୨୦୨୫ ସୁଦ୍ଧା ରାଜ୍ୟରେ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ

ଭୁବନେଶ୍ବର : ଆସନ୍ତା ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ ହାସଲ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପ୍ରାଥମିକସ୍ତରରୁ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରାଯାଇ ସଂପୂର୍ଣ୍ଣ ଚିକିତ୍ସା ପ୍ରଦାନ ଆରୋଗ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ ହେଉଥିବା ପରିବର୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ଆଜି ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ସମୀକ୍ଷା କରିଛନ୍ତି। ରାଜ୍ୟରେ ଏମ୍‌ଡିଆର୍‌ ଯକ୍ଷ୍ମା ଆକ୍ରାନ୍ତଙ୍କ ଚିହ୍ନଟ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଏମ୍‌ଡିଆର ଯକ୍ଷ୍ମା ଆକ୍ରାନ୍ତଙ୍କ ଚିହ୍ନଟ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୩୮ଟି ପରୀକ୍ଷାଗାର ରହିଛି। ଏହାସହ ଆହୁରି ୩ଟି ସ୍ଥାନରେ ଅତ୍ୟାଧୁନିକ ପରୀକ୍ଷାଗାର ସ୍ଥାପନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଯକ୍ଷ୍ମା ପ୍ରବଣ ଅଞ୍ଚଳଗୁଡ଼ିକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବା ସହିତ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ସହିତ ଚିକିତ୍ସା ଦିଗରେ ଯତ୍ନବାନ ହେବାକୁ ନିର୍ଦେଶ ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ସ୍ନପ୍ନେଶ୍ବର ଗଡ଼ନାୟକ, ଅତିରିକ୍ତ ଶାସନ ସଚିବ ବି.ବି ଦାସ, ଉପ ଶାସନ ସଚିବ ଜସ୍ମିନ ପଟ୍ଟନାୟକ, ଅତିରିକ୍ତ ନିର୍ଦେଶକ, ଯୁଗ୍ମ ନିର୍ଦେଶକ, ଯକ୍ଷ୍ମା ପରାମର୍ଶଦାତା ସମେତ ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ‘ରିଚ୍’ ଓ ‘ପାଥ୍‌’ର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର