ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ଲାଗି ଆରମ୍ଭ ହେବ ‘ସୁନନ୍ଦା ସମ୍ମାନ’ ଓ ପ୍ରତିଷ୍ଠା ହେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚେୟାର
ଭୁବନେଶ୍ବର: ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ସୁନାମଧନ୍ୟ ଶାସ୍ତ୍ରୀୟ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଚେୟାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସଂଗୀତ ସମ୍ରାଜ୍ଞୀ ସୁନନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସ୍ୱର୍ଗତ ସୁନନ୍ଦାଙ୍କ ସ୍ମୃତିଚାରଣ କରିବାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ଶୋକସଭା ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସୁନନ୍ଦା ପଟ୍ଟନାୟକଙ୍କ ଅମ୍ଳାନ ସ୍ମୃତିରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଂଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ । ଏହାସହ ଶାସ୍ତ୍ରୀୟ ସଂଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷାପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍’ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବାଦ୍ ପୁରୀ ଓ କଟକରେ ଥିବା ତାଙ୍କ ବାସଭବନକୁ ତାଙ୍କ ପରିବାର ଲୋକଙ୍କ ଅନୁମତିକ୍ରମେ ସ୍ମୃତି ସଦନ ଭାବେ ବିକଶିତ କରାଯିବ।
କେବଳ ଏତିକି ନୁହେଁ, ଗୁରୁମାଙ୍କ ସ୍ମୃତିକୁ ସମସ୍ତଙ୍କ ହୃଦୟରେ ସାଇତି ରଖିବା ପାଇଁ ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ବାଦ୍ୟ ଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀରେ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯିବ । ତେଣୁ ତାଙ୍କ ବ୍ୟବହୃତ ଜିନିଷକୁ ଦାନ କରିବା ପଇଁ ତାଙ୍କ ପରିବାରର ଲୋକଙ୍କୁ ଅନୁରୋଧ କରାଯିବ ।