ମହାନଦୀର ଅଧିକାଂଶ ପାଣି ବ୍ୟର୍ଥରେ ବୋହିଯାଉଛି: ମୋଦି

କଟକ: ଓଡ଼ିଶାର ଜୀବନରେଖା ‘ମହାନଦୀ’ର ଅଧିକାଂଶ ପାଣି ବ୍ୟର୍ଥରେ ବୋହିଯାଉଛି। ମହାନଦୀର ସମସ୍ୟାକୁ କେନ୍ଦ୍ର ସରକାର ସମାଧାନ କରିବାକୁ ଉଦ୍ୟମ କରିଥିଲା କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କରି ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି।

କଟକରେ ଅନୁଷ୍ଠିତ ଜନକଲ୍ୟାଣ ସମାରୋହରେ ମୋଦି କହିଛନ୍ତି, ମହାନଦୀର ଅଧିକାଂଶ ଜଳ ବଙ୍ଗୋପସାଗରକୁ ବହିଯାଉଛି। ରାଜ୍ୟ ସରକାର ମହାନଦୀର ଜଳକୁ ସଠିକ ଭାବରେ ବିନିଯୋଗ କରିପାରୁ ନାହାନ୍ତି। ମହାନଦୀର ଜଳକୁ ଗରିବଙ୍କ କାମରେ ଲଗାଇବା ପାଇଁ ରାଜ୍ୟ ସରକାର କାମ କରିପାରି ନାହାନ୍ତି। ଫଳରେ ମହାନଦୀର ପାଣି ଗରିବଙ୍କ କାମରେ ଲାଗି ପାରୁ ନାହିଁ। ମୋଦି କହିଛନ୍ତି, କେବଳ ମହାନଦୀ ନୁହେଁ ରାଜ୍ୟର ଆହୁରି ୪ଟି ବଡ଼ ନଦୀର ଜଳକୁ ଚାଷୀଙ୍କ କାମରେ ଲଗାଯାଇ ପାରୁ ନାହିଁ।

ମୋଦି କହିଛନ୍ତି, ରାଜ୍ୟରେ ଅନେକ ଗୁଡ଼ିଏ ଜଳସେଚନ ପ୍ରକଳ୍ପ ବର୍ଷ ବର୍ଷ ଧରି ନିର୍ମାଣ ଚାଲିଛି। କେବେ ଶେଷ ହେବ ତାହା ଠିକ୍‌ ନାହିଁ। ବର୍ତ୍ତମାନ ଦେଶରେ ୯୯ଟି ବୃହତ ଜଳସେଚନ ପ୍ରକଳ୍ପର ନିର୍ମାଣ କାମ ଚାଲିଛି। ଏଥିରେ ଓଡ଼ିଶାରୁ ୪ଟି ପ୍ରକଳ୍ପ ସାମିଲ ଅଛି। ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି । ଓଡ଼ିଶାର ଚାଷୀଙ୍କ ଭାଗ୍ୟ ବଦଳାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛି ।

 

କଟକରୁ ସଡ଼କ ପଥରେ ଭୁବନେଶ୍ୱର ଫେରି ଦିଲ୍ଲୀ ଯିବେ ପ୍ରଧାନମନ୍ତ୍ରୀ ମୋଦି

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ଅନୁଷ୍ଠିତ ବିଜେପିର ‘ଜନକଲ୍ୟାଣ’ ସମାବେଶ ଶେଷ କରି ସଡ଼କ ପଥରେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟାରେ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ ହେଲିକପ୍ଟର ବଦଳରେ ମୋଦି ଭୁବନେଶ୍ୱର ରାଜରାସ୍ତାରେ କଡ଼ାସୁରକ୍ଷା ଭିତରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଫେରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର