ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ନିଜାମୁଦ୍ଦିନ୍‌ ଫେରନ୍ତା; ସୂଚନା ଦେଲେ ସରକାର

ତବଲିଗିରୁ ଫେରି ତାଳଚେର ଯାଇଥିଲେ ୧୦ ଜଣ ବ୍ୟକ୍ତି

ଭୁବନେଶ୍ୱର: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରେ ଆୟୋଜିତ ତବଲିଗି ଜମାତ ଧାର୍ମିକ ସମ୍ମିଳନୀରେ ଓଡ଼ିଶାରୁ ଅଂଶଗ୍ରହଣ କରିଥିବା ଲୋକଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ-୧୯ ମୁଖ୍ୟ ଆଜି ସୂଚନା ପ୍ରଦାନ କରିଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତବଲିଗି ଜମାତରୁ ୨୭ ଜଣ ରାଜ୍ୟକୁ ଫେରିଛନ୍ତି । ଏଥିରୁ ୨୧ ଜଣଙ୍କ ଟେଷ୍ଟ ନେଗେଟିଭ ଆସିଥିବା ବେଳେ କେବଳ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି କଟକରେ ଚିହ୍ନଟ ହୋଇଥିବା ବ୍ୟକ୍ତି ତବଲିଗି ଜମାତ ଧାର୍ମିକ ସମାରୋହରୁ ଫେରିଥିଲେ । ଆହୁରି ୫ ଜଣଙ୍କ ନମୁନାକୁ ଅପେକ୍ଷା କରାଯାଇଛି । ଏଥି ସହ ତବଲିଗି କାର୍ଯ୍ୟକ୍ରମରୁ ଫେରିଥିବା ସମସ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ସଂଗରୋଧରେ ରଖାଯିବା ସହ ପର୍ଯ୍ୟବେକ୍ଷଣ କରାଯାଉଛି ।

ଶ୍ରୀ ବାଗଚୀ କହିଛନ୍ତି, ଆହୁରି ତବଲିଗି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୪୦ ଜଣ ଲୋକ ଏବେ ଓଡ଼ିଶା ବାହାରେ । ଏମାନେ ଦିଲ୍ଲୀ, ବିହାର, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଅଛନ୍ତି । ତବଲିଗିରୁ ଫେରିଥିବା ପଶ୍ଚିମବଙ୍ଗର ଏକ ଗୋଷ୍ଠୀର ୧୦ ଜଣ କିଛି ଦିନ ତଳେ ତାଳଚେର ଯାଇଥିଲେ । ସେମାନଙ୍କ ତମାମ କଣ୍ଟାକ୍ଟକୁ ଟ୍ରାକ କରାଯାଇ ନମୁନା ପରୀକ୍ଷା ପାଇଁ ପଠାଯାଇଛି ।

ଶ୍ରୀ ବାଗଚୀ କହିଛନ୍ତି ଗତକାଲି ସଂକ୍ରମିତ ଦେଶଗୁଡ଼ିକ ସଂଖ୍ୟା ୨୦୩ ଓ ୨ଟି ଜାହାଜ ଥିଲା ବେଳେ ଆଜି ଗୋଟିଏ ଦେଶ ଏହି ତାଲିକାରେ ଯୋଡ଼ି ହୋଇଯାଇଛି । ବିଶ୍ୱରେ ଗତକାଲି ୯ ଲକ୍ଷ ୩୫ ହଜାର ୬୭୪ ଜଣ ସଂକ୍ରମିତ ଥିଲା ବେଳେ ଆଜି ଏହି ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୩୪୦ରେ ପହଞ୍ଚିଛି । ମୃତକଙ୍କ ସଂଖ୍ୟା ଗତକାଲି ୪୭ ହଜାର ୨୭୯ ଥିଲା କିନ୍ତୁ ଆଜି ଏହା ୫୩ ହଜାର ୨୨ରେ ପହଞ୍ଚିଛି । ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୨ ହଜାର ୩୦୧ ଥିବା ବେଳେ ମୃତ୍ୟୁ ୫୬ ଜଣ ।

ଶ୍ରୀ ବାଗଚୀ କହିଛନ୍ତି ବିଗତ ୧୦ ଦିନ ମଧ୍ୟରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟାରେ ଏହା ସର୍ବାଧିକ ସଂକ୍ରମିତ ଓ ମୃତ୍ୟୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୧୩୩ ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଏଥିରୁ ପଜିଟିଭ ୬ ଜଣ ଜଣ । ଭଲ ଖବର ହେଲା ଯେ, ପ୍ରଥମ ଓ ଦ୍ୱିତୀୟ କରୋନା ସଂକ୍ରମିତ ଘରକୁ ଫେରିଆସିଛନ୍ତି । ମୋଟ ୧୨୪ ଜଣ ବ୍ୟକ୍ତି ୩ୟ ଓ ଚତୁର୍ଥ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେହିପରି ୩୦ ଜଣ ଲୋକ ପଞ୍ଚମ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ୬ଷ୍ଠ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୬୦ ଜଣଙ୍କ ଚିକିତ୍ସା ଜାରି ରହିଛି ।

କୋଭିଡ-୧୯ ମୁଖ୍ୟ କହିଛନ୍ତି, ଏହି ଯୁଦ୍ଧ ନିତି ଦିନିଆ ନୁହେଁ । ଅଳ୍ପ ଦିନର ମଧ୍ୟ ନୁହେଁ । ଏଯୁଦ୍ଧ ମାନବ ଜାତିର ଯୁଦ୍ଧ । ନିର୍ଭୟରେ ନିଜକୁ ସୂଚିତ କରନ୍ତୁ ଏବଂ ସାମ୍ନା କରନ୍ତୁ । ତେଣୁ ଆମେ ଭାବିବା କଥା ନୁହେଁ ଯେ, ସଂକ୍ରମିତ ହେବା ଲଜ୍ଜାର କାରଣ ନୁହେଁ । ସୁସ୍ଥ ଓ ନିରାପଦ ରୁହନ୍ତୁ । ମାନସିକ ଭାବେ ପ୍ରସ୍ତୁତ ହୁଅନ୍ତୁ । କରୋନା ବିରୋଧରେ ଲଢ଼ନ୍ତୁ ।

ସମ୍ବନ୍ଧିତ ଖବର