ଶ୍ରୀମନ୍ଦିରରେ ଅଣ ସ୍ଥିରୀକୃତ ଘିଅର ବହୁଳ ବ୍ୟବହାର

କାର୍ଯ୍ୟକାରୀ ହେଉନି ମନ୍ଦିର ପ୍ରଶାସନର ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିର ଭିତରେ ଅଣସ୍ଥିରୀକୃତ ଘିଅ। ଦୀପଠୁ ଭୋଗ ପର୍ଯ୍ୟନ୍ତ ସବୁଠି ବ୍ୟବହାର ହେଉଛି ଏହି ନିମ୍ନମାନର ଘିଅ। ପ୍ରତି ଦୋକାନ ଓ ସୁଆରଙ୍କ ଗୋଦାମରେ ଅଣବ୍ରାଣ୍ଡ ଘିଅ ଭରି ରହିଛି। ଭକ୍ତଙ୍କ ଆଖିରେ ଧୂଳି ଦେଇ ଚାଲିଛି ଲୁଟ୍‌। ଦୋନମ୍ବରୀ ଘିଅର ବହୁଳ ବ୍ୟବହାର ଚାଲିଥିବା ବେଳେ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନନେବା ଭକ୍ତମାନଙ୍କ ମନକୁ ଆନ୍ଦୋଳିତ କରିଛି। ପ୍ରଶାସନ ଜାଣିଶୁଣି ଅଣବ୍ରାଣ୍ଡ ଘିଅ ପ୍ରଚଳନକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ଭିତରେ ଓମ୍‌ଫେଡ୍‌ ଛଡ଼ା ଅନ୍ୟ କୌଣସି କମ୍ପାନିର ଘିଅ ବ୍ୟବହାର ହେବନାହିଁ। ଦୀପ ହେଉ ବା ଭୋଗ ପ୍ରସ୍ତୁତି, ସବୁ ଓମ୍‌ଫେଡ୍‌ ଘିଅରେ ପ୍ରସ୍ତୁତି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ, ସମସ୍ତ କାର୍ଯ୍ୟାଳୟ ତଥା ସୁଆର ମହାସୁଆର ନିଯୋଗକୁ ନିର୍ଦ୍ଦେଶ ଦେବା ସହ ଅଣବ୍ରାଣ୍ଡ ଘିଅ ବ୍ୟବହାର ନକରିବାକୁ ବାରଣ କରିଛି। ହେଲେ ଏବେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସବୁଠି ଅଣ ବ୍ରାଣ୍ଡ ଘିଅ ବ୍ୟବହାର ହେଉଛି। ଶ୍ରୀମନ୍ଦିର ଭିତରେ ଦୀପ ଦୋକାନ ରହିଛି। ଅନେକ ଦୀପ ଦୋକାନୀ ସାମ୍ନାରେ ଓମ୍‌ଫେଡ୍‌ ଘିଅ ଡବା ରଖୁଛନ୍ତି। ତା’ ନିକଟରେ ଖୋଲା ଘିଅ ରଖିଛନ୍ତି। ସେହି ଘିଅ କେଉଁ ବ୍ରାଣ୍ଡର ତାହା କାହାକୁ ଜଣାନାହିଁ। ଦୀପ ମାଗିଲେ, ସେହି ଘିଅର ଦୀପ ଦିଆଯାଉଛି। ଭକ୍ତମାନେ ଦୀପ ଧରି ଚାଲି ଯାଉଛନ୍ତି। ଯଦି କେହି ଭଲ ଘିଅ ମାଗୁଛି, ତେବେ ବାହାରୁଛି ଓମ୍‌ଫେଡ୍‌ ଘିଅ। କିନ୍ତୁ ସେଥିପାଇଁ ନିଆଯାଉଛି ଦୁଇ ଗୁଣା ଦାମ୍‌। ଦୀପ ଦୋକାନ ବ୍ୟତୀତ ଭୋଗରେ ବି ବ୍ୟବହାର ହେଉଛି ଅଣ ବ୍ରାଣ୍ଡ ଘିଅ। ପ୍ରତିଦିନ ସକାଳେ ସୁଆର ମହାସୁଆର ନିଯୋଗରୁ ଭୋଗ ପ୍ରସ୍ତୁତ ପାଇଁ ଚାଉଳ, ଡାଲି, ଘିଅ ଆସୁଛି। ସେଠାରେ ଓମ୍‌ଫେଡ୍‌ ସହିତ ରହିଛି ଅନ୍ୟ ବ୍ରାଣ୍ଡର ଘିଅ। ଖୋଲାଖୋଲି ବାହାର ଘିଅ ବ୍ୟବହାର ହେଉଛି। ହେଲେ ଶ୍ରୀମନ୍ଦିର ପ୍ରଶାସନର ଏଥି ପ୍ରତି ନଜର ନାହିଁ।

ଅଣବ୍ରାଣ୍ଡ ଘିଅ ବ୍ୟବହାର କରି ଭକ୍ତଙ୍କୁ ନିୟମିତ ଠକୁଥିବା ଦୋକାନୀ ଓ ସୁଆରଙ୍କ ବିରୋଧରେ ଥରୁଟିଏ ବି ମନ୍ଦିର ପ୍ରଶାସନ ପଦକ୍ଷେପ ନେଇନାହିଁ। ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସ ମଧ୍ୟରେ ଥରଟିଏ ବି ଘିଅ ମାନ ଯାଞ୍ଚ କରାଯାଇନାହିଁ। ଘିଅ ଯାଞ୍ଚ ପାଇଁ ରହିଥିବା ସ୍କ୍ବାଡ୍‌ କେବେ ଯାଞ୍ଚ କରିଥିଲା ତାହା ମନେ ନଥିବା ସ୍କ୍ବାଡ୍‌ର ଜନୈକ ସଦସ୍ୟ କହିଛନ୍ତି। ପ୍ରଶାସନ ଗୁରୁତ୍ବ ଦେଉନଥିବାରୁ ନିୟମିତ ଯାଞ୍ଚ ହେଉ ନଥିବା ସ୍କ୍ବାଡ୍‌ କର୍ମଚାରୀ କହିଛନ୍ତି।

ସମ୍ବନ୍ଧିତ ଖବର