ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର : ସମ୍ବିତଙ୍କୁ ମରଣୋତ୍ତର ସମ୍ମାନ, ରବିଶଙ୍କରଙ୍କୁ ଜୟଦେବ

ଅଭିନୟରେ ଶ୍ରେଷ୍ଠ ପାର୍ଥ, ସନ୍‌ମୀରା

ଭୁବନେଶ୍ବର : ‘ଅଭିମାନ’ରୁ ‘ଚିନି’। ପରଦା ପଛର ନେପଥ୍ୟ ନାୟକ ସାଜି କୋଟିକୋଟି ଦର୍ଶକଙ୍କୁ ବିଭୋର କରିଥିବା ରବିଶଙ୍କର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି ରାଜ୍ୟ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯାଇଛି। ୩୮ ଓଡ଼ିଆ ଚଳଚ୍ଚିତ୍ର ସମେତ ବଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ସମ୍ପାଦନା କରି ବାଃବାଃ ସାଉଁଟିଥିବା ଏହି ପ୍ରତିଭାଙ୍କୁ ଆଜି ମଂଚରେ ପୁରସ୍କୃତ କରାଯାଇଛି।
‘ହେଲୋ ଆର୍‌ସି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମୋହନ ସୁନ୍ଦର ଦେବଗୋସ୍ବାମୀ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଯୋଜକ ଅଜୟ ରାଉତରାୟଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି ସହ ସମ୍ମାନିତ କରାଯାଇଛି। ଏଥିସହ ‘ହେଲୋ ଆର୍‌ସି’ ୫ଟି ବିଭାଗରେ ପୁରସ୍କାର ହାସଲ କରିଛି। ଏହି ଚଳଚ୍ଚିତ୍ରର ନିର୍ଦେଶନା ଓ ସଂଳାପ ଦୁଇ ବିଭାଗରେ ସମ୍ବିତ ରାଉତଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦାନ କରାଯାଇଛି। ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ସମ୍ବତଙ୍କ ପରଲୋକ ହୋଇଯିବାରୁ ଆଜି ତାଙ୍କ ଉଦ୍ଦେଶ୍ୟରେ ପତ୍ନୀ ରିତୁ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। ଜାତୀୟ ପୁରସ୍କାର ପରେ ସେ ରାଜ୍ୟରେ ମଧ୍ୟ ଏହି ପୁରସ୍କାର ପାଇଲେ। କିନ୍ତୁ ଏତେ ସମ୍ମାନ ସେ ଦେଖିପାରିଲେ ନାହିଁ। ସେ ବିନା ଦ୍ବିଧାରେ କୌଣସି ପ୍ରାପ୍ତି ନରଖି କାମ କରିବାର ଏ ହେଉଛି ଅବଦାନ ବୋଲି ରିତୁ କହିଛନ୍ତି।

ଏହି ଚଳଚ୍ଚିତ୍ରର ନାୟକ ପାର୍ଥସାରଥୀ ରାୟଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଶବ୍ଦ ସଂଯୋଜନା ପାଇଁ ସୁବାସ ସାହୁଙ୍କୁ ପୁରସ୍କୃତ କରାଯାଇଛି। ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ରର ସନ୍‌ମୀରା ନାଗେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି।

ସେହିପରି ଶ୍ରେଷ୍ଠ କାହାଣୀ ପାଇଁ ‘ଦୃଷ୍ଟାନ୍ତ’ର ଜିତେନ୍ଦ୍ରନାଥ ମହାପାତ୍ର, ଲୈଲା ଓ ଲୈଲା’ ଚଳଚ୍ଚିତ୍ର ନିମନ୍ତେ ବୈଦ୍ୟନାଥ ଦେଶଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦେଶକ, ‘ସପନର ପଥେ ପଥେ’ ଚଳଚ୍ଚିତ୍ରରେ ‘ବିତି ଯାଇଛି କେତେ ଦିନ… ଗୀତରେ କଣ୍ଠଦାନ ପାଇଁ ଶ୍ରେଷ୍ଠ କଣ୍ଠଶିଳ୍ପୀ (ପୁଅ) ଭାବେ ‌ସତ୍ୟଜିତ ପ୍ରଧାନ, ମୁଁ ଖାଣ୍ଟି ଓଡ଼ିଆ ଝିଅ..ଗୀତ ଗାଇଥିବା ‌ଅସୀମା ପଣ୍ଡାଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ (ଝିଅ) ବର୍ଗରେ ପୁରସ୍କୃତ କରାଯାଇଥିଲା। ଏଥିସହ ‘ଶିବା ନଟ୍‌ଆଉଟ୍‌’ ଚଳଚ୍ଚିତ୍ରରେ ଫଟୋଗ୍ରାଫିରେ ଧୃବାନନ୍ଦ ପଣ୍ଡା, ‘କ୍ଷଣିକା’ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ଅମର୍ତ୍ୟ ଭଟ୍ଟଚାର୍ଯ୍ୟ, ‘ତୁ ମୋ ଲଭ୍‌ ଷ୍ଟୋରି’ର ‘ଟିକେ ଟିକେ ଅଚିହ୍ନା ତୁ… ଗୀତ ପାଇଁ ଅରୁଣ ମନ୍ତ୍ରୀଙ୍କୁ ଶ୍ରେଷ୍ଠ ଗୀତିକାର, ‘ତୁ ମୋ ଲଭ୍‌ଷ୍ଟୋରି’ ଫିଲ୍ମ ପାଇଁ ଦେବୀଦତ୍ତ ମହାନ୍ତି ଶ୍ରେଷ୍ଠ ନାଟ୍ୟକାର, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ ପାଇଁ ମନୋଜ ପଟ୍ଟନାୟକ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା, ମାମୁନି ମିଶ୍ର ପାର୍ଶ୍ବ ଅଭିନେତ୍ରୀ, ‘ହିରୋ ନମ୍ବର ୱାନ୍‌’ ପାଇଁ ତ୍ରୁଭୁବନ ପଣ୍ଡାଙ୍କୁ ହାସ୍ୟ କଳାକାର, ‘ସପନଟିଏ’ରେ ଅଭିନୟ ପାଇଁ ମାଗୁଣି ପାତ୍ରଙ୍କୁ ଶ୍ରେଷ୍ଠ ଶିଶୁ କଳାକାର, ‘ତୁ ମୋ ଲଭ୍‌ ଷ୍ଟୋରି’ ଚଳଚ୍ଚିତ୍ର ପାଇଁ ‌ସୁବାସ ବେହେରାଙ୍କୁ ‌ଶ୍ରେଷ୍ଠ କଳା ନିର୍ଦେଶକ, ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ‘ଶିବା ନଟ୍‌ଆଉଟ୍‌’ରେ ଅଭିନୟ ପାଇଁ ସ୍ବତନ୍ତ୍ର ବିଚାରକ ପୁରସ୍କାର ଏବଂ ‘ଜଷ୍ଟ୍‌ ମୋହବତ୍‌’ ପାଇଁ ଏସ୍‌.କେ ମୁରଲୀଧରନ୍‌ଙ୍କୁ ଶ୍ରେଷ୍ଠ ନୃତ୍ୟ ସଂଯୋଜକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଶିଶୁ/ଶିକ୍ଷା ଚଳଚ୍ଚିତ୍ର ବର୍ଗରେ ‘ଦୃଷ୍ଟାନ୍ତ’ ପାଇଁ ବିଭୁଦତ୍ତ ଦୀକ୍ଷିତ ଓ ବିଭାବରୀ ରଥ, ‘ଜଷ୍ଟ୍‌ ମୋହବତ୍‌’ ପାଇଁ ଅରୁଣ ପାଟରାଙ୍କୁ ‌ବେଶ ପ‌ୋଷାକ ସଜାକାରୀ, ଜଗନ୍ନାଥ ଧାମ ପୁରୀ’ ପାଇଁ ମାନସ ବେହେରାଙ୍କୁ ଶ୍ରେଷ୍ଠ ରୂପସଜାକାରୀ ଭାବେ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ସଂଗୀତ ନାଟକ ଏକାଡେମି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ବିଜୟ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଚଳଚ୍ଚିତ୍ର ପୁରସ୍କାର ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କର, ଧୀରେନ୍ଦ୍ରନାଥ ମଲ୍ଲିକ, ବିଜୟ ମଲ୍ଲ, ହିମାଂଶୁ ଖଟୁଆ, ଅମରେନ୍ଦ୍ର ମହାନ୍ତି ଏବଂ ପରୀକ୍ଷିତ ଜେନାଙ୍କୁ ସମ୍ବର୍ଧିତ କରାଯାଇଥିଲା। ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ ଏବଂ ସ୍ବତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ ଉପସ୍ଥିତ ଥିଲେ। ପରେ ସିଜ୍‌ଲର୍ସ ଗ୍ରୁପ୍‌ ଏବଂ ସିନେ କଳାକାରଙ୍କ ଦ୍ବାରା ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ପରିବେ‌ଷିତ ହୋଇଥିଲା। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଓ ଉଷଶୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର