ଦିଲ୍ଲୀ ମୁଖ୍ୟ ଆବାସିକ କମିସନର କାର୍ଯ୍ୟାଳୟରେ ସମୀକ୍ଷା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ : ୫‘ଟି’ ଚାର୍ଟରକୁ କଡ଼ାକଡ଼ି ପାଳନ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ୫’ଟି’ ଚାର୍ଟର୍ ଅନୁଯାୟୀ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟ କରିବା ଦରକାର। ଆଜି ଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ମୁଖ୍ୟ ଆବାସିକ କମିସନର କାର୍ଯ୍ୟାଳୟରେ ସମୀକ୍ଷା କରିବା ଅବସରରେ ଏପରି ପରାମର୍ଶ ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏହାସହିତ ଭାରତ ସରକାରଙ୍କ ସହ ଯୋଗସୁତ୍ର ରକ୍ଷା କରି ରାଜ୍ୟ ସ୍ବାର୍ଥ ହାସଲ କରିବାରେ ସଫଳତା ପାଇଁ ଆବାସିକ କମିସନର କାର୍ଯ୍ୟାଳୟର ଉଦ୍ୟମକୁ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରଶଂସା କରିଛନ୍ତି।

ରବିବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିସନର କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟ ଆବାସିକ କମିସନର ତୁହିନ କାନ୍ତ ପାଣ୍ଡେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ର ଆବାସିକ କାର୍ଯ୍ୟାଳୟର ସମୀକ୍ଷା କରିବା ଅବସରରେ କହିଥିଲେ ରାଜ୍ୟ ଅର୍ଥ ବିଭାଗ ସହ ସମନ୍ବୟ ରଖି ବିଭିନ୍ନ ବିଭାଗ ପାଇଁ ଭାରତ ସରକାରଙ୍କଠାରୁ କିପରି ଅଧିକରୁ ଅଧିକ ଅର୍ଥ ଆସିପାରିବ ସେଥିପାଇଁ ଅଧିକାରୀମାନେ ଉଦ୍ୟମ କରିବା ଦରକାର। ଫନି ବାତ୍ୟା ସମୟରେ କେନ୍ଦ୍ର ସରକାରଙ୍କଠୁ ସସସ୍ତ ପ୍ରକାର ସହଯୋଗ ପାଇବାରେ ସିଆରସିଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଆବାସିକ କମିସନର ସଞ୍ଜୀବ କୁମାର ମିଶ୍ରଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର