‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସମ୍ମିଳନୀ ଆଜି

ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ ‘ଶିଶୁ ସାହିତ୍ୟ’

ଭୁବନେଶ୍ୱର : ଆସନ୍ତାକାଲି ରବିବାର ସକାଳ ୧୦ଟାରେ ‘ସମ୍ବାଦ ସାହିତ୍ୟଘର’ର ପଞ୍ଚମ ରାଜ୍ୟସ୍ତରୀୟ ସମାବେଶ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ସ୍ୱସ୍ତି ପ୍ରିମିୟମ୍‌ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଉତ୍ସବରେ ଜ୍ଞାନପୀଠ ବିଜେତା କବି ସୀତାକାନ୍ତ ମହାପାତ୍ର ଓ ଜ୍ଞାନପୀଠ ବିଜୟିନୀ ଔପନ୍ୟାସିକା ପ୍ରତିଭା ରାୟ ବିଶିଷ୍ଟ ଅତିଥି ଭାବେ ଯୋଗଦେବେ। ଦ୍ୱିତୀୟ ଅଧିବେଶନରେ ‘ଓଡ଼ିଆ ଭାଷା ଓ ଶିଶୁ ସାହିତ୍ୟର ପ୍ରସାର’ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ବିଶିଷ୍ଟ ଅତିଥି ଭାବେ ଦାଶ ବେନହୁର, ସୁସ୍ମିତା ବାଗ୍‌ଚୀ, ଯତୀନ୍ଦ୍ରନାଥ ନାୟକ, ଗୌରହରି ଦାସ, ଅସିତ ମହାନ୍ତି, ବିଜୟାନନ୍ଦ ସିଂ ଏବଂ ଇତିରାଣୀ ସାମନ୍ତ ଯୋଗଦେବେ। ଅନ୍ତିମ ପର୍ବରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଅଧ୍ୟକ୍ଷତା କରିବେ ବିଶିଷ୍ଟ କବି ଦେବଦାସ ଛୋଟରାୟ। ଏହି ଅବସରରେ ‘ସମ୍ବାଦ ସାହିତ୍ୟଘର’ର ସାରା ବର୍ଷର କାର୍ଯ୍ୟଧାରାକୁ ନେଇ ବୃତ୍ତଚିତ୍ରଟିଏ ପ୍ରଦର୍ଶିତ ହେବ। ଶିଶୁ ସାହିତ୍ୟର ବିଭିନ୍ନ ଦିଗକୁ ନେଇ ସ୍ୱତନ୍ତ୍ର ବୁଲେଟିନ୍‌ ମଧ୍ୟ ଉନ୍ମୋଚିତ ହେବ। ଏତଦ୍‌ବ୍ୟତୀତ ଉତ୍ସବସ୍ଥଳରେ ‘ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଯେଉଁ ବନ୍ଧୁମାନେ ପୁସ୍ତକ ଉନ୍ମୋଚନ କରିବାକୁ ଚାହାନ୍ତି ସେମାନେ ପୂର୍ବରୁ ଜଣାଇ ଦେବାକୁ ଅନୁରୋଧ କରାଯାଇଛି। ସମ୍ମିଳନୀରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଗଠିତ ହୋଇଥିବା ୩୧୬ଟି ସାହିତ୍ୟଘର ଶାଖାମାନଙ୍କରୁ ଦୁଇଜଣ ଲେଖାଏଁ ନିମନ୍ତ୍ରିତ ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଯେଉଁ ପ୍ରତିନିଧିମାନେ ଆସିବେ ସେମାନେ ଜୟଦେବ ବିହାର ଛକରେ ଓହ୍ଲାଇ ଚନ୍ଦ୍ରଶେଖରପୁର ରାସ୍ତାରେ ଏକ କିଲୋମିଟର ଗଲେ ସ୍ୱସ୍ତି ପ୍ରିମିୟମ ହୋଟେଲ୍‌ରେ ପହଞ୍ଚିବେ। ଏ ବିଷୟରେ ଅଧିକ ଜାଣିବା ପାଇଁ ‘ସମ୍ବାଦ ସାହିତ୍ୟଘର’ର ସହଯୋଗୀ ଶତୃଘ୍ନ ସାହୁ(୯୮୬୧୧୫୦୧୮୧)ଙ୍କୁ ଯୋଗାଯୋଗ କରିବାକୁ ରାଜ୍ୟ ସଂଯୋଜିକା ଶୁଭ୍ରଶ୍ରୀ ଲେଙ୍କା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର