ଶ୍ରୀମନ୍ଦିର ସଂପର୍କିତ ସତ୍ୟପାଠ : ଗଜପତିଙ୍କୁ ଦିଆଯାଉ କ୍ୟାବିନେଟ୍‌ ପାହ୍ୟା, ଶଙ୍କରାଚାର୍ଯ୍ୟଙ୍କ କର୍ତୃତ୍ଵରେ ରହୁ ବଡ଼ଦେଉଳ

ପୁରୀ : ଶ୍ରୀମନ୍ଦିରକୁ ନେଇ ସତ୍ୟପାଠ ଦାଖଲର ଶେଷ ଦିନରେ ଆଜି ପୁରୀ ଜିଲ୍ଲା ଜଜ୍‌ଙ୍କ ନିକଟରେ ପ୍ରାୟ ୭୦ରୁ ଅଧିକ ସତ୍ୟପାଠ ଦାଖଲ ହୋଇଛି। ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସେବା ସହିତ ସଂପୃକ୍ତ ଥିବା ନିଯୋଗ, ସେବାୟତ, ଛତିଶା ନିଯୋଗ, ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ବାର୍‌ ଆସୋସିଏନ୍‌, ବିଶ୍ୱ ହିନ୍ଦୁ ପରିଷଦ ଆଦି ଅନୁଷ୍ଠାନ ସେମାନଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଡକ୍ଟର ବଦ୍ରିନାଥ ପଟ୍ଟନାୟକ ସତ୍ୟପାଠ ଜରିଆରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ଶ୍ରୀମନ୍ଦିର ଏକ ଧାର୍ମିକ ଅନୁଷ୍ଠାନ ହୋଇଥିବାରୁ ଏହାକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ କର୍ତୃତ୍ଵରେ ରଖିବାକୁ ସେ ପ୍ରସ୍ତାବ ରଖିଛନ୍ତି। ଶଙ୍କରାଚାର୍ଯ୍ୟଙ୍କୁ ମନ୍ଦିରର ମୁଖ୍ୟ ପରାମର୍ଶଦାତା ରଖାଯାଉ। ସେ ହିଁ କମିଟି ଚୟନ କରନ୍ତୁ। ସେହିପରି ମହାପ୍ରଭୁଙ୍କ ଆଦି ସେବକ ଗଜପତି ମହାରାଜାଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ଗଜପତିଙ୍କୁ ରାଜ୍ୟ ସରକାର କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି।

ମୁମ୍ବାଇ ସିଦ୍ଧି ବିନାୟକ ମନ୍ଦିରର ଅଧ୍ୟକ୍ଷଙ୍କୁ ମହାରାଷ୍ଟ୍ର ସରକାର ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେବା ସହିତ ସବୁ ସୁବିଧା ସୁଯୋଗ ଦେଉଥିବାରୁ ପୁରୀ ଗଜପତିଙ୍କୁ କାହିଁକି ଏ ସୁଯୋଗ ମିଳିବ ନାହିଁ ବୋଲି ସେ ଯୁକ୍ତି ରଖିଛନ୍ତି। ଆନନ୍ଦବଜାରରେ ବସି ପ୍ରସାଦ ସେବନ ପାଇଁ ଭକ୍ତଙ୍କର ଇଛା ଥିଲେ ବି ଅନେକ ମହାପ୍ରସାଦ ଖାଇବାରୁ ବଞ୍ଚିତ ହେଉଛନ୍ତି। ଭଲକି ବସି ଖାଇବାର ବ୍ୟବସ୍ଥା ନଥିବାରୁ ଏଭଳି ସ୍ଥିତି ଉପୁଜିଛି। ଭକ୍ତମାନେ ମହାପ୍ରସାଦ ଖାଇବା ପାଇଁ ଉତ୍ତରପାର୍ଶ୍ୱ ମଠ ନିକଟରେ ଖାଲି ପଡିଥିବା ତିନି ଏକର ଜମି ଉପରେ ଏକ ଅତ୍ୟାଧୁନିକ ବହୁତଳ ଡାଇନିଂ ହଲ ନିର୍ମାଣ କରିବାକୁ ସତ୍ୟପାଠରେ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ଗତ ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟର ନ୍ୟାୟିକ ତଦନ୍ତ କରି ରିପୋର୍ଟକୁ ସାର୍ବଜନୀନ କରିବାକୁ ପ୍ରସ୍ତାବ ରଖାଯାଇଛି। ତିରୁପତି ମନ୍ଦିର ଭଳି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ସେବକମାନଙ୍କୁ ପ୍ରାପ୍ୟ, ପାଉଣାକୁ ସୁରକ୍ଷିତ ରଖିବାକୁ ମଧ୍ୟ କିଛି ସତ୍ୟପାଠରେ ପ୍ରସ୍ତାବ ରଖାଯାଇଛି। ସେବକଙ୍କ ପ୍ରାପ୍ୟ ପାଉଣାକୁ ଦରମା ଆକାରରେ ଦେବାକୁ ପ୍ରସ୍ତାବ ଆସିଛି।

ଶ୍ରୀମନ୍ଦିର ସେବା ସହିତ ସଂପର୍କ ଥିବା ସୁଆର ମହାସୁଆର ନିଯୋଗ, ଛତିଶା ନିଯୋଗ, ଖୁଣ୍ଟିଆ, ଶୁଦ୍ଧ ସୁଆର ନିଯୋଗ ଆଜି ସତ୍ୟପାଠ ଦାଖଲ କରିଛନ୍ତି। ଏଥି ସହିତ ପ୍ରାୟ ୨୦ରୁ ଅଧିକ ଆଇନଜୀବୀ ମଧ୍ୟ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିଛନ୍ତି। ପୁରୀ ବାର କାଉନସିଲ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ ବିଶେଷ କରି ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରିରେ ଶୋଷଣ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। ଶୃଙ୍ଖଳିତ ଦର୍ଶନକୁ ସବୁଠୁ ଅଧିକ ପ୍ରାଧାନ୍ୟ ମିଳିଛି। ସେବକଙ୍କ ପ୍ରାପ୍ୟ ପାଉଣାକୁ ସୁରକ୍ଷିତ କରିବାକୁ ମଧ୍ୟ କିଛି ପ୍ରସ୍ତାବ ରହିଛି। ଏହି ସତ୍ୟପାଠ ଓ ଅନୁସନ୍ଧାନ ପରେ ପୁରୀ ଜିଲ୍ଲା ଜଜ୍‌ ଅମ୍ବୁଜ ମୋହନ ଦାସ ଆସନ୍ତା ୩୦ ତାରିଖ ସୁଦ୍ଧା ସୁପ୍ରିମକୋର୍ଟଙ୍କୁ ଏକ ବିସ୍ତୃୃୃତ ରିପୋର୍ଟ ପ୍ରଦାନ କରିବେ। ସତ୍ୟପାଠରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଆସିଥିବାରୁ ଏହାକୁ ବି ବିଚାରକୁ ନିଆଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର