ପୁରୀ : ଶେଷରେ ଜାତୀୟକରଣ ବ୍ୟାଙ୍କ୍କୁ ଫେରିଛି ମହାପ୍ରଭୁଙ୍କ ଟଙ୍କା। ଏଥିପାଇଁ ଡକାଯାଇଥିବା ଓପନ୍ ବିଡ୍ ବା ଖୋଲା ଟେଣ୍ଡର ପ୍ରକ୍ରିୟା ଆଜି ଚୂଡ଼ାନ୍ତ ହୋଇଛି। ଫେରିଥିବା ମୋଟ ୩୯୭ କୋଟି ଟଙ୍କାରୁ ସରକାରଙ୍କ ନିୟମ ଅନୁସାରେ ମହାପ୍ରଭୁଙ୍କ ହୁଣ୍ଡି ଟଙ୍କା( ଫାଉଣ୍ଡେସନ୍ ଫଣ୍ଡ) ୧୦୨ କୋଟି ଟଙ୍କା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଜମା କରାଯାଇଛି। ତେବେ ଅବଶିଷ୍ଟ ୨୮୭ କୋଟି ଟଙ୍କା ଜମା କରିବାକୁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସର୍ବାଧିକ ସୁଧ ଦେବାକୁ ରାଜି ହୋଇଥିବା ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ ଜମା ରଖିବାକୁ ନିଷ୍ପତ୍ତି ହୋଇଛି। ଉଭୟ ବ୍ୟାଙ୍କରେ ସମାନ ଭାବେ ୧୪୩.୫ କୋଟି ଲେଖାଏଁ ଜମା ରହିବ। ଉଭୟ ବ୍ୟାଙ୍କ ୬.୨୬ ହାରରେ ସୁଧ ଦେବାକୁ ରାଜି ହେବା ପରେ ଏହି ନିଷ୍ପତ୍ତି ହୋଇଛି। ଏହି ଟଙ୍କା ବର୍ଷକ ପାଇଁ ଫିକ୍ସଡ୍ ଡିପୋଜିଟ ବା ସ୍ଥାୟୀ ଜମା ଆକାରରେ ରଖାଯିବ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ଡିସେମ୍ବର ୨୦ ତାରିଖରେ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଥିଲା। ପୂର୍ବ ଟେଣ୍ଡର ପ୍ରକ୍ରିୟାରେ ୧୬ଟି ବ୍ୟାଙ୍କକୁ ଆମନ୍ତ୍ରଣ କରାଯାଇଥିଲା। ସେଥିରୁ ୧୧ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିଲେ। ମାତ୍ର ୩ଟି ବ୍ୟାଙ୍କ ବୈଷୟିକ କାରଣରୁ କାଟ୍ ଖାଇଯାଇଥିଲେ। ଭାଗ ନେଇଥିବା ୮ଟି ବ୍ୟାଙ୍କରୁ ୟୁନିଅନ ବ୍ୟାଙ୍କ ସର୍ବାଧିକ ୫.୭୫ ପ୍ରତିଶତ ସୁଧର ବିଡ୍ ଦେଇଥିଲା। ମାତ୍ର ଏହା ଆଶାଜନକ ହୋଇ ନଥିବାରୁ ପ୍ରଥମ ଟେଣ୍ଡରକୁ ବାତିଲ କରାଯାଇଥିଲା। ପରେ ପୁଣିଥରେ ଟେଣ୍ଡର ଡକାଯାଇଥିଲା। ଓପନ ଟେଣ୍ଡର ମାଧ୍ୟମରେ ସେହି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୬.୨୬ ସୁଧ ଦେବାକୁ ରାଜି ହେବା ପରେ ଏହି ବ୍ୟାଙ୍କକୁ ପ୍ରାଥମିକତା ମିଳିଥିଲା। ସେହିଭଳି ବ୍ୟାଙ୍କ ଅଫ୍ ବରୋଦା ମଧ୍ୟ ୬.୨୬ ସୁଧ ଦେବାକୁ ରାଜି ହେବା ପରେ ତାଙ୍କୁ ଦ୍ବିତୀୟ ବ୍ୟାଙ୍କ୍ ଭାବେ ଅଧା ଟଙ୍କା ଜମା କରିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ତେବେ ୟେସ୍ ବ୍ୟାଙ୍କରେ ଥିବା ଅବଶିଷ୍ଟ ୧୫୬ କୋଟି ଟଙ୍କା ଫେରିବା ପରେ ଏହା କେଉଁଠି ରହିବ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।