ରାଜ୍ୟ ମାନବାଧିକାର କମିସନ ଅଧୢକ୍ଷ ନିଯୁକ୍ତି ପ୍ରସଂଗ: ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

କଟକ: ରାଜ୍ୟ ମାନବାଧିକାର କମିସନର ସ୍ଥାୟୀ ଅଧୢକ୍ଷ ପଦ ପୂରଣ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାର ଶୁଣାଣି ବେଳେ ଆଜି ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ୨୦୧୮, ଡିସେମ୍ବର ୨୨ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ କମିସନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ମାନବିକ ଅଧିକାର ସୁରକ୍ଷା ଆଇନ ଅନୁସାରେ ସଦସ୍ୟଙ୍କୁ ଅଧ୍ୟକ୍ଷ ଦାୟିତ୍ବ ସଂପାଦନ କରିବାକୁ ଅନୁମତି ପ୍ରଦାନ ପ୍ରସଂଗକୁ ନେଇ କମିସନଙ୍କ ସଚିବ ସରକାରଙ୍କୁ ୨୦୧୯, ଜାନୁଆରି ୨୮ରେ ଚିଠି ଲେଖି ଥିଲେ। ଏ ପ୍ରସଂଗରେ ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ। ଏବେ ଏହି ପ୍ରସଂଗ ବିଚାରାଧୀନ ରହିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.‌ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଓ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଏପରି ସତ୍ୟପାଠ ଦାଖଲ କରାଯାଇଥିବା ବେଳେ କମିସନର ସ୍ଥାୟୀ ଅଧ୍ୟକ୍ଷ ପଦ କେବେ ପୂରଣ ହେବ ସେ ପ୍ରସଂଗରେ ଅବଗତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅଧିକ ମହଲତ ଲୋଡା ଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୭ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର