ଜୀବନ୍ତକୁ ମୃତ ବୋଲି ଦର୍ଶାଇବା ପଡ଼ିଲା ମହଙ୍ଗା : ମାନବାଧିକାର କମିସନଙ୍କ ତଦନ୍ତ ନିର୍ଦେଶ

ଭୁବନେଶ୍ୱର : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଧୀନ ପିପିଳିପାଲ୍ଲୀ ଥାନା ଅଧୀନ ଜଣେ ଜୀବନ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ଏବେ ମହଙ୍ଗା ପଡ଼ିଛି। ଏ ନେଇ ରାଜ୍ୟ ମାନବାଧିକାର କମିସନ୍‌ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଓ କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ପୃଥକ ପୃଥକ ଭାବେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ୨୦୧୬ ଡିସେମ୍ବର ୭ ତାରିଖରେ ପିପିଳିପାଲ୍ଲୀ ଗାଁର ଜିତୁ ଦଣ୍ଡସେନା କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ଏନେଇ ଜିତୁଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଲାଲୁ ବୁର୍ଲା ଓ ରାଘବ ନାୟକ ନାମକ ଦୁଇ ଯୁବକଙ୍କୁ ଗିରଫ କରିଥିଲା। ତେବେ ଦୁଇ ଦିନ ତଳେ ହଠାତ ଜିତୁ ନିଜ ଗାଁକୁ ଫେରି ଆସିଛନ୍ତି। ଜିତୁ ଫେରି ଆସିବା ପରେ ଏବେ ପୁଲିସର ତଦନ୍ତ ଉପରେ ଉଠିଛି ପ୍ରଶ୍ନ। କିଭଳି ଜୀବିତ ଥିବା ବ୍ୟକ୍ତିଙ୍କ ହତ୍ୟା କରାଯାଇଛି ବୋଲି ପୁଲିସ ତଦନ୍ତ କରି ଜାଣିଲା, ଏନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରାଯାଇଥିଲା। କମିସନ ପିଟିସନ୍‌କୁ ଗ୍ରହଣ କରି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଓ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କୁ ୬ ମାସ ମଧ୍ୟରେ ପୃଥକ ପୃଥକ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ପିଟିସନ୍‌କାରୀ ବିଶ୍ୱପ୍ରିୟ କାନୁନଗୋ କହିଛନ୍ତି, ଜିତୁ ମାନସିକ ଚାପର ବଶବର୍ତ୍ତୀ ହୋଇ କୋଲାକାତା ଚାଲି ଯାଇଥିଲା। ପୁଲିସ ମଧ୍ୟ ନିର୍ଦୋଷ ଥିବା ଦୁଇ ଯୁବକଙ୍କୁ ଗିରଫ କରି ସେମାନଙ୍କ ମାନସମ୍ମାନରେ ହାନି ପହଞ୍ଚାଇଛି। ଜିତୁଙ୍କୁ ତୁରନ୍ତ ଚିକିତ୍ସା କରିବା ସହିତ ତାଙ୍କ ପରିବାରକୁ ୨୦ ଲକ୍ଷ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଦୁଇ ଯୁବକଙ୍କ ପରିବାରକୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି ପିଟିସନ୍‌କାରୀମାନେ ଦାବି କରିଛନ୍ତି।

ଆଇନଜୀବୀ ବିଶ୍ୱପ୍ରିୟ କାନୁନଗୋ, ବିଜୟ କୁମାର ପଣ୍ଡା, ଚନ୍ଦ୍ରନାଥ ଦାନୀ ପ୍ରମୁଖ ମାନବାଧିକାର କମିସନରେ ପିଟିସନ୍‌ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର