ଦୁଇମାସ ହେଲା ‘ସେଇୟା’ ଅଚଳ

ପ୍ରକଳ୍ପଗୁଡ଼ିକୁ ପରିବେଶ ମଞ୍ଜୁରି ଠପ୍‌

ଭୁବନେଶ୍ବର : ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତୃପକ୍ଷ ବା ‘ସେଇୟା’ ପାଖାପାଖି ଦୁଇମାସ ଧରି ଅଚଳ। ଫଳରେ ‘ବି’ ଶ୍ରେଣୀଭୁକ୍ତ ବିଭିନ୍ନ ଶିଳ୍ପ, ଖଣି, ଜଳସେଚନ, ରାଜପଥ, ଅଟ୍ଟାଳିକା ଆଦି ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରି ପ୍ରଦାନ କାର୍ଯ୍ୟ ଠପ୍‌ ହୋଇପଡ଼ିଛି। ସେଇୟା ପାଇଁ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନେଇ କର୍ତୃପକ୍ଷ ଏବଂ ଏହାର ସହାୟକ କମିଟି ଗଠନ ହୋଇପାରୁନଥିବାରୁ ଏଭଳି ସମସ୍ୟା ଉପୁଜିଛି।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ନୀତି ନିୟମ ମୁତାବକ ‘ବି’ ଶ୍ରେଣୀଭୁକ୍ତ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ରାଜ୍ୟ ସରକାର ପରିବେଶ ମଞ୍ଜୁରି ଦେଇପାରିବେ। ଏଥିପାଇଁ କେନ୍ଦ୍ରୀୟ ନିୟମ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ଭଳି ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୨୦୦୬ରୁ ଗଠିତ ହୋଇଛି ସେଇୟା ବା ଷ୍ଟେଟ୍‌ ଏନ୍‌ଭରୋନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି। ଏହି କର୍ତୃପକ୍ଷ ଅଧୀନରେ ରହିଛି ଷ୍ଟେଟ୍‌ ଏକ୍ସପର୍ଟ ଆପ୍ରେଜାଲ୍‌ କମିଟି ବା ସିଆକ୍‌। ଏହି କମିଟି ରାଜ୍ୟର ଶିଳ୍ପ, ଜଳସେଚନ, ରାଜପଥ, ଅଟ୍ଟାଳିକା, ଗୁରୁ ଓ ଲଘୁ ଖଣିଜ ପ୍ରକଳ୍ପ ଆଦି ବିଭିନ୍ନ ପ୍ରସ୍ତାବକୁ ଆବଶ୍ୟକ ଯାଞ୍ଚ କରି ସେଇୟାକୁ ପଠାଇଥାଏ। ଏହି ଯାଞ୍ଚ କାର୍ଯ୍ୟ ନିମନ୍ତେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ପ୍ରତି ପ୍ରକଳ୍ପ ନିମନ୍ତେ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏଁ ଧାର୍ଯ୍ୟ ହୋଇଛି। ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସେଇୟା ସେହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇଥାଏ।

ସୂଚନାନୁସାରେ ସେଇୟା ଓ ସିଆକ୍‌ ପ୍ରତି ତିନିବର୍ଷରେ ଥରେ ପୁନର୍ଗଠିତ ହେବା କଥା। କିନ୍ତୁ ପାଖାପାଖି ଦୁଇମାସ ହେଲା ଉଭୟ କର୍ତୃପକ୍ଷ ଓ କମିଟି ପୁନର୍ଗଠନ ହୋଇପାରିନାହିଁ। ଗତ ଡିସେମ୍ବର ୧୫ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସେଇୟାର ଅଧ୍ୟକ୍ଷ ଓ ୨ଜଣ ସଦସ୍ୟଙ୍କ ନାମ ଏବଂ ୧୨ ସଦସ୍ୟ ବିଶିଷ୍ଟ ସିଆକ୍‌ ପାଇଁ ସଦସ୍ୟମାନଙ୍କ ନାମ କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟକୁ ପଠାଯାଇଛି। କିନ୍ତୁ ଏହା ନିୟମ ମୁତାବକ ହୋଇନଥିବା ଦର୍ଶାଇ ଉଭୟ କର୍ତୃପକ୍ଷ ଓ କମିଟି କର୍ମକର୍ତାଙ୍କ ନାମ ପ୍ରସ୍ତାବକୁ ଫେରାଇ ଦେଇଛି ସଂପୃକ୍ତ ମନ୍ତ୍ରଣାଳୟ।

ଏ ସଂପର୍କରେ ପଚାରିବାରୁ ପରିବେଶ ନିର୍ଦେଶକ ଡ. କେ. ମୁରୁଗେସନ୍‌ କହିଛନ୍ତି ଯେ ପ୍ରଥମେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପ୍ରସ୍ତାବ ପାଇନଥିବା କହିଥିଲା। ଏଣୁ, ସେ ନିଜେ ମନ୍ତ୍ରଣାଳୟକୁ ଯାଇ ଏହି ଫାଇଲ୍‌ ହସ୍ତାନ୍ତର କରିଥିଲେ। ପରେ ମନ୍ତ୍ରଣାଳୟ ସଂପୂର୍ଣ୍ଣ ବିବରଣୀ ମାଗିଛି। ତଦନୁଯାୟୀ ବିଭାଗ ପକ୍ଷରୁ ବିବରଣୀ ଦାଖଲ ପାଇଁ ପଦକ୍ଷେପ ନିଆଯାଉଛି। ଏ ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ଉଭୟ କର୍ତୃପକ୍ଷ ଓ କମିଟିର ପ୍ରସ୍ତାବିତ କର୍ମକର୍ତା ଓ ସଦସ୍ୟମାନଙ୍କ ସଂପର୍କରେ ବ୍ୟକ୍ତିଗତ ବିବରଣୀ(ସିଭି) ଓ ନୋ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ପାଇଁ ଆବଶ୍ୟକ ପ୍ରମାଣପତ୍ର ଦିଆଯାଇନଥିବା ଜଣାଯାଇଛି।

ସୂଚନାନୁଯାୟୀ ଜଙ୍ଗଲ ବିଭାଗ ପକ୍ଷରୁ ତରବରିଆ ଭାବେ ତ୍ରୁଟିପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ସେଇୟାର ପୂର୍ବତନ ଅଧ୍ୟକ୍ଷଙ୍କୁ ପୁନର୍ବ‌ାର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ ସିଆକ୍‌ର ମୁଖ୍ୟ ଭାବେ ପରିବେଶ ବିଭାଗର ଜଣେ ପୂର୍ବତନ ନିର୍ଦେଶକଙ୍କୁ ମନୋନୀତ କରାଯାଇଥିବା ଜଣାଯାଇଛି। ପରିବେଶ ମଞ୍ଜୁରି ପ୍ରକ୍ରିୟାରେ ଉଭୟ କର୍ତୃପକ୍ଷ ଓ କମିଟିର କିଛି ସଦସ୍ୟଙ୍କ କାର୍ଯ୍ୟକଳାପ ଦୁର୍ନୀତିପୂର୍ଣ୍ଣ ଅଭିଯୋଗ କରି କର୍ମକର୍ତା ମନୋନୟନରେ ସ୍ବଚ୍ଛତା ଆଣିବାକୁ ପୂର୍ବତନ ପରିବେଶ ନିର୍ଦେଶକ ଭାଗିରଥୀ ବେହେରା ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର