ଓଡ଼ିଆ ଶ୍ରମିକ ଦୁବାଇରେ ନିର୍ଯାତନାର ଶିକାର ହେବା ଘଟଣା: ବୈଦେଶିକ ବ୍ୟାପାର ବିଭାଗକୁ ଚିଠି ଲେଖିଲା ରାଜ୍ୟ ଗୃହ ବିଭାଗ

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ ବେଗୁନିଆପଡ଼ା ବ୍ଲକର ବିଭିନ୍ନ ଗ୍ରାମର ୪୨ ଜଣ ଶ୍ରମିକ ଦୁବାଇରେ ନିର୍ଯାତନାର ଶିକାର ହେବା ଘଟଣାରେ ରାଜ୍ୟ ଗୃହ ବିଭାଗ ସୋମବାର (୨୦୧୯ ମାର୍ଚ୍ଚ ୧୧) ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ବିଭାଗର ଯୁଗ୍ମ ସଚିବ ତଥା ପ୍ରୋଟେକ୍ଟର ଜେନେରାଲ ଅଫ ଏମିଗ୍ରାଣ୍ଟଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଗୃହ ବିଭାଗ ଗଂଜାମ ଜିଲ୍ଲାର ସଂପୃକ୍ତ ୪୨ ଜଣ ଶ୍ରମିକମାନଙ୍କୁ ତୁରନ୍ତ ଫେରାଇ ଆଣିବାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି।

ଦିଲ୍ଲୀଠାରେ ଅବସ୍ଥାପିତ ଓଡ଼ିଶାର ମୁଖ୍ୟ ଆବାସିକ କମିସନରଙ୍କୁ ମଧ୍ୟ ଏସଂକ୍ରାନ୍ତରେ ବୈଦେଶିକ ବ୍ୟାପାର ବିଭାଗ ସହିତ ଯୋଗସୂତ୍ର ରଖିବା ସହିତ ଦିଲ୍ଲୀ ବିମାନ ବନ୍ଦରରୁ ଏହି ସମସ୍ତ ଓଡ଼ିଆ ଲୋକଙ୍କୁ ନେଇ ଓଡ଼ିଶା ଭବନରେ ରଖିବା ସହିତ ସେମାନେ କିପରି ସୁରୁଖୁରୁରେ ନିଜ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିବେ ତାହାର ସୁବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରାଯାଇଛି। ପୁନଶ୍ଚ ରାଜ୍ୟ ଶ୍ରମ ଓ ନିଯୋଜନ ବିଭାଗର ପ୍ରମୁଖ ସଚିବ ଓ ଶ୍ରମ କମିସନରଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଗଂଜାମଙ୍କ ସହିତ ଯୋଗସୂତ୍ର ରଖି ୪୨ ଜଣ ଓଡ଼ିଆ ଶ୍ରମିକଙ୍କ ତୁରନ୍ତ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ବିଭାଗ ଓ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ସହିତ ଯୋଗସୂତ୍ର ରଖି ଏହି କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ସହିତ ନିର୍ଯ୍ୟାତିତ ଶ୍ରମିକମାନଙ୍କୁ .ସେମାନଙ୍କ ଗ୍ରାମକୁ ଫେରାଇବାର ସମସ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଦୁବାଇରେ ଓଡ଼ିଆ ଶ୍ରମିକମାନେ ନିର୍ଯାତନାର ଶିକାର ହେବା ସଂପର୍କରେ ସୋମବାର ଏକ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟରୁ ଜଣାପଡ଼ିଥିଲା ଯେ ଠିକାଦାର ଦ୍ୱାରା ଓଡ଼ିଆ ଶ୍ରମିକମାନଙ୍କୁ ଦୁବାଇ ନିଆଯାଇଥିଲା ଏବଂ ସେଠାରେ ଏକ ନିର୍ମାଣ କମ୍ପାନିରେ ଅକଥନୀୟ ନିର୍ଯାତନା ଦିଆଯାଉଛି।

ସମ୍ବନ୍ଧିତ ଖବର