କରୋନା ମୁକାବିଲା ପାଇଁ ପଦକ୍ଷେପ ସ୍ୱାଗତଯୋଗ୍ୟ, କିନ୍ତୁ ବିଧାନସଭା ମୁଲତବୀ କରିବା ନିନ୍ଦନୀୟ : ବିରୋଧୀ ଦଳ ନେତା

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ବିପର୍ଯ୍ୟୟକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯିବା ସ୍ୱଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ସରକାରଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ରାଜ୍ୟରେ କରୋନା ଜନିତ ସଚେତନତା ବୃଦ୍ଧି ଦିଗରେ ସହାୟକ ହେବ। ରାଜ୍ୟ ସରକାର ୨୦୦ କୋଟି ଟଙ୍କା ପାଣ୍ଠି ସୃଷ୍ଟି ପାଇଁ ଯେଉଁ ଘୋଷଣା କରିଛନ୍ତି, ଏହା ଏକ ପ୍ରଶଂସନୀୟ ଭଲ ପଦକ୍ଷେପ। କିନ୍ତୁ ଶାସକ ଦଳ ମୁଖ୍ୟ ସଚେତକ ବିଧାନସଭାକୁ ମାର୍ଚ୍ଚ ୨୯ ଯାଏଁ ମୁଲତବୀ ରଖିବାକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହା ନିନ୍ଦନୀୟ ବୋଲି ଶ୍ରୀ ନାଏକ କହିଛନ୍ତି।

ଶ୍ରୀ ନାଏକ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଭାରତର ୧୪ଟି ରାଜ୍ୟରେ କରୋନା ପଜିଟିଭ୍‌ ରୋଗୀ ଥିବା ବେଳେ ଓଡ଼ିଶା ଏହି ତାଲିକାରେ ନାହିଁ। ଓଡ଼ିଶାରେ କେବଳ ସନ୍ଦିଗ୍ଧ ରୋଗୀ ଅଛନ୍ତି। ଯେଉଁମାନଙ୍କୁ ସନ୍ଦିଗ୍ଧରେ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି, ପରବର୍ତ୍ତୀ ସମୟରେ ସେମାନଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍‌ ଆସୁଛି।

ରାଜ୍ୟ ସରକାର ଆଜି ହଠାତ୍‌ କରେନା ପାଇଁ କ୍ୟାବିନେଟ୍‌ ବୈଠକ ମାଧ୍ୟମରେ ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ୍‌, ସୁଇମିଂ ପୁଲ ବନ୍ଦ ଘୋଷଣା କରିଦେଇଛନ୍ତି। ଏଥିରେ କୌଣସି ଆପତ୍ତି ନାହିଁ। କାରଣ କିଛି ରାଜ୍ୟ ଏଭଳି ପଦକ୍ଷେପ ନେଇ ସାରିଛନ୍ତି। କିନ୍ତୁ କେଉଁ କାରଣ ପାଇଁ ରାଜ୍ୟ ସରକାର ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଦିବସଗୁଡ଼ିକ ବଳି ପାଇଲେ, ତାହା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଥିବା ମନେ ହେଉଛି ବୋଲି ବିଜେପି ନେତା ଏକ ବୟାନରେ କହିଛନ୍ତି।

ସମ୍ବନ୍ଧିତ ଖବର