ତୁଟିଲା ବିବାଦ, ମତଦାନ ଦ୍ବାରା ଗଠ‌ନ ହେଲା କମିଟି : ରବୀନ୍ଦ୍ର ସଭାପତି, ଦୁର୍ଗା ସମ୍ପାଦକ

ପୁରୀ : ବହୁ ବାଦବିବାଦ ପରେ ଶ୍ରୀମନ୍ଦିର ଦଇତାପତି ନିଯୋଗର ନୂଆ ପରିଚାଳନା କମିଟି ଗଠନ ହୋଇଛି। ନୂଆ କମିଟିରୁ ବାଦ୍‌ ପଡ଼ିଛନ୍ତି ପୁରୁଣା କର୍ମକର୍ତ୍ତା। ଦୀର୍ଘଦିନରୁ ନିଯୋଗ ଉପରେ ପ୍ରଭାବ ରଖିଥିବା ରାମକୃଷ୍ଣ ଦାସ ମହାପାତ୍ର (ଟିକିପୁଅ)ଙ୍କ କବ୍‌ଜାରୁ ନିଯୋଗ ଖସିଯାଇଛି। ଦଇତାପତି ନିଯୋଗ ନିର୍ବାଚନ ୨୮ ତାରିଖରେ ସରିଥିଲା। ୧୫ ଜଣିଆ କମିଟି ଗଠନ ହେବା ପରେ କମିଟି କର୍ମକର୍ତ୍ତା ନିର୍ବାଚନ କରିଥିଲା। ତେବେ ସଭାପତି ପଦ ଚୂଡ଼ାନ୍ତ ହୋଇଥିବା ବେଳେ ସମ୍ପାଦକ ଓ ସହ ସମ୍ପାଦକଙ୍କ ପଦବିକୁ ନେଇ ଅଡ଼ୁଆ ବଢ଼ିଥିଲା। ଶେଷରେ ଆଜି ଗୁପ୍ତ ମତଦାନ ବେଳେ ସଭାପତି ପଦ ପାଇଁ ରବୀନ୍ଦ୍ର ଦାସ ମହାପାତ୍ର (ରବି) ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିପରି ସମ୍ପାଦକ ପଦ ପାଇଁ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଓ ଉପସଭାପତି ପଦ ପାଇଁ ସୂର୍ଯ୍ୟ ସ୍ବାଇଁ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଚନ୍ଦଶେଖର ଦାସ ମହାପାତ୍ର ନାମାଙ୍କନ ଦାଖଲ କରିଥିଲେ। ଏମାନଙ୍କ ବିରୋଧରେ କେହି ପ୍ରାର୍ଥୀ ନଥିବାରୁ ସମସ୍ତେ ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଥିଲେ। ଯୁଗ୍ମ ସମ୍ପାଦକ ପଦ ପାଇଁ ରାମଚନ୍ଦ୍ରଙ୍କ ପୁଅ ଅମିତ ଦାସ ମହାପାତ୍ର ଏବଂ ପୂର୍ବତନ ସଭାପତି ରାମକୃଷ୍ଣ (ଟିକିପୁଅ)ଙ୍କ ପୁତୁରା ସଞ୍ଜୟ ଦାସ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ‌ ହୋଇଥିଲା। ସେଥିରୁ ଅମିତ ୯ ଖଣ୍ଡ ଭୋଟ ପାଇଥିବା ବେଳେ ସଞ୍ଜୟ ୬ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ।

ନବନିର୍ବାଚିତ ସଭାପତି ରବୀନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଠାକୁରଙ୍କ ନୀତି ଏବଂ ରଥଯାତ୍ରା ଶୃଙ୍ଖଳାକୁ ପ୍ରାଥମିକତା ଦିଆଯିବ। ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଦୁର୍ଗାପ୍ରସାଦ କହିଛନ୍ତି, ନିଯୋଗରେ ଆର୍ଥିକ ଶୃଙ୍ଖଳା ଆଣିବା, ଭାଗାରୀମାନଙ୍କ ପାଉଣା ଠିକ୍‌ରେ ମିଳିବା ଏବଂ ଠାକୁରଙ୍କ ସେବା ପୂଜାରେ ‌ସମନ୍ବୟ ରଖି କାମ କରାଯିବାକୁ ପ୍ରାଧାନ୍ୟ ଦିଆଯିବ। କୌଣସି ସ୍ଥିତିରେ ଭକ୍ତଙ୍କର ଅସୁବିଧାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର