ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନି: କଂଗ୍ରେସ

ଭୁବନେଶ୍ବର : ଦୀର୍ଘ ୧୮ବର୍ଷର ନିରଙ୍କୁଶ ଶାସନ ମଧ୍ୟରେ ଓଡ଼ିଶାରେ ବହୁ ପ୍ରଗତି ହୋଇଛି ବୋଲି କୁହାଯାଉଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଯେଉଁଭଳି ପରିବତ୍ତର୍ନ ଆଣିଛନ୍ତି ବୋଲି ପ୍ରଚାର କରୁଛନ୍ତି ପ୍ରକୃତରେ ସେମିତି କିଛି ହୋଇନି। ଦୀର୍ଘ ୧୮ବର୍ଷରେ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ବିଶେଷ କିଛି ପରିବତ୍ତର୍ନ ହୋଇନି, କେବଳ ପ୍ରଚାର ହୋଇଛି ବୋଲି କଂଗ୍ରେସ କହିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତର ନଥିବାବେଳେ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଶଯ୍ୟା କି ଭିତ୍ତିଭୂମି ବି ନାହିଁ। ୨୦୦୦ ମସିହା ପୂବର୍ରୁ ଯେତିକି ପଦବି ସୃଷ୍ଟି କରାଯାଇଥିଲା ସେ ପଦବିରେ ଗୋଟିଏ ବି ସରକାର ଅଧିକ ପଦବି ସୃଷ୍ଟି କରିନାହାନ୍ତି। ୨୦୦୨-୦୩ରୁ ୨୦୧୭ ମଧ୍ୟରେ ଜନସଂଖ୍ୟା ୮୬ଲକ୍ଷ ୨୩, ୩୮୫ ଜଣ ବୃଦ୍ଧି ପାଇଥିବାବେଳେ ୨୦୦୦ ମସିହାରେ ଥିବା ୨୮୮୪ଟି ସ୍ବାସ୍ଥ୍ୟ କେନ୍ଦ୍ର ବଢ଼ି ୨୯୪୦ରେ ପହଞ୍ଚିଛି। ରୋଗୀ ଶଯ୍ୟା ସଂଖ୍ୟା ୧୪୩୭୦ରୁ ବଢ଼ି ୧୬୨୬୧ରେ ପହଞ୍ଚିଛି। ଏଥିରୁ ରାଜ୍ୟର ସ୍ବାସ୍ଥ୍ୟ ସେବା କିପରି ବିପର୍ଯ୍ୟସ୍ତ ହୋଇଛି ତାହା ସହଜେ ଅନୁମେୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ନବୀନ ପଟ୍ଟନାୟକ ସରକାର ପ୍ରଚାର ସର୍ବସ୍ବ ହୋଇଛି। ସରକାର ପ୍ରଚାରରୁ ଓହରି ରାଜ୍ୟର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ। କଂଗ୍ରେସ କ୍ଷମତାକୁ ଫେରିଲେ ଏହାର ପ୍ରାଥମିକ ଦାୟିତ୍ବ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର