ଶ୍ରୀମନ୍ଦିର ଶୃଙ୍ଖଳା ଚିନ୍ତା : ସ୍ବର୍ଣ୍ଣମନ୍ଦିର ଦେଖିବାକୁ ଅମୃତସର ଗଲେ ଜିଲ୍ଲାପାଳ, ଏସ୍‌ପି

ପୁରୀ : ଶ୍ରୀମନ୍ଦିରରେ କ’ଣ କଲେ ଶୃଙ୍ଖଳା ଆସିବ। ଭକ୍ତମାନେ କେମିତି ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରି‌ବେ। ଖାଲି ଭକ୍ତଙ୍କ ଶୃଙ୍ଖଳା କଥା ନୁହେଁ, ସେବାୟତମାନେ ବି କିପରି ଶୃଙ୍ଖଳିତ ହୋଇ ପାରିବେ। ଏମିତି ଅନେକ କିଛି ଯୋଜନା ନେଇ ସ୍ବର୍ଣ୍ଣମନ୍ଦିର (ଗୋଲଡେନ୍‌ ଟେମ୍ପଲ)ର ବ୍ୟବସ୍ଥା ପରଖିବା ପାଇଁ ଆଜି ରାତିରେ ପଞ୍ଜାବର ଅମୃତସର ଗସ୍ତ କରିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଓ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ। ଦୁଇଦିନିଆ ଗସ୍ତ ଅବସରରେ ଜିଲ୍ଲାପାଳ ଓ ଏସ୍‌ପି ସ୍ବର୍ଣ୍ଣମନ୍ଦିରର ପୂଜାବିଧି ସହ ଦର୍ଶନ ବ୍ୟବସ୍ଥା କଥା ଟିକିନିଖି ପରଖିବେ। ସେଠାରେ ଶୃଙ୍ଖଳା ବ୍ୟବସ୍ଥା କ’ଣ ରହିଛି ତା’ର ବି ଅନୁଧ୍ୟାନ କରିବେ। ଏହି ଅବସରରେ ମନ୍ଦିର କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ସହ ସେମାନଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଛି। ବିସ୍ତୃତ ଅନୁଧ୍ୟାନ ପରେ ଜିଲ୍ଲାପାଳ ଓ ଏସ୍‌ପି ପୁରୀ ଶ୍ରୀମନ୍ଦିରରେ କି ପ୍ରକାର ବ୍ୟବସ୍ଥା ଲାଗୁ ହୋଇପାରିବ ସେ ସଂକ୍ରାନ୍ତରେ ଯୋଜନା ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି।

ଏଣେ ପୁରୀରେ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ, ଏହା ମଧ୍ୟରେ ପୁରୀର କିଛି ପୁରୁଣା ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ଭୁବନେଶ୍ବରଠାରେ ଏକ ବୈଠକରେ ଏକାଠି ହୋଇଥିଲେ। ଯେଉଁଥିରେ ପୁରୀର ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ଏସ୍‌ପି ଆଶିଷ ସିଂଙ୍କ ସହ ଏବର ଜିଲ୍ଲାପାଳ ଶ୍ରୀ ସିଂ ଓ ଏସ୍‌ପି ଶ୍ରୀ ଦାଶ ଉପସ୍ଥିତ ଥିଲେ। ଏହି ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ବେଳେ ଅମୃତସର ପରିଦର୍ଶନ ବି ଏହି ଆଲୋଚନା ପରିସରଭୁକ୍ତ ରହିଥିଲା।

ସମ୍ବନ୍ଧିତ ଖବର