୁର
କେନ୍ଦୁଝର: ଚମ୍ପୁଆ
କୋରାପୁଟ: ଚାନ୍ଦିଲି
ଗଂଜାମ: ଗିରିସୋଳା
ମୟୂରଭଂଜ: ଜାମସୋଳା
ଝାରସୁଗୁଡ଼ା: କନକତୋରା
ରାୟଗଡ଼ା: କେରାଡ
ନୂଆପଡ଼ା: ଖରିଆର ରୋଡ
ଇାଲେଶ୍ୱର: ଲକ୍ଷ୍ମଣ ନାଥ
ବରଗଡ଼: ଲୁହାରଚଟି
ମାଲକାନଗିରି: ମୋଟୁ

ସମ୍ବନ୍ଧିତ ଖବର