ନୂଆ ବର୍ଷରେ ନୂଆ ଠିକଣା ପାଇବ ଶ୍ରୀୟା

କୋରାପୁଟ : ଆଉ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରହିବନି ଶ୍ରୀୟା। ବରଂ ରହିବ ବଙ୍ଗଳାରେ। ବାପା, ମା’ଙ୍କ ସ୍ନେହରେ ବଡ ହେବ। ନୂଆବର୍ଷ ଶ୍ରୀୟା ପାଇଁ ଏମିତି ନୂଆ ସମ୍ଭାବନା ଆଣି ଦେଇଛି। ଆଉ ନୂଆ ବର୍ଷରେ ନୂଆ ଠିକଣାରେ ନୂଆ ଜୀବନ ଆରମ୍ଭ କରିବ ଶ୍ରୀୟା।

ଇଏ ହେଉଛି ସେହି ଶ୍ରୀୟା, ଯିଏକି ମା’ ଶବ ପାଖରେ ରାତିସାରା କାନ୍ଦୁଥିଲା। କୋରାପୁଟ ଜିଲ୍ଲା ବୋରିଗୁମ୍ମାର ଏକ ଜଙ୍ଗଲରୁ ଜୁଲାଇ ୧୧ତାରିଖରେ ଉଦ୍ଧାର ହୋଇଥିଲା ଏହି ୧୦ମାସର କନ୍ୟା। ଶ୍ରୀୟାର ପରିଚୟ ଖୋଜିବା ପାଇଁ ପୁଲିସ ନାକେଦମ ହୋଇଥିଲେ ମଧ୍ୟ ଏଥିରେ ସଫଳ ହୋଇ ନ ଥିଲା। ଶେଷରେ କାରା େଓ୍ଵବସାଇଟ୍‌ରେ ଶ୍ରୀୟା ସଂପର୍କିତ ସମସ୍ତ ତଥ୍ୟ ଅପଲୋଡ କରି ଦିଆଯାଇଥିଲା। ଆଉ ଏବେ ଶ୍ରୀୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ହାଇଦ୍ରାବାଦର ଜଣେ ସଫଟେଓ୍ଵୟାର ଇଂଜିନିୟର ଶ୍ରୀୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆବେଦନ କରିଛନ୍ତି। ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିଲା ବେଳେ ପତ୍ନୀ ମଧ୍ୟ ଜଣେ ଇଂଜିନିୟର। ଏଥିନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ କହିଛନ୍ତି ଯେ, ଶ୍ରୀୟାକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ କାରା େଓ୍ଵବସାଇଟ୍‌ରେ ଯେଉଁ ତଥ୍ୟ ଦିଆଯାଇଥିଲା ସେହି ଆଧାରରେ ଏକ ଲିଙ୍କ ଆସିଛି। ସେମାନେ ଖୁବ୍‌ଶୀଘ୍ର ଶ୍ରୀୟାକୁ ଦେଖିବାକୁ ଆସିବେ। ପ୍ରକ୍ରିୟା ଯଦି ଠିକଠାକ ଚାଲେ, ତେବେ ଆସନ୍ତା ନୂଆ ବର୍ଷରେ ଶ୍ରୀୟା ନୂଆ ଜାଗାରେ ରହିବ।

ସମ୍ବନ୍ଧିତ ଖବର