ଶ୍ରୀ ଜୀଉଙ୍କ ସେବାରେ ଅସୁସ୍ଥତା ବି ବାଧକ ସାଜିଲାନି

ପ୍ରଶାନ୍ତଙ୍କ ଘରୁ ଦୟଣା ଯାଇ ଲାଗି ହେଲା

ଭୁବ‌େନଶ୍ବର : ଚୈତ୍ର ଶୁକ୍ଳ ତୈୟୋଦଶୀ ଏବଂ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦୟଣା ଚୋରି ନୀତି ହୁଏ। ପରମ୍ପରା କହେ ପ୍ରଭୁ ଶ୍ରୀ ଜଗନ୍ନାଥ ଦେବରାଜ ଇନ୍ଦ୍ରଙ୍କ ନନ୍ଦନ ବଗିଚାରୁ ଦୟଣା ଗଛ ଆଣି ହାତରେ ପିନ୍ଧନ୍ତି। ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି। ହେଲେ ଦୟଣା ଗଛ ଆଉ ଇନ୍ଦ୍ରଙ୍କ ନନ୍ଦନ ବଗିଚାରୁ ଆସୁନି କି ସହଜରେ କେଉଁଠି ମିଳୁନି। କିନ୍ତୁ ପ୍ରଭୁଙ୍କ ‌େସବାରେ ନିଜକୁ ସମର୍ପି ଦେଇଥିବା ଭକ୍ତଟିଏ ଏହି ନୀତିକୁ ବଞ୍ଚାଇ ରଖିବାକୁ ଦିନରାତି ଏକ କରି କିଛି ବର୍ଷ ହେଲା ଦୟଣା ଗଛ ଯୋଗାଇ ଆସୁଛନ୍ତି।

ଏହି ଭକ୍ତ ଜଣଙ୍କ ହେଲେ ପୁରୀ ନବକଳେବର ରୋଡ୍‌ର ଡାକ୍ତର ପ୍ରଶାନ୍ତ ପାଣି। ପ୍ରଶାନ୍ତ ଏବେ ଅସୁସ୍ଥତା ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ପ୍ରଭୁଙ୍କ ନୀତି ବନ୍ଦ ହୋଇନି। ପ୍ରଶାନ୍ତ ଶ୍ରୀ ଜୀଉଙ୍କ ନୀତି ବଞ୍ଚାଇ ରଖିବାକୁ ଯେଉଁ ଉଦ୍ୟମ କରିଥିଲେ ସେଥିରେ ତାଙ୍କର ଅସୁସ୍ଥତା ବି ବାଧକ ସାଜିନି।

ଜଗନ୍ନାଥଙ୍କ ଦୟଣା ଚୋରି ନୀତି ପାଇଁ ଲାଗି ହେଉଥିବା ଦୟଣା ଗଛ ନମିଳିବାରୁ ମାଡ୍ରାସରୁ ଏହାକୁ କିଣା ହୋଇ ଆସୁଥିଲା। ହେଲେ ପ୍ରତିବର୍ଷ ଏହାକୁ ଆଣିବାରେ ସମସ୍ୟା ସୃଷ୍ଟି ହେବାରୁ ଏହି ନୀତି ବନ୍ଦ ହେବାକୁ ବସିଥିଲା। ଏହି ସମୟରେ ପ୍ରଶାନ୍ତ ମାନସିକ କରିଥିଲେ ଯେ, ସେ ବଞ୍ଚିଥିବା ଯାଏଁ ଠାକୁରଙ୍କୁ ଦୟଣା ଗଛ ଲାଗି କରିବେ। ଏଇଥିପାଇଁ ସେ ନିଜ ଘରେ ଦୟଣା ଚାଷ କରିବା ସହ ପ୍ରଭୁଙ୍କ ଲାଗି ପାଇଁ ବିନା ମୂଲ୍ୟରେ ଯୋଗାଇ ଆସୁଥିଲେ। ଘର ଛାତ ଉପରେ କୁଣ୍ଡରେ ଦୟଣା ଚାଷ କରୁଥିଲେ। କିନ୍ତୁ ଏଥର ନିଜ ହାତରେ ଦୟଣା ଗଛ ଦେବା ପୂର୍ବରୁ ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଗଲେ। ଚଳିତବର୍ଷ ଦୟଣା ଚୋରି ନୀତି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଓ ସେବକମାନେ ପ୍ରଶାନ୍ତଙ୍କ ଘରକୁ ଯାଇ ଦୟଣା ଗଛ ଆଣିଥିଲେ। ଆଉ ଯଥା ରୀତିନୀତିରେ ଶ୍ରୀ ଜୀଉଙ୍କ ଏହି ନୀତି ଶେଷ ହୋଇଛି।

ସମ୍ବନ୍ଧିତ ଖବର