ଶିକ୍ଷକଙ୍କୁ ରାଜ୍ୟ ପୁରସ୍କାର ବିବାଦ : ନୂଆ ନିୟମାବଳୀ ଉପରେ ରହିତାଦେଶ ଥିବା ସତ୍ତ୍ୱେ ନାଁ ଘୋଷଣା

କଟକ : ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ସତ୍ତ୍ୱେ ସରକାର ରାଜ୍ୟ ପୁରସ୍କାର ପାଇଁ ବିଦ୍ୟାଳୟ ଶିକ୍ଷକଙ୍କ ନାଁ ଘୋଷଣା କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ପୁରସ୍କାର ଚୟନ ପ୍ରକ୍ରିୟା ନେଇ ଜାରି କରାଯାଇଥିବା ନୂଆ ନିୟମାବଳୀ ସଂପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ୨୦୧୮, ମେ’ ୧୮ରେ ରହିତାଦେଶ ଜାରି କରିଥିଲେ। କିନ୍ତୁ ୨୦୧୮, ସେପ୍ଟେମ୍ବର ୧ରେ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୭ ବର୍ଷ ପୁରସ୍କାର ପାଇଁ ଶିକ୍ଷକଙ୍କ ନାଁ ଘୋଷଣା କରାଯାଇଛି। ସେପ୍ଟେମ୍ବର ୫ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଏହି ଶିକ୍ଷକଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ଚିଠିରେ ସ୍ପଷ୍ଟ କରାଯାଇଛି। ରାଜ୍ୟ ପୁରସ୍କାର ଚୟନ ପ୍ରକ୍ରିୟାକୁ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୦୧୮, ମାର୍ଚ୍ଚ ୧୪ରେ ପ୍ରକାଶ କରିଥିବା ନୂଆ ନିୟମାବଳୀ ସଂପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ରହିଛି ଏବଂ ଏ ସଂପର୍କିତ ମାମଲା ଏବେ ବି ବିଚାରାଧୀନ ଥିବା ବେଳେ କେଉଁ ନିୟମରେ ରାଜ୍ୟ ପୁରସ୍କାର ପାଇଁ ଯୋଗ୍ୟ ଶିକ୍ଷକଙ୍କ ଚୟନ କରାଯାଇଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ଉଲ୍ଲେଖ ଯୋଗ୍ୟ ଯେ ୨୦୧୮, ମାର୍ଚ୍ଚ ୧୪ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତକୁ ଚାଲେଞ୍ଜ କରି ଝାରସୁଗୁଡା ଜିଲ୍ଲା ବେଲପାହାଡସ୍ଥିତ ବି.ଆର୍‌.ହାଇସ୍କୁଲର ସହକାରୀ ଶିକ୍ଷକ ଗିରିଶ ଚନ୍ଦ୍ର ତ୍ରିପାଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର