୭ଟି ଶିଳ୍ପାନୁଷ୍ଠାନକୁ ୪୧ ଏକର ଜମି : ୩୨୦୦ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର : ରାଜ୍ୟ ସରକାର ଇଡ୍‌କୋର ବିଭିନ୍ନ ଶିଳ୍ପାଞ୍ଚଳରେ ୭ଟି ଶିଳ୍ପ ପ୍ରକଳ୍ପ ପାଇଁ ୪୧.୩୩ ଏକର ଜମି ମଞ୍ଜୁର କରିଛନ୍ତି। ସେସବୁ ଅଣଖଣିଜ ଶିଳ୍ପ ପ୍ରକଳ୍ପ ପାଇଁ ପ୍ରାୟ ୩୦୫ କୋଟିର ପୁଞ୍ଜିନିବେଶ ହେବ। ସେସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାୟ ୩୨୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।

ଅ‌ାଜି ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ସୂଚନା ମିଳିଛି। ବିସ୍କୁଟ୍‌ ଓ ସ୍ନାକ୍ସ ଉତ୍ପାଦନ ପାଇଁ ଆଇଟିସି କମ୍ପାନିକୁ ଖୋର୍ଧା ଶିଳ୍ପାଞ୍ଚଳରେ ୫.୨୦ ଏକର ଜମି ଦିଆଯାଇଛି। ସେହିପରି ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତି ପାଇଁ ଷ୍ଟାର ଜିଏସ୍‌ଏମ୍‌ କମ୍ପାନିକୁ ଇନ୍‌ଫୋ-ଭ୍ୟାଲିରେ ୫.୦୩ ଏକର ଜମି, ଇଣ୍ଟରନେଟ୍‌ ସଫ୍ଟୱେର ପ୍ରସ୍ତୁତି ପାଇଁ ସିଟିଇଏଲ୍‌ କମ୍ପାନିକୁ ଇନ୍‌ଫୋ-ଭ୍ୟାଲିରେ ୪.୧୦ ଏକର, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାବରୀ ଫୁଡ୍‌ କମ୍ପାନିକୁ ଡେରାସ୍‌ ଫୁଡ୍‌ ପାର୍କରେ ୩ ଏକର, ରାସାୟନିକ ଟେକ୍ନୋଲୋଜି ପ୍ରତିଷ୍ଠାନ ପାଇଁ ଭୁବନେଶ୍ବରରେ ୨୦ ଏକର ଓ ଓଡ଼ିଶା କୌଶଳ ଦକ୍ଷତା ବିକାଶ କର୍ତୃପକ୍ଷଙ୍କୁ ମଞ୍ଚେଶ୍ବରରେ ୪ ଏକର ଜମି ମଞ୍ଜୁର କରାଯାଇଛି। ତେବେ ଅନ୍ୟ ଏକ ପ୍ରସ୍ତାବ ନେଇ ନିଷ୍ପତ୍ତି ହୋଇପାରି ନାହିଁ।

ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦେଶକ ସଂଜୟ କୁମାର ସିଂହ ବିଭିନ୍ନ ପ୍ରକଳ୍ପ ଓ ସେମାନେ ଆବଶ୍ୟକ କରୁଥିବା ଜମି ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ତେବେ ଶିଳ୍ପାନୁଷ୍ଠାନ ପାଇଁ ବାସ୍ତବରେ କେତେ ଜମି ଆବଶ୍ୟକ ସେ ନେଇ ଆକଳନ କରିବାକୁ ଇପିକଲ୍‌, ଓକାକ୍‌ ଓ ସଂଯୋଗକାରୀ ବିଭାଗ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ସଚିବ। ସେହିପରି ଜମି ଆବଶ୍ୟକତାର ସଠିକ୍‌ ଯାଞ୍ଚ ପାଇଁ ଏକ ବୈଷୟିକ ମାନଦଣ୍ଡ ପ୍ରସ୍ତୁତ କରିବାକୁ ମଧ୍ୟ ସେ ଓକାକ୍‌କୁ ନିର୍ଦେଶ ଦେଇଥିଲେ। ସୂଚନାନୁସାରେ ବର୍ତମାନ ସୁଦ୍ଧା ଡେରାସ୍‌ରେ ୧୫ଟି ଓ ଇନ୍‌ଫୋ-ଭ୍ୟାଲିରେ ୧୩ଟି ଶିଳ୍ପାନୁଷ୍ଠାନକୁ ଜମ ଆବଣ୍ଟନ କରାଯାଇଛି। ସେସବୁ ଶିଳ୍ପରୁ ୧୬ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର