କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : କ୍ୟାପିଟାଲ୍ ହସ୍ପିଟାଲ, ଏମ୍ସ, ଏସସିବି, ଭିମସାର ଓ ଝାରସୁଗୁଡ଼ା ହସ୍ପିଟାଲ‌ରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବ‌ନେଶ୍ବର: କ୍ରମଶଃ କରୋନା ଭାଇରସ ଚୀନରୁ ଅନ୍ୟଦେଶକୁ ବ୍ୟାପୁଥିବାରୁ ଏହା ସମଗ୍ର ପୃଥିବୀର ଚିନ୍ତାର କାରଣ ହୋଇଛି। ତେବେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ରସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଆଉ ତା’ପରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି, ଭାଇରସ ନେଇ ଭୟଭୀତ ହେବାର ନାହିଁ । ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । କରୋନା ପାଇଁ ଭୁବନେଶ୍ୱର, ଏମ୍ସ, ଏସସିବି, ବୁର୍ଲାରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି । ସେହିପରି ବିମାନ ବନ୍ଦର ଥିବାରୁ  ଝାରସୁଗୁଡା ମେଡିକାଲରେ ବି ବ୍ୟବସ୍ଥା କରାଯାଇଛି । ପାରାଦୀପ ପୋର୍ଟକୁ ମଧ୍ୟ ଆଲର୍ଟ କରାଯାଇଛି ।

କୋରୋନା ଭାଇରସ୍‌ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲରେ  ୮ଟି ଆଇସିୟୁ  ଓ ୪୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି | ଏହାର ଦାୟିତ୍ବରେ ଥିବା ଜରୁରୀକାଳୀନ ଅଧିକାରୀ  ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି।

କରୋନା ମୁକାବିଲା ଲାଗି  ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି କଂଟ୍ରୋଲ ରୁମ ଖୋଲାଯାଇଛି । ଆସନ୍ତାକାଲି ସବୁ ଜିଲ୍ଳାର ସିଡିଏମଓଙ୍କ ସହ ଆଲୋଚନା କରାଯିବ। ଏହି ସମୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । କୌଣସି ପ୍ରକାର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସତର୍କ କରାଇ ଦେଇଛନ୍ତି । ମାଂସ ଖାଇବା ପୂର୍ବରୁ ଭଲରେ ସିଝାଇ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

ସେପଟେ କରୋନା ଭାଇରସ ଭୟରେ ବିମାନ ବନ୍ଦରରେ ତନଖି କଡାକଡି କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାହାରୁ ଆସୁଥିବା ଯାତ୍ରୀଙ୍କ ବିମାନବନ୍ଦରରେ ସ୍ୱାସ୍ଥ୍ୟ ଯାଂଚ କରାଯାଉଛି । ସେହିପରି ଭାଇରସର ମୁକାବିଲା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ସମ୍ବଲପୁର ଭିମସାରରେ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି । ଓଡିଶାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି । ଏହି ସ୍ୱତନ୍ତ୍ର ୱାର୍ଡରେ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିକିିତ୍ସା କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ସମ୍ବନ୍ଧିତ ଖବର