ରାଜ୍ୟସ୍ତରୀୟ ବିପର୍ଯ୍ୟୟ କମିଟି ବୈଠକ : ବନ୍ୟା ଓ ମରୁଡ଼ି ପାଇଁ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ

ଚିରାଚରିତ ଭାବେ ବସୁଛି ବୈଠକ, ଫଳ ଶୂନ: ନରସିଂହ, ନଦୀବନ୍ଧରେ ୮୬ଟି ଦୁର୍ବଳ ସ୍ଥାନ ଚିହ୍ନଟ, ଅକ୍ଟୋବର ୧୫ ଯାଏଁ ବିପର୍ଯ୍ୟୟ ସମ୍ବନ୍ଧୀୟ ଦୈନିକ ବିବରଣୀ

ଭୁବନେଶ୍ବର : ଚଳିତବର୍ଷ ମୌସୁମୀ ସ୍ବାଭାବିକ ରହିଲେ ବି ବନ୍ୟା ପରିସ୍ଥିତି ଦେଖାଦେଇପାରେ। ସେଥିପାଇଁ ଆଗୁଆ ପ୍ରସ୍ତୁତି ସାରିବାକୁ ପଡ଼ିବ। ସେହିପରି ମରୁଡ଼ି ପରିସ୍ଥିତି ମୁକାବିଲା ପାଇଁ ମଧ୍ୟ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆଜି ରାଜ୍ୟସ୍ତରୀୟ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏହି ବୈଠକ ଖାଲି ଚିରାଚରିତ ଭାବେ କରାଯାଉଥିବା ନେଇ ଅଭିଯୋଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ବିପର୍ଯ୍ୟୟ କମିଟି ବୈଠକରେ ବିଧାୟକ ଓ ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ଓ ମତାମତକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

ଶନିବାର ସଚିବାଳୟରେ ଅନୁଷ୍ଠିତ ବିପର୍ଯ୍ୟୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତବର୍ଷ ବାତ୍ୟା ତିତଲି ଓ ଚଳିତ ବର୍ଷ ଫନି ଯୋଗୁଁ ରାଜ୍ୟ ବହୁ କ୍ଷତି ସହିଛି। ଏସବୁ ଦୁର୍ବିପାକ ମୁକାବିଲା କରିବାରେ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି ଯୋଗୁଁ ଆଜି ଓଡ଼ିଶା ଅନ୍ତରାଷ୍ଟ୍ରୀୟସ୍ତରରେ ବିପର୍ଯ୍ୟୟ ପରିଚାଳନା କରିବାରେ ସ୍ବତନ୍ତ୍ର ଷ୍ଟାଣ୍ଡାର୍ଡ଼ ସୃଷ୍ଟି କରିପାରିଛି। ବର୍ଷା ଯୋଗୁଁ ନଦୀରେ ବନ୍ୟା ଆସିବା ସମ୍ଭାବନା ଥିବାରୁ ନଦୀବନ୍ଧ ମରାମତି, ବାଲିବସ୍ତା ପ୍ରସ୍ତୁତ ରଖିବା ସହିତ ଅସ୍ଥାୟୀ ଆବାସସ୍ଥଳ ନିର୍ମାଣ ପାଇଁ ଆବଶ୍ୟକ ସଂରଜାମ ସାଇତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ବିପର୍ଯ୍ୟୟ କମିଟି ସଦସ୍ୟ ତଥା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ପ୍ରତିବର୍ଷ ଏହି ବୈଠକ ବସୁଛି। ସଦସ୍ୟମାନେ ବିପର୍ଯ୍ୟୟ ପ୍ରସ୍ତୁତି ନେଇ ଦେଇଥିବା ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରି ହେଉନାହିଁ। କେବଳ କାଗଜ କଲମରେ ସବୁକିଛି ସୀମିତ ରହୁଛି। ତଳସ୍ତରରେ ଥିବା ଅଧିକାରୀମାନେ ସରକାରଙ୍କୁ ସୁହାଇଲା ଭଳି ସବୁ ଠିକଠାକ୍‌ ଅଛି ବୋଲି ରିପୋର୍ଟ ଦେଉଛନ୍ତି। କିନ୍ତୁ ଫଳ ଶୂନ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲି। ସେ ଆହୁରି କହିଲେ ‌େଯ ଆଜିର ବୈଠକରେ ନୂଆ କରି ଖୋଦ ମନ୍ତ୍ରୀମାନେ ବିପର୍ଯ୍ୟୟ ପ୍ରସ୍ତୁତି ନେଇ କିଛି ଠୋସ ପଦକ୍ଷେପ ନିଆଯାଉଥିବା ନେଇ ମଧ୍ୟ ଆପତ୍ତି ଉଠାଇଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ଦାବିକୁ ପୂର୍ଣ୍ଣ ସମର୍ଥନ ଜଣାଇ ଶ୍ରୀ ମିଶ୍ର କହିଥିଲେ ରାଜ୍ୟ ଯେପରି ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଅଧିକ ଆର୍ଥିକ ଅନୁଦାନ ଦେବାକୁ ଆମେ ସମସ୍ତେ ପ୍ରୟାସ କରିବା ଦରକାର।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ, ଚଳିତବର୍ଷ ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ମରୁଡ଼ି ମୁକାବିଲା ପାଇଁ ସରକାର ସବୁ ପ୍ରାକ୍ ପ୍ରସ୍ତୁତି ପୂରା କରିଛନ୍ତି। ଏ ନେଇ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୨୯ ତାରିଖରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଆପାଦକାଳୀନ ଅଧିକାରୀମାନଙ୍କୁ ନେଇ ଚଳିତମାସ ୧୦ ତାରିଖରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଜୁନ୍‌ ମାସ ୧ ତାରିଖରୁ ଅକ୍ଟୋବର ପର୍ଯ୍ୟନ୍ତ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଦୈନିକ ବିବରଣୀ ପ୍ରଦାନ କରିବା ପାଇଁ ସମସ୍ତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସଦସ୍ୟମାନେ ଦେଇଥିବା ପ୍ରସ୍ତାବ ଉପରେ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଥିଲେ। ବୈଠକରେ ସଦସ୍ୟ ଥିବା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପ୍ରସ୍ତାବ ଦେଇ କହିଥିଲେ, ପୁରୀ ପେଣ୍ଠକଟାରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ସହ ଫନି ବାତ୍ୟାରେ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଘରଭଙ୍କା ସହାୟତା ଶୀଘ୍ର ପ୍ରଦାନ କରାଯାଉ। ଏହାସହିତ ସରକାରୀ ଜମିରେ ଥିବା ଲୋକଙ୍କୁ ଫନି ଘରଭଙ୍ଗା ହିତାଧିକାରୀ ତାଲିକାରେ ସାମିଲ କରିବାକୁ ମଧ୍ୟ ପୁରୀ ବିଧାୟକ ଦାବି କରିଥିଲେ।

ବନ୍ୟାକୁ ଦୃଷ୍ଟିରେ ରଖି ନଦୀବନ୍ଧ ମରାମତି କାର୍ଯ୍ୟ ବହୁ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ, ଚଳିତବର୍ଷ ନଦୀବନ୍ଧରେ ୮୬ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି। ସବୁ ବନ୍ଧଗୁଡ଼ିକର ଥରେ ନୁହେଁ ଅଧିକାରୀସ୍ତରରେ ତିନିଥର ଯାଞ୍ଚ କାର୍ଯ୍ୟ ସରିଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ୧୦ ହଜାର ଟ୍ରକ ବାଲି ମହଜୁଦ ରଖାଯାଇଛି। ଏହାସହିତ ବାଲିକୁ ସିମେଣ୍ଟ ଅଖାରେ ଭର୍ତ୍ତି କରିବାକୁ ୩୦ ଲକ୍ଷ ଖାଲି ସିମେଣ୍ଟ ଅଖା ମଧ୍ୟ ମହଜୁଦ ରଖାଯାଇଛି ବୋଲି ଶ୍ରୀ ଜେନା କହିଥିଲେ।

ସମ୍ବନ୍ଧିତ ଖବର