୨୦୧୮-୧୯ରେ ମିଳିବ ୪୦% ବକେୟା ଦରମା

ସପ୍ତମ ବେତନ କମିସନ ସୁପାରିସ ନେଇ ଘୋଷଣା

ଭୁବନେଶ୍ୱର : ସପ୍ତମ ବେତନ କମିସନ୍‌ଙ୍କ ସୁପାରିସ ୨୦୧୬ ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହୋଇଛି। ଏହି ସୁପାରିସ କାର୍ଯ୍ୟକାରୀ ହେବା ପରେ ରାଜ୍ୟର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀମାନେ ସେମାନଙ୍କ ଦରମା ଓ ପେନ୍‌ସନ୍‌ ସଂଶୋଧିତ ହାରରେ ୨୦୧୭ ସେପ୍ଟେମ୍ବରରୁ ପାଇ ଆସୁଛନ୍ତି। ତେବେ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କୁ ସେମାନଙ୍କ ବକେୟା ଦରମା ଓ ପେନ୍‌ସନ୍‌ ଖୁବ୍‌ଶୀଘ୍ର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ସରକାରୀ କର୍ମଚାରୀମାନେ ସେମାନଙ୍କ ସଂଶୋଧିତ ଦରମା ବାବଦ ବକେୟା ପ୍ରାପ୍ୟର ୪୦ ପ୍ରତିଶତ ଟଙ୍କା ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ପାଇବେ। ଅବଶିଷ୍ଟ ବକେୟା ପ୍ରାପ୍ୟ ବାବଦରେ ସରକାର ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ। ତେବେ ପେନ୍‌ସନ୍‌ଭୋଗୀମାନେ ସେମାନଙ୍କ ସେମାନଙ୍କ ପେନ୍‌ସନ୍‌ ବାବଦ ସମସ୍ତ ବକେୟା ପ୍ରାପ୍ୟ (୧୦୦ ପ୍ରତିଶତ) ଏହି ସମୟ ମଧ୍ୟରେ ପାଇବେ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ସାଢ଼େ ତିନି ଲକ୍ଷ ସରକାରୀ କର୍ମଚାରୀ ଓ ୨ ଲକ୍ଷ ପେନ୍‌ସନ୍‌ଭୋଗୀ ଉପୃକତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାରେ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ଅଫିସର ସମନ୍ଵୟ ସମିତି ଖୁସି ବ୍ୟକ୍ତ କରିଛି। ସରକାରୀ କର୍ମଚାରୀମାନଙ୍କର ୪୦ ପ୍ରତିଶତ ବକେୟା ଦରମା ପ୍ରଦାନ ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ସମିତିର ସାଧାରଣ ସଂପାଦକ ବ୍ରଜ କିଶୋର ନନ୍ଦ ସ୍ୱାଗତ କରିଛନ୍ତି। ବକେୟା ବେତନ ପ୍ରଦାନ ସହିତ ଅନ୍ୟାନ୍ୟ ଦାବି ନେଇ ଗତମାସ ୧୬ ତାରିଖରେ ସମନ୍ଵୟ ସମିତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସମ୍ବନ୍ଧିତ ଖବର