କଳି ମଞ୍ଜି ବୁଣିଲେ

ଶ୍ରୀମନ୍ଦିର ପ୍ରଶାସନ ମେଳକ ବୈଠକ ଡାକିପାରିଲା ନାହିଁ
ପାଞ୍ଜି ଛପାଗଲାଣି, ଦୋଳପୂର୍ଣ୍ଣମୀରେ ପଢ଼ାଯିବ
ତରବରିଆ ଭାବେ ଆଜି ବସିବ ବୈଠକ

ଭୁବନେଶ୍ୱର : କେଉଁ ତାରିଖରେ ପାଳନ ହେବ ମହାଶିବରାତ୍ରି। ଫେବ୍ରୁଆରି ୧୩ ନା ୧୪ରେ। ଗତ ଶିବରାତ୍ରିକୁ ନେଇ ସମଗ୍ର ରାଜ୍ୟରେ ଏମିତି ଏକ ବଡ଼ ବିତର୍କ ମୁଣ୍ଡ ଟେକିଥିଲା। ଏଇଥିପାଇଁ ହୋଇଥିଲା ଯେ ଗୋଟିଏ ଦୁଇଟି ପଞ୍ଜିକା ୧୩ ତାରିଖରେ ପାଳନ ସପକ୍ଷରେ ମତ ରଖିଥିବା ବେଳେ ଆଉ କିଛି ୧୪ ତାରିଖ କଥା ଉଲ୍ଲେଖ କରିଥିଲେ।

ଆସନ୍ତାବର୍ଷ କିନ୍ତୁ ଏଭଳି ସମସ୍ୟା ବହୁଗୁଣିତ ହୋଇପାରେ। କାରଣ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି, ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ଶ୍ରୀମନ୍ଦିର ପ୍ରଶାସନର ବିନା ସାର୍ଟିଫିକେଟ୍‌ରେ ଅନେକ ପଞ୍ଜିକା ପ୍ରକାଶ ପାଇବାକୁ ଯାଉଛି। କିଛି ପାଞ୍ଜି ମୁକ୍ତିମଣ୍ଡପ ପଣ୍ଡିତ ସଭା ଆଦିର ତିଥି ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରୁନଥିବା ପରିପ୍ରେକ୍ଷୀରେ ସାର୍ଟିଫିକେଟ୍‌ ପାଇନାହାନ୍ତି, ହେଲେ ଛାପିଛନ୍ତି ଓ ବିକ୍ରି କରିବେ।

ଏ କ୍ଷେତ୍ରରେ ସବୁଠାରୁ ବଡ଼ ବିଡମ୍ବନାଟି ହେଲା, ଶ୍ରୀମନ୍ଦିର ପ୍ରଶାସନ ଏତେ ଅବ୍ୟବସ୍ଥା ଆଡକୁ ଗତି କରୁଛି ଯେ ବ୍ୟସ୍ତ ଅଧିକାରୀମାନେ ମେଳକ ବୈଠକ ଡାକିପାରିଲେ ନାହିଁ। ପରିଣାମରେ ଏବେ ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ତିଥି ପାଳନକୁ ରାଜ୍ୟରେ ଯେଉଁମାନେ ଅନୁକରଣ କରୁଛନ୍ତି, ସେମାନେ କେଉଁ ପାଞ୍ଜିକୁ ଗ୍ରହଣ କରିବେ, ସେ ନେଇ ଦ୍ୱନ୍ଦ୍ୱ ଟେକିବା ଆଶଙ୍କା ଦେଖା ଦେଇଛି। ବିଶେଷକରି ରାଜ୍ୟର ବିଭିନ୍ନ ଗାଁ ଦେବାଳୟ ନୀତିକାନ୍ତିକୁ ନେଇ ବିବାଦ ସୃଷ୍ଟି ହୋଇପାରେ।
ଉଲ୍ଲେଖଯୋଗ୍ୟ, ଦିନକୁ ଦିନ ନୂଆ ନୂଆ ପଞ୍ଜିକା ପ୍ରକାଶ ପାଉଛି।

ବ୍ୟବସ୍ଥା ଅନୁସାରେ, ପଞ୍ଜିକାରମାନେ ଗଣନା କରି ତାଙ୍କର ନକଲ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭା ଆଦିକୁ ଦେଇଥାନ୍ତି। ଗଣନା ଠିକ୍‌ ଅଛି କି ନାହିଁ, ତାହାର ତର୍ଜମା କରି ଆବଶ୍ୟକ ସଂଶୋଧନ ସୁପାରିସ କରାଯାଇଥାଏ। ନୂଆ ପଞ୍ଜିକା ଗଣନା ଅନୁସାରେ ଶ୍ରୀମନ୍ଦିରରେ କେଉଁ ଦିନ କେଉଁ ନୀତି ପାଳନ କରାଯିବ, ତାହା ସ୍ଥିର କରାଯିବା ପରେ ସେ ସିଦ୍ଧାନ୍ତକୁ ପଞ୍ଜିକାରେ ସ୍ଥାନ ଦିଆଯାଇଥାଏ। ଏହାକୁ ଆଧାର କରି ସମଗ୍ର ରାଜ୍ୟରେ ଲୋକେ ବିଭିନ୍ନ ପର୍ବପର୍ବାଣି ପାଳନ କରିଥାନ୍ତି।

ଏହି କ୍ରମରେ ମାସେ ତଳୁ ମେଳକ ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଶ୍ରୀମନ୍ଦିର ପ୍ରଶାସନକୁ ଚିଠା ପଞ୍ଜିକା ପଠାଇଥିଲେ। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଏକ ବୈଠକ ଡାକିବା କଥା। ଯେଉଁଥିରେ ନୀତି ପ୍ରଶାସକ, ଦେଉଳକରଣ, ତଡଉକରଣ, ଦେଉଳ ପୁରୋହିତ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ପ୍ରତିନିଧି, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି, ବିଭିନ୍ନ ପାଞ୍ଜି ଗଣନାକାର, ସତ୍ତ୍ୱାଧିକାର, ଧର୍ମଶାସ୍ତ୍ର ବିଭାଗର ପ୍ରଫେସରମାନଙ୍କୁ ଡକାଯାଇଥାଏ। ଏମାନେ ବସି ସବୁ ତିଥି ଓ ପର୍ବପର୍ବାଣି ଏବଂ ଶ୍ରୀମନ୍ଦିରରେ କେଉଁ ଦିନ କଣ ପାଳନ ହେବ, ତାହା ସ୍ଥିର କରିଥାନ୍ତି।

ହେଲେ ଶ୍ରୀମନ୍ଦିର ପ୍ରଶାସନ ଏତେ ବ୍ୟସ୍ତ ଯେ ଚଳିତବର୍ଷ ମେଳକ ବୈଠକ ଡକାଯାଇପାରିଲା ନାହିଁ। ଅପେକ୍ଷା କରି କରି ଶେଷରେ ଅଧିକାଂଶ ପ୍ରକାଶକ ସେମାନଙ୍କ ପାଞ୍ଜି ଛାପି ସାରିଲେଣି। କାରଣ, ପରମ୍ପରା ଅନୁସାରେ, ଆମ ରାଜ୍ୟର ଦୋଳବେଦୀମାନଙ୍କରେ ଦୋଳପୂର୍ଣ୍ଣିମୀ ଦିନ ନୂଆ ପଞ୍ଜିକା ପଠନ ବ୍ୟବସ୍ଥା ରହିଛି। ଆସନ୍ତା ୧ ତାରିଖ ଦିନ ଦୋଳପୂର୍ଣ୍ଣମୀ। ଏଣୁ ଏବେଠାରୁ ପଞ୍ଜିକା ବଜାରକୁ ନ ଗଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲକ୍ଷ୍ମୀଧର ପୂଜାପଣ୍ଡା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଏହି ବୈଠକ ଡକାଯିବ। କିଛି ବି ବିଳମ୍ବ ହୋଇନାହିଁ କିମ୍ବା ପାଞ୍ଜି ଛାପିଲେ ବି କିଛି ସମସ୍ୟା ନାହିଁ।

ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଂପାଦକ ଭଗବାନ ମହାପାତ୍ରଙ୍କ ଯୁକ୍ତି ହେଉଛି, ମେଳକ ପାଇଁ ଯଥେଷ୍ଟ ଆଗରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠା ପାଞ୍ଜି ଦିଆଯାଇଛି, ଚିଠି ଲେଖାଯାଇଛି। ଯେହେତୁ ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକିଲେ ନାହିଁ, ଏଣୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ତାଙ୍କର ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ଆସନ୍ତାବର୍ଷ ପାଇଁ କେବଳ ରାଧାରମଣ ଓ ଭାଗ୍ୟଲିପିକୁ ପ୍ରମାଣପତ୍ର ଦିଆଯାଇଛି। କାରଣ ବିଭିନ୍ନ ସମୟରେ ଯାଞ୍ଚ ପରେ ମୁକ୍ତିମଣ୍ଡପ ଯେଉଁ ସିଦ୍ଧାନ୍ତ ଜଣାଉଛନ୍ତି, ତାହାକୁ ପଞ୍ଜିକାରମାନେ ଗ୍ରହଣ କରୁନାହାନ୍ତି। ଏଣୁ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି, ବିତର୍କ ମୁଣ୍ଡ ଟେକୁଛି। ଗତ ମହାଶିବରାତ୍ରି ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ୧୯୪୯ ମସିହା ଫେବ୍ରୁଆରି ୨୫ ଓ ୨୬ ତାରିଖରେ ଶିବରାତ୍ରି ପାଳନକୁ ନେଇ ଠିକ୍‌ ଏମିତି ଏକ ଦ୍ୱନ୍ଦ୍ୱ ଉପୁଜିଥିଲା ଓ ସେ ସମୟରେ ଶାସ୍ତ୍ର ବିଶାରଦମାନେ ୨୬ ତାରିଖରେ ପାଳନ ପାଇଁ ସ୍ଥିର କରିଥିଲେ।

ଜଣେ ପ୍ରଶାସନିକ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ପାଞ୍ଜିରେ ବିଭିନ୍ନ ପର୍ବପର୍ବାଣି ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା କାରଣରୁ ୨୦୦୮ ମସିହାରୁ ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରୁଛନ୍ତି। ସେବେଠାରୁ ପଞ୍ଜିକାରମାନେ ଛାପିବା ପୂର୍ବରୁ ମେଳକ ବୈଠକ ଡକାଯାଉଥିଲା। ଚଳିତବର୍ଷ ଏ କ୍ଷେତ୍ରରେ ଯଥେଷ୍ଟ ବିଳମ୍ବ ହୋଇଛି। ବର୍ତମାନ କିଛି ସଂଶୋଧନ କରାଗଲେ ବି ତାହା ପଞ୍ଜିକାରେ ପ୍ରତିଫଳିତ ହେବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର