ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ବିସ୍ଫୋରକ ରିପୋର୍ଟ : ବିଭ୍ରାଟ ପଛରେ ସେବାୟତ

ସେବକ, ନିଯୋଗ ମିଳିମିଶି କରିଥିଲେ ନୀତି ଅଚଳ

ପୁରୀ : ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ନୀତି ପ୍ରଶାସକ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦେଇଥିବା ରିପୋର୍ଟରେ ଆଖି ତରାଟି ଦେଲା ଭଳି ତଥ୍ୟ ଉଲ୍ଲେଖ ରହିଛି। ୧୬ ତାରିଖରେ କିଛି ସେବକ ନୀତି ବିଶୃଙ୍ଖଳା ପାଇଁ ଅନ୍ୟ ସେବକଙ୍କୁ କେମିତି ଉସୁକାଇଥିଲେ ଏବଂ ହାଇକୋର୍ଟ ନିର୍ଦ୍ଦେଶକୁ ଆଳ କରି ବିଭଳି ଇଚ୍ଛାକୃତ ବିଭ୍ରାଟ ସୃଷ୍ଟି କରିଥିଲେ ସେ ସଂପର୍କରେ ରିପୋର୍ଟରେ ବିସ୍ତତ ବିବରଣୀ ସୂଚୀତ ହୋଇଛି। ପାଞ୍ଚଟି ନିଯୋଗର ସେବକ ମିଳିମିଶି ମହାପ୍ରଭୁଙ୍କ ନୀତି ଅଚଳ କରିଥିବା ସଂପର୍କରେ ଏହି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ସବୁଠୁ ବଡ଼କଥା ହେଲା, ବିଭ୍ରାଟ ସୃଷ୍ଟି କରିଥିବା ତିନି ଜଣ ସେବକଙ୍କ ନାମ ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି। ବିଭ୍ରାଟ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଭିତରଛୁ ଭବାନୀ ମହାପାତ୍ର, ସୁଆର ମହାସୁଆର ନିଯୋଗର ଦାମୋଦର ମହାସୁଆର, ପୂଜାପଣ୍ଡା ନିଯୋଗର ମାଧବ ପୂଜାପଣ୍ଡାଙ୍କୁ ଦାୟୀ କରିବା ସହିତ ପ୍ରଧାନୀ ନିଯୋଗ ଏବଂ ମହାଜନ ନିଯୋଗଙ୍କୁ ସମାନ ଭାବେ ଦାୟୀ କରିଛନ୍ତି। ଭିନ୍ନ ଭିନ୍ନ ଆଳ ଦେଖାଇ ନିଯୋଗମାନେ ମିଳିମିଶି ମହାପ୍ରଭୁଙ୍କ ନୀତି ଅଚଳ କରିଥିଲେ; ସେସବୁ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଭିତରଛୁ ଭବାନୀ ମହାପାତ୍ର ଆରମ୍ଭରୁ ବିଭ୍ରାଟ କରିଥିବା ବେଳେ ପୂଜାପଣ୍ଡା ନିଯୋଗର ମାଧମ ପୂଜାପଣ୍ଡା ୩୦ ବର୍ଷ ତଳୁ ବନ୍ଦ ରହିଥିବା ପ୍ରଧାନୀ ଡକରାକୁ ଲୋଡିଥିବାରୁ ନୀତିକାନ୍ତିରେ ବିଳମ୍ବ ଘଟିଥିଲା। ମନ୍ଦିର ପ୍ରଶାସନର ଏହି ରିପୋର୍ଟ ଆଧାରରେ ବିଭ୍ରାଟ ପାଇଁ ଦାୟୀ ସେବକଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ ସବୁରି ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ନୀତି ବିଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଭିତରଛୁ ଭବାନୀ ମହାପାତ୍ର, ସୁଆର ନିଯୋଗର ଦାମୋଦର ମହାସୁଆର ଓ ମାଧମ ପୂଜାପଣ୍ଡାଙ୍କୁ ଦାୟୀ କରିଛନ୍ତି। ଏହି ତିନି ସେବକ କିଭଳି ମହାପ୍ରଭୁଙ୍କ ନୀତିରେ ଚରମ ବିଶୃଙ୍ଖଳା ସୃଷ୍ଟି କରିଥିଲେ ସେ ସଂପର୍କରେ ବିସ୍ତତ ସୂଚନା ସହ ନୀତି ପ୍ରଶାସନ ତିନି ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରିଛନ୍ତି। ସେ ଦିନ ମଙ୍ଗଳ ଆରତି ନୀତିରୁ ବିଭ୍ରାଟ ଆରମ୍ଭ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିଲା। ମଙ୍ଗଳ ଆରତି ନୀତି ବେଳେ ପୁଷ୍ପାଳକ ନିଯୋଗ ସେବକ ଗରାବଡୁ ସେବକଙ୍କୁ ହାତ ଧୋଇବା ପାଇଁ ପାଣି ମାଗିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତି ପାଇଥିବା ଅନ୍ୟ ଜଣେ ଗରାବଡୁ ସେବକଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇଥିଲା। ଜଗନ୍ନାଥ ବାଡର ସେବକ ଭିତରଛୁ ଭବାନୀ ମହାପାତ୍ର ଓ ସୁଆର ନିଯୋଗର ଦାମୋଦର ମହାସୁଆର ସଂପୃକ୍ତ ଗରାବଡୁ ସେବକ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କୁ ଏହା କରିବା ଲାଗି ବାରଣ କରିଥିଲେ। ସେ ଦିନର ପାଳିଆ ସେବକ ହୋଇନଥିବାରୁ ଏହା ନକରିବାକୁ ଉସୁକାଇଥିଲେ। ଏହି ଦୁଇ ସେବକ ଆରମ୍ଭରୁ ବିଭ୍ରାଟ ଆରମ୍ଭ କରିଥିଲେ। ସଂପୃକ୍ତ ସେବକ ନୀତି କରିବାକୁ ଚାହିଁଥିଲେ ବି ଭିତରଛୁ ଭବାନୀ କାହା କଥା ଶୁଣି ନଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ପ୍ରାରମ୍ଭିକ ବିଭ୍ରାଟ। ସେ ଦିନର ପାଳିଆ ସେବକ ଅସୁସ୍ଥ ଥିବାରୁ ସେ ସେବାକୁ ଆସି ପାରିନଥିଲେ। ଫଳରେ ବିକଳ୍ପ ସେବକ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଭିତରଛୁ ଏହି ସେବା କରିବାକୁ ଦେଇନଥିଲେ। ବିରୋଧ କାରଣରୁ ମଙ୍ଗଳଆରତି ନୀତିରେ ଅଢେଇ ଘଣ୍ଟା ବିଳମ୍ବ ହୋଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଳ କରି ଭିତରଛୁ ଭବାନୀ ପାଳିଆ ସେବକ ହିଁ ମନ୍ଦିର ଭିତରକୁ ଯାଇପାରିବେ, ଅନ୍ୟ ସେବକ ଯାଇପାରିବେ ନାହିଁ ବୋଲି ରୋକଠୋକ୍‌ ମନା କରିଦେଇଥିଲେ। ଅବକାଶ ନୀତି ପରେ ଗୋପାଳବଲ୍ଲଭ ଭୋଗ ନୀତି ପାଇଁ ଅନୁଷ୍ଠିତ ହେବାକୁ ଥିବା ରୋଷ ହୋମ ନୀତିରେ ପୂଜାପଣ୍ଡା କେଁ ପୂରାଇଥିଲେ। ପୂଜାପଣ୍ଡା ନିଯୋଗର ସଂପାଦକ ମାଧବ ପୂଜାପଣ୍ଡା ଗତ ୩୦ ବର୍ଷ ତଳୁ ଅଚଳ ରହିଥିବା ପ୍ରଧାନୀ ସେବକ ତାଙ୍କୁ ଡାକିନଥିବାରୁ ସେ ସେଠାକୁ ଯିବେ ନାହିଁ ବୋଲି ମନା କରିବାରୁ ନୀତି ଅଚଳ ହୋଇଥିଲା। ସହଯୋଗୀଙ୍କ ଡାକରାରେ ପୂଜାପଣ୍ଡା ସେବକ ମଧ୍ୟ ଆସି ନଥିଲେ। ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ ପରେ ବି ପୂଜାପଣ୍ଡା ସେବକ ରୋଷହୋମ ନୀତି ପାଇଁ ଯାଇନଥିଲେ। ଏ ନେଇ ମନ୍ଦିର ପ୍ରଶାସନ ପ୍ରଧାନୀ ନିଯୋଗକୁ ଆର୍‌ଓଆର ହିସାବରେ ଡାକିବାକୁ କହିଥିଲେ। ମାତ୍ର ପ୍ରଧାନୀ ନିଯୋଗର ସଭାପତି ଓ ସଂପାଦକ ଏହା ବି କରିବାକୁ ମନା କରିଦେଇଥିଲେ। ଦୀର୍ଘ ଦିନ ଧରି ସେମାନେ ଏହା କରୁନଥିବାରୁ ଆଜି କାହିଁକି କରିବେ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଏହି ଟଣାଓଟରା ଭିତରେ ଠାକୁରଙ୍କର ତିନି ଘଣ୍ଟା ସେବା ପୂଜା ଅଟକି ରହିଥିଲା। ଅବଶ୍ୟ ବୁଝାସୁଝା ପରେ ପୂଜାପଣ୍ଡା ରୋଷହୋମ, ସୂର୍ଯ୍ୟପୂଜା ଓ ବଲ୍ଲଭ ଭୋଗ ନୀତି ଅନୁଷ୍ଠିତ ହୋଇଥିଲା। କିନ୍ତୁ ସକାଳଧୂପ ନୀତିରେ ବିଳମ୍ବ ହୋଇଥିଲା। ଅର୍ଥାତ ସନ୍ଧ୍ୟା ୫ଟାରେ ସେ ଦିନ ସକାଳଧୂପ ନୀତି ହୋଇଥିଲା।

ସେ ଦିନର ତିଥି ଅମାବାସ୍ୟା ଥିବାରୁ ମନ୍ଦିରରେ ସାଗର ବିଜେ ନୀତିରେ ମଧ୍ୟ ବିଭ୍ରାଟ ଉପୁଜିଥିଲା। ମହାଜନ ନିଯୋଗ ଏହି ନୀତି କରିବାକୁ ମନା କରିଦେଇଥିଲେ। ଏଥିପାଇଁ ସେମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ମାଗିଥିଲେ। ସେହିଭଳି ପୁଷ୍ପାଳକ ନିଯୋଗର ପାଳିଆ ସେବକଙ୍କ ସଂପର୍କୀୟଙ୍କ ମୃତ୍ୟୁ ହେବା ପରେ ବିଳଳ୍ପ ସେବକ କରିବାକୁ କହିଥିଲେ। ଏହି ସେବକ ମଧ୍ୟ ସମାନ ଦାବି କରିଥିଲେ। ବହୁ ବାଦ ବିବାଦ ପରେ ମହାପ୍ରଭୁଙ୍କ ବେଶ ଓ ମଇଲମ ନୀତି ହୋଇଥିଲା। ମାତ୍ର ସୁଆର ମହାସୁଆର ନିଯୋଗ ଭୋଗ ମଣ୍ଡପ କରିନଥିଲେ। ରୋଷ ଘରେ ତାଲା ପକାଇ ଦେଇଥିଲେ। ଦାମୋଦର ମହାସୁଆରଙ୍କ ନେତୃତ୍ଵରେ ସୁଆର ସେବକମାନେ ସେ ଦିନ ସିଂହଦ୍ଵାର ସାମ୍ନାରେ ଧାରଣାରେ ବସିଥିଲେ। ଯେଉଁଥି ପାଇଁ ଏଭଳି ଏକ ନୀତି ବିଭ୍ରାଟ ଦେଖା ଦେଇଥିଲା ବୋଲି ନୀତି ପ୍ରଶାସକ ତାଙ୍କ ରିପୋର୍ଟରେ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର