ଭୁବନେଶ୍ୱର: କୋହଳ ମାନ ଧାନର ସହାୟକ ମୂଲ୍ୟ କାଟ୍ କରାଯିବା ନେଇ କେନ୍ଦ୍ର ସରକାରଙ୍କ ସର୍ତ ଆଦୌ ଗ୍ରହଣୀୟ ନୁହେଁ। ଏଭଳି ସର୍ତକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତିି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଏସଂପର୍କରେ ଚିଠି ଲେଖିବେ। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ଅଦିନିଆ ବର୍ଷାରେ ଧାନର ଫେୟାର ଆଭରେଜ୍ କ୍ୱାଲିଟି ବା ଏଫ୍ଏକ୍ୟୁ ମାନ କୋହଳ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ କେତେକ ସର୍ତ ଆରୋପ କରିଥିଲା। ଏସଂପର୍କରେ ପ୍ରତିକ୍ରିୟା ଜଣାଇ ରାଜ୍ୟ ସରକାର କହିଛନ୍ତି, ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନର ଆର୍ଦ୍ରତା କୋହଳ କରାଯାଇନାହିଁ। ଏହା ୧୭ ପ୍ରତିଶତ ରହିଛି। କିନ୍ତୁ ବେରଙ୍ଗ/ନଷ୍ଟ ମାନର ଧାନକୁ ୫ରୁ ୧୧ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି ପୂର୍ଣ୍ଣ ଧାନରେ ପରିଣତ ହୋଇନଥିବା ବା ଅଗାଡ଼ି ସଦୃଶ ଧାନର ମାନକୁ ୩ରୁ ୫ ପ୍ରତିଶତକୁ ବୃଦ୍ଧି ହୋଇଛି। କୋହଳ ମାନର ବେରଙ୍ଗ, ଅଗାଡ଼ି ଧାନ ସର୍ତଗୁଡ଼ିକୁ ରାଜ୍ୟ ସରକାର ବିରୋଧ କରୁନାହାନ୍ତି। ତେବେ ସବୁଠାରୁ ଚିନ୍ତାଜନକ ହୋଇଛି କୋହଳ ମାନର ଧାନ ପାଇଁ ସହାୟକ ମୂଲ୍ୟକୁ କ୍ୱିଣ୍ଟାଲ୍ ପିଛା ୧୪୦ ଟଙ୍କା ହ୍ରାସ କରାଯାଇଛି। ଅର୍ଥାତ୍, ଯେଉଁ ଚାଷୀମାନଙ୍କଠାରୁ କୋହଳ ମାନର ଧାନ କିଣାଯିବ, ସେଥିପାଇଁ କ୍ୱିଣ୍ଟାଲ୍ ପିଛା ୧୫୫୦ ଟଙ୍କାର ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ ନାହିଁ। ୧୪୧୦ ଟଙ୍କା ଦିଆଯିବ। କିନ୍ତୁ କେନ୍ଦ୍ର ସରକାରଙ୍କ ସହାୟକ ମୂଲ୍ୟରେ କ୍ୱିଣ୍ଟାଲ୍ ପିଛା ୧୪୦ ଟଙ୍କା କାଟ୍ ସର୍ତ ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି। ତାଙ୍କ କହିବା ମୁତାବକ ରାଜ୍ୟରେ ବର୍ତମାନ ସୁଦ୍ଧା ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ପ୍ରାୟ ୭୫ ପ୍ରତିଶତ ଧାନ ସଂଗ୍ରହ ହେଲାଣି। ଚାଷୀମାନେ ଧାନ ଉତ୍ପାଦନ ନିମନ୍ତେ ଯେତିକି ଖର୍ଚ କରିବା କଥା କରିଛନ୍ତି। ଅଦିନିଆ ବର୍ଷାରେ ଧାନର ମାନ ଖରାପ ହେବା ପାଇଁ ଚାଷୀ ନୁହେଁ, ପ୍ରାକୃତିକ ବିପର୍ଯ୍ୟୟ ଦାୟୀ। ସେଥିପାଇଁ ଧାନର ଏଫ୍ଏକ୍ୟୁକୁ କୋହଳ କରିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲୁ। କିନ୍ତୁ ଏଫ୍ଏକ୍ୟୁ ମାନ କୋହଳ କରି ସହାୟକ ମୂଲ୍ୟ କାଟ୍ କଲେ, ଚାଷୀମାନେ ହିଁ କ୍ଷତିଗ୍ରସ୍ତ ହେବେ। ମିଲ୍ ମାଲିକମାନେ ଏଭଳି ପରିସ୍ଥିତିରୁ ମୁନାଫା ଉଠାଇବେ। ୨୦୧୦ରେ ଅନୁରୂପ ପରିସ୍ଥିତି ଉପୁଜିଥିଲା। ତତ୍କାଳୀନ କେନ୍ଦ୍ର ସରକାର ମାନ କୋହଳ କରିଥିଲେ। କିନ୍ତୁ ସହାୟକ ମୂଲ୍ୟ କାଟିନଥିଲେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତବର୍ଷ ଅଦିନିଆ ବର୍ଷା ମାଡ଼ରେ ରାଜ୍ୟର ୧୯ଟି ଜିଲ୍ଲାର ପ୍ରାୟ ୩.୧୭ ଲକ୍ଷ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ସେହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କଟକ, ଢେଙ୍କାନାଳ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ।