ସରକାର ଅାରମ୍ଭ କଲେ ‘ପିଠା’ : ସବୁ ସରକାରୀ ଯୋଜନାର ସଂପର୍କରେ ଜାଣିବେ ଲୋକେ, ଏଣିକି ବାଟମାରଣା ହେବନି ସୁଫଳ

ଭୁବନେଶ୍ବର : ୨୦୧୯ ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ବାକିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପିଠା  ଯୋଜନା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସର୍ମ୍ପକରେ ଲୋକଙ୍କୁ ଅବଗତ କରିବା ଓ ଲୋକମାନଙ୍କ ପାଖରେ ଏହି ଯୋଜନାଗୁଡିକୁ ପହଞ୍ଚାଇବା । ଖାସକରି ପିଠା ଯୋଜନାରେ ହିତାଧିକାରୀ ଯେମିତି ସମସ୍ତ ସରକାରୀ ଯୋଜନାର ଫାଇଦା ପାଇପାରିବେ ତାହା ଉପରେ ଫୋକସ ରଖାଯାଇଛି । ଖାସକରି ସରକାରଙ୍କ ଥ୍ରୀ-ଟି ଅନୁଯାୟୀ ଏହି ଯୋଜନା କାମ କରିବ ।

ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନୂଆ ସ୍କିମଟି ଆମ ଗାଁ ଆମ ବିକାଶ ଯୋଜନା ଅଧିନରେ କାର୍ଯ୍ୟ କରିବ । ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ପିଠା ଯୋଜନାରେ ପ୍ରତି ମାସରେ ଏକ କ୍ୟାମ୍ପ ଆୟୋଜନ କରାଯିବ । ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଏହି କ୍ୟାମ୍ପ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ କରାଯିବ । ଖାସକରି ଏହି କ୍ୟାମ୍ପରେ ଆମ ଏଲଇଡି, ମିଶନ ଶକ୍ତି, ମଧୁ ବାବୁ ପେନସନ ଯୋଜନା, କଳାକାର ଭତ୍ତା, ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ଯୋଜନା ବାବଦରେ ଆଲୋଚନା କରାଯିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚାଇ ଦିଆଯିବ । ଆଉ ବ୍ଲକ ସ୍ତରର ଜଣେ ପର୍ଯ୍ୟବେକ୍ଷକ ଏହି ଯୋଜନାର ତଦାରଖ କରିବେ ।

ସବୁଠୁ ବଡ କଥା ହେଲା, ପ୍ରତି ମାସରେ ପିଠା ଯୋଜନାରେ ସଫଳତା ହାସଲ କରିଥିବା ପଞ୍ଚାୟତଗୁଡିକ ମଧ୍ୟରୁ ପ୍ରତି ବ୍ଲକରୁ ଗୋଟିଏ ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । କ୍ୟାମ୍ପ ପରେ ଶ୍ରେଷ୍ଠ ପଞ୍ଚାୟତକୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ । ଏହାସହ ରାଜ୍ୟ ସ୍ତରୀୟ କ୍ୟାମ୍ପରେ ଶ୍ରେଷ୍ଠ ପଞ୍ଚାୟତ, ଶ୍ରେଷ୍ଠ ବ୍ଲକ ଓ ଶ୍ରେଷ୍ଠ ଜିଲ୍ଲାକୁ ସ୍ୱତନ୍ତ୍ର ଅନୁଦାନ ଦିଆଯିବା ସହ ପୁରସ୍କୃତ ମଧ୍ୟ କରାଯିବ । ଏହି ଯୋଜନା ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାଟମାରଣା ନହୋଇ ଜନସାଧାରଣଙ୍କ ପାଖରେ ପହଞ୍ଚୁଏବଂ ଏହାର ଜନସାଧାରାଣ ଫାଇଦା ଉଠାନ୍ତୁ ।

ସମ୍ବନ୍ଧିତ ଖବର