ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ : ୨୦୧୭ରେ ୧୨୬୭ ହତ୍ୟା, ୨୨୨୧ ଦୁଷ୍କର୍ମ, ୧୭ ଦଙ୍ଗା

୭ଟି ଜିଲ୍ଲାରେ ମାଓ ଉଗ୍ରବାଦ ସ୍ଥିତି ଆହ୍ଵାନମୂଳକ

ଭୁବନେଶ୍ୱର : ୨୦୧୭ରେ ରାଜ୍ୟରେ ୧୨୬୭ଟି ହତ୍ୟାକାଣ୍ଡ, ୨୨୨୧ଟି ଦୁଷ୍କର୍ମ, ୨୦୪୮ଟି ବଳପୂର୍ବକ ଚୋରିି, ୩୯୪୩ଟି ଘରେ ପଶି ଚୋରି, ୯୦୮୩ଟି ଚୋରି, ୨୯୬୦ଟି ଠକେଇ, ୫୩୪ଟି ଡକାୟତି, ୧୦ ହଜାର ୮୫୫ଟି ମୋଟରଯାନ ଦୁର୍ଘଟଣା ଆଦି ଅପରାଧ ଘଟିଥିବାର ପଞ୍ଜୀକୃତ ହୋଇଛି। ଏହା ସହିତ ୨୪୦୭ଟି ଦଙ୍ଗା ଘଟିଥିବା ବେଳେ ୧୭ଟି ସାମ୍ପ୍ରଦାୟିକ ଦଙ୍ଗା ପଞ୍ଜୀକରଣ ହୋଇଛି।

ଆଜି ବିଧାନସଭାରେ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ବିଭାଗୀୟ ଷ୍ଟାଣ୍ଡିଂ କମିଟି ୨୦୧୭-୧୮ ପାଇଁ ତା’ର ରିପୋର୍ଟ ଉପସ୍ଥାପନ କରିଛି। ସେହି ରିପୋର୍ଟରେ ରାଜ୍ୟରେ ଗତବର୍ଷ ଉପରୋକ୍ତ ଅପରାଧଗୁଡ଼ିକ ସଂପର୍କରେ ଦର୍ଶାଯାଇଛି। ସୂଚନାନୁସାରେ ରାଜ୍ୟରେ ଗତ ବର୍ଷ ମୋଟ ୧ ଲକ୍ଷ ୩ ହଜାର ୮୬୬ଟି ଧର୍ତ୍ତବ୍ୟ ଅପରାଧ ରେକର୍ଡ କରାଯାଇଥିଲା। ରାଜ୍ୟରେ ମୋଟ ୫୫୬୨ଟି ଯୌତୁକଜନିତ ମାମଲା ଦାଏର ହୋଇଥିଲା। ସେଥିମଧ୍ୟରୁ ୨୦୭୫ଟି ମାମଲାର ତଦନ୍ତ ଜାରି ରହିଛି। ଯେତେସଂଖ୍ୟକ ମାମଲାର ତଦନ୍ତ ହୋଇଛି, ସେଥିମଧ୍ୟରୁ ମାତ୍ର ୨୯ଟି ସତ୍ୟ ବୋଲି ଦର୍ଶାଯାଇଛି। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୋଧରେ ନିର୍ଯାତନା ନେଇ ୨୬୨୯ଟି ମାମଲା ପଞ୍ଜୀକରଣ ହୋଇଥିଲା।

ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ମୋଟାମୋଟି ନିୟନ୍ତ୍ରଣରେ ରହିଥିଲା। ଗଜପତି, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ନବରଙ୍ଗପୁରରେ ମାଓ ହିଂସାକାଣ୍ଡ ଦେଖିବାକୁ ମିଳିନଥିଲା। ତେବେ ନୂଆପଡ଼ା, ବୌଦ୍ଧ, ନୟାଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ମାଓ ହିଂସା ବ୍ୟାପକ ରୂପେ ନିୟନ୍ତ୍ରିତ ହୋଇପାରିଛି। କିନ୍ତୁ ୭ଟି ଜିଲ୍ଲା ଯଥା: ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ବଲାଙ୍ଗୀରର କିଛି ଭାଗଗୁଡ଼ିକରେ ମାଓ ଉଗ୍ରବାଦ ଆହ୍ଵାନ ସୃଷ୍ଟି କରିଛି। ଗତବର୍ଷ ୫୨ଟି ମାଓ ହିଂସାକାଣ୍ଡ ଘଟିଥିଲା।

ଗତବର୍ଷ ରାଜ୍ୟରେ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ଘଟିନଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ସତ୍ତ୍ୱେ ୧୬ଟି ହିନ୍ଦୁ-ମୁସଲମାନ ଏବଂ ୧ଟି ହିନ୍ଦୁ-ଖ୍ରୀଷ୍ଟିୟାନ୍‌ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଦଙ୍ଗା ଘଟିଥିଲା। ତେବେ ଏହା ବଡ଼ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରିନଥିଲା। ତେବେ ରାଜ୍ୟରେ ଗୋଟିଏ ବି ଉଗ୍ରବାଦ ଘଟଣା ଘଟିନଥିଲା। ସେହିପରି ରାଜନୈତିକ, ଶିଳ୍ପ, ଶ୍ରମିକ, ଛାତ୍ର ଆଦି ପରିସ୍ଥିତି ଶାନ୍ତି ବ୍ୟାହତ କରିପାରିନଥିବା ରିପୋର୍ଟରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦୦-୦୧ରୁ ୨୦୧୬-୧୭ ମଧ୍ୟରେ ରାଜ୍ୟରେ ପୁଲିସ ଆଧୁନିକୀକରଣ ପାଇଁ ମୋଟ ୮୫୮.୩୦ କୋଟି ମିଳିଥିଲା। ସେଥିମଧ୍ୟରୁ ୮୨୨.୮୮ କୋଟି ଖର୍ଚ ହୋଇଛି।

ସମ୍ବନ୍ଧିତ ଖବର