ନାଟମଣ୍ଡପ ଛାତରୁ ଖସିଲା ପ୍ଲାଷ୍ଟର

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପରୁ ଆଜି ହଠାତ୍‌ ଚୂନ ପ୍ଲାଷ୍ଟର ଖସିଥିଲା। ହୁଣ୍ଡି ପାଖ ଦେଇ ଭକ୍ତଙ୍କ ଯିବାଆସିବା ରାସ୍ତାରେ ଏହି ପ୍ଲାଷ୍ଟର ଖସିଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଭକ୍ତଙ୍କ ଉପରେ ତାହା ପଡ଼ିନାହିଁ। ସେହି ସମୟରେ ଯାଉଥିବା ଦୁଇଜଣ ମହିଳା, ଜଣେ ଶିଶୁ ଓ ଜଣେ ବୟସ୍କ ଭକ୍ତ ବର୍ତ୍ତି ଯାଇଥିଲେ। ଏହା ପରେ ଭକ୍ତଙ୍କ ପ୍ରବେଶ ରାସ୍ତାକୁ ବଦଳାଇ ଦିଆଯାଇଥିଲା।

ନାଟମଣ୍ଡପ ଭିତର ପାଖ ଛାତରେ ପ୍ରଶାସନ ପକ୍ଷରୁ ପ୍ଲାଏରେ ଚିତ୍ର କରି ବୋଲ୍ଟିଂ କରିଥିବାରୁ ଏହି ସମସ୍ୟା ହୋଇଥିବା ଏଏସ୍‌ଆଇ ଅନୁମାନ କରିଛି। ଆଜି ଦିନ ପ୍ରାୟ ୧୧ଟା୫୫ରେ ହୁଣ୍ଡି ପାଖ ଦେଇ ଭକ୍ତ ଦର୍ଶନ ପାଇଁ ଯାଉଥିବା ବେଳେ ପ୍ଲାଷ୍ଟର ଖଣ୍ଡ ଖସି ପଡ଼ିଥିଲା। ଶବ୍ଦ ଶୁଣି ଜେଟିପି, ଜେଟିଏସ୍‌ ଓ ସେବାୟତ ଏହାକୁ ଦେଖିଥିଲେ। ଉପରେ ଆହୁରି ଖଣ୍ଡିଏ ଚୂନ ଖଣ୍ଡ ଓହଳିଥିବା ଦେଖା ଯାଇଥିଲା।

ଖବର ପାଇ ଏଏସ୍‌ଆଇର ସଂରକ୍ଷଣ ସହାୟକ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ସିଂହଦ୍ବାର ଥାନା ଆଇଆଇସି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବିପଦ ଆଶଙ୍କାରେ ସେହି ରାସ୍ତା ଦେଇ ଭକ୍ତଙ୍କ ପ୍ରବେଶ ବନ୍ଦ କରିବାକୁ ପରାମର୍ଶ ଦିଆଯିବା ପରେ ଭକ୍ତମାନେ ଘଣ୍ଟି ଦ୍ବାର ଦେଇ ଜଗୟବିଜୟ ଦ୍ବାର ପର୍ଯ୍ୟନ୍ତ ଆସି ଦର୍ଶନ କରିଥିଲେ। ଏଏସ୍‌ଆଇ ପକ୍ଷରୁ ସେହି ପ୍ଲାଷ୍ଟର ଖସାଇବାକୁ ଲୁହାଭାରା ବନ୍ଧା ହୋଇଛି। ତେବେ ଏହି ପ୍ଲାଷ୍ଟର ଖସିବା ପଛରେ ଶ୍ରୀମନ୍ଦିର ପ୍ରଶାସନର ଅଦୂରଦର୍ଶୀ ଓ ବେଆଇନ କାର୍ଯ୍ୟ ଦାୟୀ ବୋଲି ଏଏସ୍‌ଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ନାଟ ମଣ୍ଡପ ଭିତର ପାଖ ଛାତରେ କରାଯାଇଥିବା କାରୁକାର୍ଯ୍ୟ ପାଇଁ ଏହି ଅବସ୍ଥା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ପ୍ଲାଏରେ ବିଭିନ୍ନ ଚିତ୍ର କରାଯାଇଥିଲା। ପରେ ତାହାକୁ ନାଟମଣ୍ଡପ ଭିତର ପାଖ ଛାତରେ ବୋଲ୍ଟିଂ କରାଯାଇଛି। ବୋଲ୍ଟିଂ ଦୁର୍ବଳ ଯୋଗୁ ପ୍ଲାଷ୍ଟର ଖସିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର